ବିନା ଭକ୍ତରେ ଆରମ୍ଭ ହେବାକୁ ଯାଉଛି ରଥଯାତ୍ରା
ଆଜ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇପଡିଛି । ସମସ୍ତ ନୀତି ସଅଳ ସାରିବାକୁ ଯୋଜନା ରହିଛି । ମହାପ୍ରଭୁ ଖେଚୁଡି ଭୋଗ ଖାଇସାରିବା ପରେ ପହଣ୍ଡି ବିଜେ ଆରମ୍ଭ ହୋଇଛି । ପୂର୍ବ ନୀତିନିର୍ଘଣ୍ଟ ଅନୁସାରେ ରଥ ପ୍ରତିଷ୍ଠା ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ମୁତାବକ ପହଣ୍ଡି ଆରମ୍ଭ ହୋଇଯାଇଛି । ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ରଥାରୂଢ ହୋଇଛନ୍ତି । ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ପରେ ପରେ ପ୍ରଭୁ ବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ କରି ରଥାରୂଢ ହେବେ । ପୂର୍ବାହ୍ନ ୧୦ଟା ମଧ୍ୟରେ ପହଣ୍ଡି ଶେଷ ହେବ । ଏହାପରେ ମଦନମୋହନ ବିଜେ, ଚିତା ଲାଗି ଓ ବେଶ ହୋଇ ମଧ୍ୟାହ୍ନ ସାଢେ ୧୨ଟା ବେଳକୁ ରଥଟଣା ଯୋଜନା ରହିଛି । ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ହେବ । ସୋମବାର ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ତାଙ୍କର ଜୁନ୍ ୧୮ ତାରିଖରେ ଦେଇଥିବା ରାୟକୁ ପରିବର୍ତ୍ତନ କରିଛନ୍ତି । ରଥଯାତ୍ରା ବନ୍ଦ ରାୟକୁ ବଦଳାଇ ଅଦାଲତ କଟକଣା ଯୁକ୍ତ ରଥଯାତ୍ରା ଅନୁମତି ଦେଇଛନ୍ତି । ନୂତନ ଆଦେଶ ପରେ ପୁରୀରେ ରଥଯାତ୍ରା ଆୟୋଜନ କରାଯାଇଥିଲା। ବିନାଭକ୍ତରେ ତିନି ରଥ ବଡଦାଣ୍ଡରେ ଗଡିବ । କୋଭିଡ୍ କଟକଣାକୁ ପ୍ରଶାସନ କଡାକଡି ଭାବେ ପାଳନ କରାଯିବ । ସେବାୟତ, ପୋଲିସ ବାହିନୀ ରଥ ଟାଣିବେ । କଟକଣା ଭିତରେ ରଥଯାତ୍ରା ପାଳନ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଛି ।
ଶ୍ରୀମନ୍ଦିର ଇତିହାସରେ ୨୦୨୦ ରଥଯାତ୍ରା ଏକ ବିରଳ ଫର୍ଦ୍ଦ ଯୋଡ଼ିବ । ବିନା ଭକ୍ତରେ ରଥଯାତ୍ରା ଶ୍ରୀମନ୍ଦିର ନିର୍ମାଣ ପରଠାରୁ କେବେ ବି ଘଟିନାହିଁ । ତେଣୁ ପ୍ରଭୁଙ୍କ ଚଳିତ ରଥଯାତ୍ରା ଶ୍ରୀମନ୍ଦିର ଇତିହାସରେ ନୂତନ ପରମ୍ପରା ସୃଷ୍ଟି କରିଛି । ସୋମବାର ପୂର୍ବାହ୍ନରେ ଶ୍ରୀଜିଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା । ତିନି ରଥକୁ ପ୍ରଭୁଙ୍କ ଡାକରା ଆସିଥିଲା । ପ୍ରଭୁଙ୍କ ଠାରୁ ବାର୍ତ୍ତା ପାଇବା ପରେ ତିନି ରଥ ସିଂହଦ୍ୱାର ଠାରେ ପହଞ୍ଚିଥିଲା । ଆଜ୍ଞାମାଳ ପାଇବା ପରେ ତିନି ରଥ ସିଂହଦ୍ୱାରେ ପହଞ୍ଚିଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଛି । ଆଉ କିଛି ଘଣ୍ଟା ମଧ୍ୟରେ ଘୋଷଯାତ୍ରାର ରଥଟଣା ଆରମ୍ଭ ହେବ । ରଥାରୂଢ ବିଗ୍ରହଙ୍କୁ ବିଭିନ୍ନ ଟେଲିଭିଜନ ଜରିଆରେ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଭାବବିନୋଦିଆଙ୍କ ଦର୍ଶନ କରି ମନୋକାମନା ପୂରଣ ହେବ । ବିଗତ ତିନି ମାସ ଧରି ପ୍ରଭୁଙ୍କୁ ଭକ୍ତ ଦର୍ଶନ କରି ପାରିନାହାନ୍ତି । ରଥ ଟଣାରେ ଦୁଲୁକିବ ବଡ଼ଦାଣ୍ଡ, ତିନି ରଥ ଗଡ଼ିଯିବ ଗୁଣ୍ଡିଚା ମନ୍ଦିରକୁ । ଭକ୍ତଙ୍କୁ ବିମୋହିତ କରିବେ ରଥାରୁଢ ବଡ଼ଠାକୁର ପ୍ରଭୁ ବଳଦେବ, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ । ଘୋଷଯାତ୍ରା ବେଳେ ‘ରଥ କହିବ ମୁଁ ଦେବତା, ପଥ କହିବ ମୁଁ ଦେବତା’ । ଳିତ ବର୍ଷ ଏହି ଦୁର୍ଲ୍ଲଭ ଦୃଶ୍ୟକୁ ଭକ୍ତ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିବାର ସୁଯୋଗରୁ ବଞ୍ଚିତ ହେବେ । ବଡଦାଣ୍ଡରୁ କୋଳାହଳ ଶୁଭିବ ନାହିଁ । ମହାପ୍ରଭୁ ଆଉ ଭକ୍ତଙ୍କ ମଧ୍ୟରେ ଅପୂର୍ବ ମିଳନ ହେବ ନାହିଁ । ନିରୋଳାରେ ବଡଦାଣ୍ଡେ ରଥଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ସ୍ପର୍ଶ ଲାଭ ପାଇଁ ରଥ ଆଉ ପଥ ବି ଅପେକ୍ଷା କରିଛନ୍ତି । ବିଜେ କାହାଳୀକୁ ଶୁଣିବାକୁ ତିନି ରଥ ସିଂହଦ୍ୱାରରେ କାନେଇ ରହିଛନ୍ତି । ପ୍ରଭୁ ଶ୍ରୀସୁଦର୍ଶନ, ବଡଠାକୁର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ, ମଦନମୋହନ, ପ୍ରଭୁ ରାମକୃଷ୍ଣ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ । ଏମାନଙ୍କ ସହ ପାଶ୍ୱର୍ ଦେବାଦେବୀ ମଧ୍ୟ ଘୋଷଯାତ୍ରାରେ ସାମିଲ ହେବେ ।
Comments are closed.