ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ୱାରା ଆଜି ସୁଦ୍ଧା ୨୬୪୯ କୋଟି ଟଙ୍କାର ଫସଲ ଋଣ
କରୋନା ଭାଇରସ କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟରେ ଚାଷୀମାନଙ୍କୁ କୃଷି କାର୍ଯ୍ୟ ଆଗେଇ ନେବା ପାଇଁ ସମବାୟ ବ୍ୟାଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଫସଲ ଋଣକୁ ତ୍ୱରାନ୍ୱିତ କରାଯାଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଚଳିତ ଖରିଫରେ ସମବାୟ ସଂସ୍ଥା ଦ୍ୱାରା ମେ’ ମାସ ସୁଦ୍ଧା ୨୦୦୦ କୋଟି ଟଙ୍କା ଫସଲ ଋଣ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ୱାରା ଆଜି ସୁଦ୍ଧା ୨୬୪୯ କୋଟି ଟଙ୍କା ଋଣ ଆକାରରେ ଯୋଗାଇ ଦିଆଯାଇଛି ।, ଯାହାକି ଗତ ବର୍ଷ ଆଜିର ଦିନ ତୁଳନାରେ ୧୧୭ ପ୍ରତିଶତ ଅଧିକ । ଗତବର୍ଷ ଆଜିର ଦିନରେ ସମବାୟ ବ୍ୟାଙ୍କ ଦ୍ୱାରା ୧୨୧୮ କୋଟି ଟଙ୍କାର ଫସଲ ଋଣ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିଲା । କୋଭିଡ-୧୯ ସଂକ୍ରମଣ ପରିସ୍ଥିତିରେ ସମବାୟ ବିଭାଗର ଶାସନ ସଚିବ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ, ରେଜିଷ୍ଟାର କୋଅପରେଟିଭ ସୋସାଇଟିଙ୍କ ଦ୍ୱାରା ସାପ୍ତାହିକ ସମୀକ୍ଷା ଏବଂ ଡିଆରସିଏ, ଏଆରସିଏସ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ ସଂପୃକ୍ତ ପ୍ୟାକ୍ସମାନଙ୍କ ସହଯୋଗରେ ଋଣ ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପାରିଛି ।
ସୂଚନା ଯୋଗ୍ୟ ଯେ, ଚଳିତ ଖରିଫରେ ରାଜ୍ୟ ସରକାରଙ୍କ ସମବାୟ ସଂସ୍ଥା ପକ୍ଷରୁ ଚାଷୀମାନଙ୍କୁ ମୋଟ ୯୦୦୦ କୋଟି ଟଙ୍କା ଫସଲ ଋଣ ଆକାରରେ ଯୋଗାଇ ଦିଆଯିବ । ଏଥି ମଧ୍ୟରୁ ଜୁନ ୧୫ ତାରିଖ ମଧ୍ୟରେ ୩୫୦୦ କୋଟି ଟଙ୍କା, ଜୁନ ମାସ ଶେଷ ସୁଦ୍ଧା ୫୦୦୦ କୋଟି ଏବଂ ବାକି ୪୦୦୦ କୋଟି ଟଙ୍କା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଫସଲ ଋଣ ବାବଦରେ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଯୁଗ୍ମଦେୟ ଗୋଷ୍ଠୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କୁ ପ୍ରାଧାନ୍ୟ ଦିଆଯାଉଛି ।
Comments are closed.