ଟବାକୋ ଉତ୍ପାଦଗୁଡ଼ିକ ଉପରେ କୋଭିଡ ସେସ୍ ୫୦ ହଜାର କୋଟି ରାଜସ୍ୱ ସୃଷ୍ଟିକରିପାରିବ – ବିଶେଷଜ୍ଞ

Share It

ଭୁବନେଶ୍ୱର: ଡାକ୍ତର ଏବଂ ଅର୍ଥଶାସ୍ତ୍ର ବିଶାରଦଙ୍କ ସମେତ ଜନ ସ୍ୱାସ୍ଥ୍ୟ ସମୂହ ଜିଏସଟି ପରିଷଦକୁ ସିଗାରେଟ, ବିଡ଼ି ଏବଂ ତମ୍ବାଖୁ ଭଳି ଉତ୍ପାଦଗୁଡ଼ିକ ଉପରେ ଏକ ବିଶେଷ କୋଭିଡ-୧୯ ସେସ୍‌ର ବିଚାର କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଯାହାଦ୍ୱାରା କୋଭିଡ-୧୯ ଆର୍ଥିକ ପ୍ୟାକେଜରେ ଯୋଗଦାନ ନିମନ୍ତେ ଏଥିରୁ ୪୯, ୭୪୦ କୋଟି ଟଙ୍କା (୪୯୭.୪ ଅରବ) ର ରାଜସ୍ୱ ମିଳିପାରିବ । ଏହି ରାଶି ଆର୍ଥିକ ପ୍ୟାକେଜରେ ୨୯% ଯୋଗଦାନ କରିପାରିବ । ସମସ୍ତ ତମ୍ବାଖୁ ଉତ୍ପାଦଗୁଡ଼ିକ ଉପରେ କୋଭିଡ-ସେସ୍ ଲାଗୁ ହେବା ଦ୍ୱାରା ନା କେବଳ ଏହା ଆର୍ଥିକପ୍ୟାକେଜରେ ଯୋଗଦାନ କ୍ଷେତ୍ରରେ ସହାୟକ ହେବ ବରଂ ଏହା ଆଗକୁ ଭାଇରସର ଅଧିକ ସଂକ୍ରମଣକୁ ମଧ୍ୟ ରୋକିବ ବିଶେଷ କରି ତମ୍ବାଖୁ ଉତ୍ପାଦଗୁଡ଼ିକୁ ଦୁର୍ବଳ ଲୋକମାନଙ୍କ ପହଂଚଠାରୁ ଦୂରେଇ ନେଇ ଏହାକୁ ଛାଡ଼ିବା ପାଇଁ ସେମାନଙ୍କ ଅନୁପ୍ରାଣିତ ମଧ୍ୟ କରିବ । ଏହାଦ୍ୱାରା ଯେଉଁ ଲୋକଙ୍କୁ ଏହି ଭାଇରସର ଅଧିକ ବିପଦ ରହିଥାଏ ସେମାନଙ୍କ ମଧ୍ୟରେ ଏହାର ପ୍ରସାରକୁ ମଧ୍ୟ ହ୍ରାସ କରାଯାଇପାରିବ ।
ବିଭିନ୍ନ ଦେଶରେ କରାଯାଇଥିବା ଅନେକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ଧୂମ୍ରପାନ କରୁଥିବା ଓ ତମ୍ବାଖୁ ଉତ୍ପାଦର ବ୍ୟବହାର କରୁଥିବା ଲୋକମାନେ ଯେତେବେଳେ କୋଭିଡ-୧୯ରେ ସଂକ୍ରମିତ ହୋଇଥାନ୍ତି ସେତେବେଳେ ସେମାନଙ୍କ ଠାରେ ରୋଗର ବିପଦ ଆହୁରି ବଢ଼ିଯାଇଥାଏ । କାରଣ ଏହା ଫୁସ୍‌ଫୁସ୍ ଉପରେ ଆକ୍ରମଣ କରିଥାଏ ଏବଂ ଫୁସ୍‌ଫୁସ୍‌କୁ ଦୁର୍ବଳ କରି ବ୍ୟକ୍ତିଙ୍କୁ ଅଧିକ ବିପଦ ମଧ୍ୟକୁ ଟାଣିଆଣିଥାଏ । ଏଭଳି ସମୟରେ କୋଭିଡ-୧୯ ଯୋଗୁଁ ଦୋହଲିଯାଇଥିବା ଭାରତର ଅର୍ଥନୀତିକୁ ପୁଣି ରାସ୍ତାକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଆର୍ଥିକ ପ୍ୟାକେଜର ଘୋଷଣା ମଧ୍ୟ କରାଯାଇଛି । ଡବ୍ଲୁଏଚଓ ପରାମର୍ଶ ଅନୁଯାୟୀ ସମସ୍ତ ତମ୍ବାଖୁ ଉତ୍ପାଦଗୁଡ଼ିକର ଖୁଚୁରା ମୂଲ୍ୟରୁ ଅତିକମରେ ୭୫% ଅଂଶ କର ପାଇଁ ହେବା ଦରକାର । ତମ୍ବାଖୁ ବ୍ୟବହାରକାରୀଙ୍କ ସଂଖ୍ୟାରେ(୨୬୮ ଲକ୍ଷ କିମ୍ବା ଭାରତରେ ସମସ୍ତ କିଶୋରଙ୍କର ୨୮.୬%) ପୁରା ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ତମ୍ବାଖୁ ଜନିତ ରୋଗରେ ପ୍ରତିବର୍ଷ ପ୍ରାୟ ୧୨ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ।
ଇକୋନୋମିଷ୍ଟ ତଥା ହେଲଥ ପଲିସି ଆନାଲିଷ୍ଟ ଡା ରିଜୋ ଜନଙ୍କ କହିବା ଅନୁଯାୟୀ ବିଡ଼ିର ପ୍ରତି ଖଣ୍ଡ ଉପରେ ଏକ ଟଙ୍କାର କୋଭିଡ ସେସ୍ ଏବଂ ଅନ୍ୟ ତମ୍ବାଖୁ ଉତ୍ପାଦ ଉପରେ ମହତ୍ୱପୂର୍ଣ୍ଣ କର ବୃଦ୍ଧି ଦ୍ୱାରା ୫୦,୦୦୦ କୋଟି ଟଙ୍କାର କର ରାଜସ୍ୱ ସୃଷ୍ଟି କରାଯାଇପାରିବ ବୋଲି ଅନୁମାନ ରହିଛି । ସେହିଭଳି ମ୍ୟାକ୍ସ ଇନଷ୍ଟିଚ୍ୟୁଟ ଅଫ କ୍ୟାନ୍ସର କେୟାରର ଅଧ୍ୟକ୍ଷ ଡା ହରିତ ଚତୁର୍ବେଦୀ କହିଛନ୍ତି ଯେ, “ବିଡ଼ି ସମେତ ଅନ୍ୟ ଉତ୍ପାଦଗୁଡ଼ିକୁ ଲୋକଙ୍କ ପାଇଁ କ୍ରୟ ଅଯୋଗ୍ୟ କରାଯିବା ଉଚିତ । ଏହି ଉତ୍ପାଦଗୁଡ଼ିକ ଉପରେ ସେସ୍ ଲାଗୁ କରିବା ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ।”


Share It

Comments are closed.