ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତରେ ଯାଇପାରେ ଭାରତ
କରୋନା ବା କୋଭିଡ୍ ୧୯ ଦ୍ୱାରା ସାରା ବିଶ୍ୱ ପ୍ରଭାବିତ । ଏହା ଦ୍ୱାରା ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ହେଲା କ୍ରୀଡ଼ା, ବାଣିଜ୍ୟ ଓ ଯୋଗାଯୋଗ ଘୋର ପ୍ରଭାବିତ ହୋଇଛି । କିଛି ହାତ ଗଣତି ଦେଶ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଛନ୍ତି । ଯେମିତିକି ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ୟୁରୋପର କିଛି ଦେଶ । ଏହିସବୁ ଦେଶରେ କ୍ରୀଡ଼ା ଧୀରେ ଧୀରେ ପ୍ରତ୍ୟାବର୍ତ୍ତନ କରୁଛି । କିନ୍ତୁ ଆମ ଦେଶରେ ଏବେ ଦିନକୁ ଦିନ ସ୍ଥିତି ଅଧିକ ସଙ୍ଗୀନ ହେବାକୁ ଯାଉଛି । ମାତ୍ର ଯାହା ସୂଚନା ମିଳିଛି, ଆସନ୍ତା ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତ କରି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବାର ଯୋଜନା ରହିଛି । କିନ୍ତୁ ଏହ ସଂପର୍କରେ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ବିସିସିଆଇ ଶ୍ରୀଲଙ୍କା ଗସ୍ତରେ ଯିବାକୁ ଶ୍ରୀଲଙ୍କା କ୍ରିକେଟ୍ (ଏସ୍ଏଲ୍ସି)କୁ ସବୁଜ ସଂକେତ ଦେଇ ସାରିଛି । ଯଦି କେନ୍ଦ୍ର ସରକାର ଅନୁମତି ଦିଅନ୍ତି ତେବେ ଭାରତୀୟ ଦଳ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ।’ ଜୁନ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବାର ଥିଲା ଏବଂ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥାନ୍ତା । ଶ୍ରୀଲଙ୍କା କ୍ରିକେଟ୍ (ଏସ୍ଏଲ୍ସି) ଅଗଷ୍ଟରେ ଦ୍ୱିପାକ୍ଷିକ ସିରିଜ୍ ଆୟୋଜନ ନେଇ ଦେଶର କ୍ରୀଡ଼ାମନ୍ତ୍ରଣାଳୟ ଠାରୁ ଅନୁମତି ଆଣିବ । ଅଗଷ୍ଟ ସୁଦ୍ଧା ଦେଶର ସବୁ କିଛି ସ୍ୱାଭାବିକ ହୋଇଯିବାର ଆଶା କରାଯାଉଛି । ତେଣୁ ସିରିଜ ଆୟୋଜନକୁ ମନ୍ତ୍ରଣାଳୟ ଅନୁମତି ଦେବ ବୋଲି ଏସ୍ଏଲ୍ସି ଆଶା ରଖିଛି ।
ଶ୍ରୀଲଙ୍କାରେ ସିନା କରୋନା ସ୍ଥିତି ନିୟନ୍ତ୍ରଣ ରହିଛି ମାତ୍ର ଭାରତରେ ସ୍ଥିତି ଗମ୍ଭୀର । ସେତେବେଳକୁ ଆମ ଦେଶର ସ୍ଥିତି ଅନୁସାରେ କେନ୍ଦ୍ର ସରକାର ଯାହା କିଛି ନିଷ୍ପତ୍ତି ନେବେ । ଏବେଠୁ ପୂର୍ବାନୁମାନ କରିବା କଷ୍ଟକର । ଏସ୍ଏଲ୍ସି କେବଳ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ନୁହଁ ବରଂ ଏସିଆ କପ୍ (ଟି-ଟ୍ୱେଣ୍ଟି) ଆୟୋଜନ କରିବ ବୋଲି ଜଣା ପଡ଼ିଛି । ଏସ୍ଏଲ୍ସି ସଭାପତି ସାମି ସିଲ୍ଭା କହିଛନ୍ତି, ଏସିଆ କପ୍ ଆୟୋଜନ ସଂପର୍କରେ ଏସିଆନ୍ କ୍ରିକେଟ୍ କାଉନସିପ୍ (ଏସିସି) ସଭାପତିଙ୍କ ଠାରୁ ସବୁଜ ସଂକେତ ପାଇଛନ୍ତି ।
ଏସିଆ କପ୍ର ଏହି ସଂସ୍କରଣ ପାକିସ୍ତାନ ୟୁଏଇରେ ଆୟୋଜନ କରିବାର ଥିଲା । ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥାନ୍ତା । କିନ୍ତୁ ଏବେ କରୋନା ଯୋଗୁ ଏହାର ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦିଓ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟକୁ ଘୁଞ୍ଚାଇ ଦିଆଯିବା କିମ୍ବା ବାତିଲ କରାଯିବା ସଂପର୍କରେ କିଛି ବି ନିଷ୍ପତ୍ତି ହୋଇ ନାହିଁ ।
ଏସିଆ କପ୍ରେ ମୋଟ୍ ୬ଟି ଦଳ ଅଂଶ ଗ୍ରହଣ କରିବେ । ଏସିସିର ୫ ଜଣ ସ୍ଥାୟୀ ସଦସ୍ୟ ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ ଓ ଆଫ୍ଗାନିସ୍ତାନ ଏବଂ ଗୋଟିଏ କ୍ୱାଲିଫାୟର ଦଳ । କରୋନା ଯୋଗୁ ଆଇପିଏଲ୍-୧୩ ଆୟୋଜନ ସମ୍ଭବ ହୋଇ ପାରୁ ନାହିଁ । ଯାହାକୁ ନେଇ ବିସିସିଆଇ ଚିନ୍ତିତ ରହିଛି । ଚଳିତ ବର୍ଷ ହିଁ ଏହି ସଂସ୍କରଣ ଆୟୋଜନ କରିବା ନେଇ ବୋର୍ଡ ଯୋଜନା କରୁଛି । ନଚେତ ୪ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା କ୍ଷତି ସହିବ । ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଘୁଞ୍ଚାଇ ଦିଆଗଲେ, ସେହି ସମୟରେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ଲକ୍ଷ୍ୟ ରଖିଛି ।
Comments are closed.