ଭିଡିଓ କନଫରେନ୍ସ ଯୋଗେ କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Share It

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ପ୍ରବାସୀମାନଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଚାଉଳ ଏବଂ ପରିବାର ପିଛା ମାସକୁ ୧ କେଜି ଚଣା ବିନା ମୂଲ୍ୟରେ ଦୁଇମାସ ପାଇଁ ଦେବା ନିମନ୍ତେ ସ୍ଥିର କରିଥିବାବେଳେ ଏହାର ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ଭିଡିଓ କନଫରେନ୍ସ ଯୋଗେ ଖାଦ୍ୟ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ, ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆ ଏବଂ ଓଡିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ମୁଣ୍ଡପିଛା ୫ କେଜି ଚାଉଳ ଓ ପରିବାର ପିଛା ଏକ କେଜି ଚଣା ମଇ ଓ ଜୁନ ଦୁଇମାସ ନିମନ୍ତେ ବିନା ମୂଲ୍ୟରେ ଯୋଗାଇଦେବା ନିମନ୍ତେ ଆଜି ଖାଦ୍ୟ ଯୋଗଣା ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ଚାଉଲ ଓ ଚଣା ଯୋଗାଣ ପରେ ବିଭାଗକୁ ହିତାଧିକାରୀମାନଙ୍କ ତାଲିକା ଯୋଗାଇଦେବା ପାଇଁ କୁହାଯାଇଛି ।


ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରବାସୀ ଶ୍ରମିକଙ୍କ ବାବଦରେ ଏକ ନିର୍ଭରଯୋଗ୍ୟ ତଥ୍ୟ ଓ ତାଲିକା ଅଭାବରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରାସନ କାର୍ଡ ନିର୍ବିଶେଷରେ ସମସ୍ତ ପ୍ରବାସୀଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଚାଉଳ ଓ ପରିବାର ପିଛା ମାସକୁ ୧ କେଜି ଚଣା ଯୋଗାଇଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକମାନଙ୍କର ଦୁର୍ଦ୍ଦଶା ଓ ବାଟରେ ଦୁର୍ଘଟଣାଜନିତ ଅକାଳ ମୃତ୍ୟୁକୁ ନେଇ ବୈଠକରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ବୈଠକରେ ରାଜ୍ୟ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ନିୟମିତ ରାସନ ତିନିମାସ ପାଇଁ ଆଗୁଆ ଏକାକାଳୀନ ଯୋଗାଇ ଦିଆଯାଇଥିବା କଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଜି ସୁଦ୍ଧା ୮୨ ଲକ୍ଷ କାର୍ଡଧାରୀଙ୍କୁ ଏକକାଳୀନ ୩ ମାସ ପାଇଁ ଚାଉଳ ଏବଂ ଡାଲି ଯୋଗାଇ ଦିଆଯାଇଥିବା କଥା ଉଲ୍ଲେଖ କରିଥିବାବେଳେ ଅବଶିଷ୍ଟ କାର୍ଡଧାରୀଙ୍କୁ ଚାଉଳ ଓ ଡାଲି ବଣ୍ଟନ କାର୍ଯ୍ୟ ମେଇ ୩୧ ତାରିଖ ସୁଦ୍ଧା ସଂପନ୍ନ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ଯୋଗାଣ ଏବଂ ରବି ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଝୋଟ ଅଖା ତୁରନ୍ତ ରାଜ୍ୟରୁ ଯୋଗାଇ ଦେବା ପାଇଁ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏଥି ନିମନ୍ତେ ଜୁଟ କମିଶନରଙ୍କ ନିକଟରେ ଅର୍ଥ ଦାଖଲ କରାଯାଇ ସାରିଥିବାବେଳେ ଲକଡାଉନ ସ୍ଥିତି ଯୋଗୁଁ ଆବଶ୍ୟକ ପରିମାଣର ଅଖା ନ ମିଳୁଥିବାରୁ ଖାଦ୍ୟଶସ୍ୟ ଯୋଗାଣ ଏବଂ ଧାନ ସଂଗ୍ରହ ବାଧାପ୍ରାପ୍ତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ବୈଠକରେ ସଂପ୍ରତି ଘଟିଯାଇଥିବା ବାତ୍ୟା ‘ଅମ୍ଫନ’ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶୋକବ୍ୟକ୍ତ ପୂର୍ବକ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଲୋକସେବା ଭବନଠାରେ ଖାଦ୍ୟ ଯୋଗଣା ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବୀରବିକ୍ରମ ଯାଦବ ଉପସ୍ଥିତ ଥିବାବେଳେ ସମସ୍ତ ରାଜ୍ୟର ଖାଦୟ ଯୋଗାଣ ମନ୍ତ୍ରୀମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।


Share It

Comments are closed.