ଆଜି ରାଜ୍ୟରେ ସର୍ବାଧିକ ୧୫୬ ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତ ସଂଖ୍ୟା ୨୧୦୪
କରୋନା ବିସ୍ତାର କମିବାର ନାଁ ନେଉନି । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୧୯ଟି ଜିଲ୍ଲାରୁ ଆଉ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୪କୁ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୱେବସାଇଟରେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ଅଞ୍ଚଳର ସଂକ୍ରମିତ ରହିଛନ୍ତି। ଆଜି ରାଜ୍ୟରେ ସର୍ବାଧିକ ୧୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରୁ ୨୦ଜଣ, ଗଞ୍ଜାମ ଜିଲ୍ଲାରୁ ୧୭ଜଣ, ଜଗତିସିଂହପୁର ଜିଲ୍ଲାରୁ୧୪ଜଣ, ଯାଜପୁର ଜିଲ୍ଲାରୁ ୧୧ଜଣ, କନ୍ଧମାଳ ଜିଲ୍ଲାରୁ ୯ଜଣ, ଭଦ୍ରକ ଜିଲ୍ଲାରୁ ୭ଜଣ, ଖୋର୍ଦ୍ଧା,ନୟାଗଡ଼,ସୁନ୍ଦରଗଡ଼,ନୂଆପଡ଼ା, ମୟୂରଭଞ୍ଜ, ସୋନପୁର, ବରଗଡ଼ ଜିଲ୍ଲାରୁ ୩ଜଣ ଲୋଖାଏଁ ଏବଂ ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରୁ ୨ଜଣ ଲେଖାଏଁ, ବୌଦ୍ଧ, କେନ୍ଦୁଝର, ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୬୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୧୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।