ରଜ ପୂର୍ବରୁ ଓଡିଶା ଛୁଇଁବ ମୋସୁମୀ
ଏଥର ରଜ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି । କେରଳରେ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଏହା ନିର୍ଦ୍ଧାରିତ ସମୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଜୁନ୍ ୧୧ରେ ମୌସୁମୀ ପହଞ୍ଚିପାରେ ବୋଲି କୁହାଯାଉଛି ।
ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏନେଇ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି । ଯଦି ସବୁ କିଛି ସ୍ବାଭାବିକ ରୁହେ ତେବେ ଜୁନ୍ ୧୧ରେ ଓଡ଼ିଶାରେ ପହଞ୍ଚିବ ଏବଂ ଜୁନ୍ ୧୭ ସୁଦ୍ଧା ସମ୍ପୂର୍ଣ୍ଣ ରାଜ୍ୟକୁ ବିସ୍ତାରିତ ହେବ । ୨୦୧୯ ରେ ଜୁନ୍ ୮ରେ କେରଳରେ ପହଞ୍ଚିଥିବା ବେଳେ ୨୧ରେ ଓଡ଼ିଶା, ୨୦୧୮ରେ ମେ’ ୨୯ରେ କେରଳ ଓ ଜୁନ୍ ୮ରେ ଓଡ଼ିଶା, ୨୦୧୭ରେ ମେ’ ୩୦ରେ କେରଳ ଓ ଜୁନ୍ ୧୪ରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲା ।
ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । କଳାହାଣ୍ଡି, ବରଗଡ଼, ସୋନପୁର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ କେରାପୁଟ, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର, ଅନୁଗୁଳ, ଦେବଗଡ଼ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର, ଢେଙ୍କାନାଳ, କଟକ, ଭଦ୍ରକ ଜିଲ୍ଲାରେ ବର୍ଷା ସହ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ । ବିହାରରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବାରୁ କାଳବୈଶାଖୀ ଜନିତ ବର୍ଷା ହେଉଛି । ୫ ଓ ୬ ତାରିଖରେ ସେଭଳି ବର୍ଷା ନାହିଁ । ୭ ଓ ୮ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବ ।
Comments are closed.