କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଶବଦାହ କରାଇଦେଲେ ନାହିଁ ଗ୍ରାମବାସୀ, ଅଧରାତ୍ରି ଯାଏଁ ଏଣେତେଣେ ବୁଲିଲା ପ୍ରଶାସନ

Share It

ରାଜସ୍ଥାନ ଚିତ୍ତୋଡଗଡରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାରକୁ ନେଇ ବିବାଦ ମୁଣ୍ଡ ଟେକିଥିଲା ଏବଂ ପ୍ରଶାସନ ଅଧ ରାତି ପର୍ଯ୍ୟନ୍ତ ତାଙ୍କର ପାର୍ଥିବ ଶରୀରକୁ ଧରି ବିଭିନ୍ନ ସ୍ଥାନ ବୁଲିଥିଲା । ମିଳିଥିବା ସୂଚନା ମୁତାବକ ଜଣେ ୮୦ ବର୍ଷିୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଥିବା ହେତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ପରେ ପ୍ରଶାସନ ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପାର୍ଥିବ ଶରୀରକୁ ରାତ୍ରି ୮ଟାରେ ସହରର କୁମ୍ବାନଗର ମୋକ୍ଷ ଧାମକୁ ଆଣିଯାଇଥିବାବେଳେ କିନ୍ତୁ ସେଠାରେ ସ୍ଥାନୀୟ ଲୋକେ ଅନ୍ତିମ ସଂସ୍କାରକୁ ବିରୋଧ କରିଥିଲେ । ଦେଖୁ ଦେଖୁ ରାସ୍ତାରେ ଭୀଷଣ ଭିଡ ଜମିଯିବା ସହ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ।
ଏହି ସଂପର୍କରେ ସୂଚନା ମିଳିବା ପରେ ଅତିରିକ୍ତ ଜିଲ୍ଲାପାଳ ମକେଶ କଲାଲ, ଉପଖଣ୍ଡ ଅଧିକାରୀ ଏବଂ ଅତିରିକ୍ତ ପୋଲିସ ଅଧିକାରୀ ଘଟଣାସ୍ଥଳେ ପହଞ୍ଚି ଲୋକଙ୍କୁ ଅନେକ ବୁଝେଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବୁଝିବା ପାଇଁ ନାରାଜ ଥିଲେ । ପାଖପାଖି ୧୦ ଘଣ୍ଟା ପରେ ମଧ୍ୟ ଲୋକମାନେ ବିକ୍ଷୋଭଗୀରି ଜାରି ରଖିଥିଲେ । ଏହା ପରେ ପ୍ରଶାସନ ବାଧ୍ୟ ହୋଇ ବୃଦ୍ଧାଙ୍କ ପାର୍ଥିବ ଶରୀରକୁ ଅନ୍ୟତ୍ରସ୍ଥାନ ନେଇ ଅନ୍ତିମ ସଂସ୍କାର କରିଥିଲା ।
ପ୍ରକାଶ ଥାଉକି, ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୯୪ରେ ପହଞ୍ଚିଥିବାବେଳେ ଏହି ଭାଇରସ ଯୋଗୁଁ ୧୫୩ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ସେପଟେ ୩୬୮୦ ଜଣ ବର୍ତ୍ତମାନ ସୁଧା ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । ସେହିଭଳି ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଏବଂ ଦୈନିକ ଏହା ନୂଆ ରେକର୍ଡ ସ୍ତରରେ ପହଞ୍ଚିବାକୁ ଲାଗିଛି । ଆଜି ମଧ୍ୟ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୫୪ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହି ଭାଇରସ ଯୋଗୁଁ ୧୩୭ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି ।


Share It

Comments are closed.