ଟେକ୍ନୋଲୋଜିର ବ୍ୟବହାର ଓ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ଧାନ ସଂଗ୍ରହକୁ ତ୍ୱରାନ୍ୱିତ କରାଯାଇଛି : ମନ୍ତ୍ରୀ ଶ୍ରୀ ସ୍ୱାଇଁ
ଭୁବନେଶ୍ୱର : ୨୦୧୯-୨୦ ଖରିଫ ଏବଂ ରବିଧାନ ସଂଗ୍ରହ କ୍ଷେତ୍ରରେ ଟେକ୍ନୋଲୋଜି ବ୍ୟବହାର ଏବଂ ସ୍ୱୟଂକ୍ରିୟ ବ୍ୟବସ୍ଥାର ଉପଯୋଗ କରି ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି । ଧାନ ବିକ୍ରି ନିମନ୍ତେ ଅନଲାଇନରେ ଚାଷୀମାନଙ୍କର ନାମ ପଞ୍ଜୀକରଣ ଓ ପି-ପାସ୍ ଏବଂ ଆଗୁଆ ଟୋକେନ୍ ପ୍ରଦାନ ମଧ୍ୟାମରେ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହକୁ ସୁରୁଖୁରୁରେ କରାଯାଇପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଗତବର୍ଷ ସମୁଦାୟ ୬୫.୫୦ ଲକ୍ଷ ମେଟ୍ରିକ ଟନ ତୁଳନାରେ ଚଳିତବର୍ଷ ଅଦ୍ୟାବିଧି ୬୭.୫୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ଆଦିକୁ କଡାକଡି ଭାବେ ପାଳନ କରାଯାଇ ଧାନ ସଂଗ୍ରହ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ସରକାରଙ୍କ ତରଫରୁ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ୧୦ ଲକ୍ଷ ମେଟ୍ରିକ ଟନ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଆଜି ସୁଦ୍ଧା ରେକର୍ଡ ୧୪ ଲକ୍ଷ ୨୬ ହଜାର ୬୫୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ଆଜି ତାରିଖ ତୁଳନାରେ ୩୨ ପ୍ରତିଶତ ଅଧିକ । ଗତବର୍ଷ ଆଜିର ଦିନରେ ୧୦ ଲକ୍ଷ ୮୪ ହଜାର ୪୫ ମେଟ୍ରିକ ଟନ ରବିଧାନ ସଂଗ୍ରହ କରାଯାଇଥିଲା । ଚଳିତ ରବିଧାନ ସଂଗ୍ରହ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତବର୍ଷ ସମୁଦାୟ ୧୩ ଲକ୍ଷ ୯୩ ହଜାର ୫୩୯ ମେଟ୍ରିକ ଟନ ରବିଧାନ ସଂଗ୍ରହ କରାଯାଇଥିଲା ।
ରବିଧାନ ସଂଗ୍ରହ କାର୍ଯ୍ୟ ରାଜ୍ୟର ୧୭ଟି ଜିଲ୍ଲାରେ ୧୦୬୮ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ କରାଯାଉଛି । ଚଳିତ ରବି ଋତୁରେ ଧାନ ବିକ୍ରି ନିମନ୍ତେ ରାଜ୍ୟର ୨ ଲକ୍ଷ ୫୭ ହଜାର ୮୮୫ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବାବେଳେ ଆଜି ପର୍ଯ୍ୟନ୍ତ ୨ଲକ୍ଷ ୪୭ ହଜାର ୩୩୩ ଜଣ ଚାଷୀଙ୍କ ନାମ ପଞ୍ଚୀକରଣକୁ ଯାଞ୍ଚ କରାଯାଇ ସାରିଛି । ଗତ ବର୍ଷ ତୁଳନାରେ ପ୍ରାୟ ୨୦ ପ୍ରତିଶତରୁ ଉର୍ଦ୍ଧ୍ୱ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି । ଗତବର୍ଷ ରବିଧାନ ବିକ୍ରି ନିମନ୍ତେ ୨ ଲକ୍ଷ ୧୬ ହଜାର ଚାଷୀ ସେମାନଙ୍କର ନାମ ପଞ୍ଜୀକୃତ କରିଥିଲେ । ଚଳିତ ରବିଧାନ ସଂଗ୍ରହ ବାବଦକୁ ଏ ପର୍ଯ୍ୟନ୍ତ ୨୦୯୩ କୋଟି ୫୨ ଲକ୍ଷ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ହସ୍ତାନ୍ତ କରଯାଇଛି ।
Comments are closed.