୧୫ ଜୁଲାଇ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନସେବା ବାତିଲ
ଜୁଲାଇ ୧୫ ତାରିଖ ଯାଏଁ ଆନ୍ତର୍ଜାତିକ ବିମାନ ଉଡ଼ାଣକୁ ବାତିଲ କରିଛନ୍ତି ସରକାର । ଦେଶରେ କରୋନା ମହାମାରୀ ସଂକ୍ରମଣ ତୀବ୍ରତର ହେବାରେ ଲାଗିଥିବାରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏଭଳି ନିଷ୍ପତ୍ତି ନେଇଛି ।
ଡିଜିସିଏ ଏକ ସର୍କୁଲାର ଜରିଆରେ କହିଛି, ୨୦୨୦ ଜୁଲାଇ ୧୫ ତାରିଖ ରାତି ୧୧ଟା ୫୯ ଯାଏଁ ଭାରତରୁ ବିଦେଶକୁ କିମ୍ବା ବିଦେଶରୁ ଭାରତକୁ କୌଣସି ପ୍ରକାର ଆନ୍ତର୍ଜାତିକ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଚଳାଚଳ କରିବ ନାହିଁ ।
କିନ୍ତୁ କିଛି ନିର୍ଦ୍ଦିଷ୍ଟ ମାମଲାରେ ବଛା ବଛା ରୁଟ୍ରେ କେତେକ ଆନ୍ତର୍ଜାତିକ ଫ୍ଲାଇଟ୍କୁ ଉଡ଼ାଣ ଅନୁମତି ଦିଆଯାଇପାରେ ବୋଲି ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନ୍ୟ ଏକ ବିବୃତିରେ ସୂଚନା ଦେଇଛି ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାର୍ଚ୍ଚ ଶେଷ ସପ୍ତାହରୁ ଭାରତ ସମସ୍ତ ପ୍ରକାର ବିମାନ ସେବା ବନ୍ଦ ରଖିଥିଲା । ୨ ମାସର ବ୍ୟବଧାନ ପରେ ମେ’ ୨୫ରୁ କଠୋର କଟକଣା ସହ ଘରୋଇ ଉଡ଼ାଣକୁ ଅନୁମତି ଦିଆଯାଇଥିଲା । ଏହା ପରଠାରୁ ଘରୋଇ ବିମାନ ସେବା କମ୍ପାନିଗୁଡ଼ିକ ୧୮ ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ି ସୂଚନା ଦେଇଛନ୍ତି ।
ଅପରପକ୍ଷରେ ଘରୋଇ ବିମାନ ଯାତାୟାତ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଅଧିକ ରୁଟ୍ରେ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଥିଲେ ।
Comments are closed.