ପୂର୍ବ ଅପେକ୍ଷା ଆହୁରୀ ଭୟଙ୍କର ଋପ ଧାରଣ କରି ଚୀନକୁ ଫେରିଲା କରୋନା

Share It

ଚୀନ୍‌ର ଉତ୍ତରପୂର୍ବ ଅଞ୍ଚଳରେ କରୋନା ଭୂତାଣୁର ପ୍ରକୋପ ଧୀରେ ଧୀରେ ବଢୁଛି । ଏଠାକାର ରୋଗୀଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ବା ରୂପ ଠାବ କରାଯାଇଛି । ୱୁହାନ ଭୂତାଣୁ ତୁଳନାରେ ଏହା ଅନେକ ଦୃଷ୍ଟିରୁ ଭିନ୍ନ ଓ ହାନିକାରକ । ଅଧିକ ଦିନ ପର୍ଯ୍ୟନ୍ତ ଏହା ତିଷ୍ଠିରହୁଥିବା ବେଳେ ସଂକ୍ରମିତ ରୋଗୀ ଶୀଘ୍ର ଆରୋଗ୍ୟ ହୋଇପାରୁ ନାହାନ୍ତି । ଏଭଳି ହେଲେ ସଂକ୍ରମଣ ଆହୁରି ବଢ଼ିବା ଆଶଙ୍କା ରହିଛି ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି । ଚୀନ୍‌ର ଜଣେ ବିଶିଷ୍ଟ ଡାକ୍ତର କ୍ୟୁ ହାଇବୋ ଏହି ସୂଚନା ଦେଇଛନ୍ତି ।

ତାଙ୍କ ମୁତାବକ ଜିଲିନ ଏବଂ ହେଲୋଙ୍ଗଜିଆଙ୍ଗ ଭଳି ଉତ୍ତରାଞ୍ଚଳ ପ୍ରଦେଶରେ କେତେଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନେ ନିଜ ଦେହରେ ଅନେକ ଦିନ ଧରି ଭୂତାଣୁ ଧାରଣ କରିଥିଲେ । ଫଳରେ ଆରୋଗ୍ୟ ହେବା ପାଇଁ ଅଧିକ ଦିନ ଲାଗିଥିଲା । ଉତ୍ତର ପୂର୍ବ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ରହିଛି । ୱୁହାନ୍‌ରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ତୁଳନାରେ ଏଠାରେ ଦେଖାଦେଇଥିବା ଭୂତାଣୁ ଅଧିକ ଦିନ ପର୍ଯ୍ୟନ୍ତ ରୋଗୀ ଦେହରେ ତିଷ୍ଠି ରହୁଛି । ଲକ୍ଷଣ ପ୍ରକାଶ ପାଇବା ପାଇଁ ଅନେକ ଦିନ ଲାଗିଯାଉଛି । ଏହାଯୋଗୁ ରୋଗୀ ଚିହ୍ନଟ କରିବା ମୁସ୍କିଲ ହୋଇପଡ଼ୁଛି । ଏମିତି କି ଏହି କାରଣରୁ ଅନେକ ଲୋକ ସଂକ୍ରମିତ ହେବେ । ଜଣକ ଯୋଗୁ ପୂରା ପରିବାର ସଂକ୍ରମିତ ହେବା ଆଶଙ୍କା ରହିଛି ।

ଗତ ଦୁଇଟି ସପ୍ତାହରେ ୪୬ଟି କରୋନା ମାମଲା ସାମ୍ନାକୁ ଆସିଛି । ସୁଲାନ, ଜିଲିନ ସହର ଏବଂ ସେଙ୍ଗୟାଙ୍ଗରେ ଏହି ମାମଲା ଆସିବା ପରେ ପ୍ରତିକାର ସ୍ୱରୂପ ୧୦ କୋଟି ଲୋକଙ୍କ ଯିବାଆସିବା ଉପରେ ରୋକ ଲଗାଯାଇ ଲକ୍‌ଡାଉନ୍‌ କଟକଣା କଡ଼ାକଡ଼ି କରାଯାଇଛି ।

ଚୀନ୍‌ର ବୈଜ୍ଞାନିକମାନେ କରୋନା ଭୂତାଣୁର ଏଭଳି ରୂପକୁ ବୁଝିପାରୁ ନ ଥିବା ବେଳେ ରୋଗୀ ଚିକିତ୍ସା କରୁଥିବା ଡାକ୍ତରମାନେ କିନ୍ତୁ ଏହାକୁ ଠଉରାଇ ପାରିଛନ୍ତି । ରୋଗୀଙ୍କର ବିଭିନ୍ନ ଲକ୍ଷଣ ଏବଂ ଆରୋଗ୍ୟ ହେବା ସ୍ଥିତିକୁ ଭଲ ଭାବେ ଅବଲୋକନ କରିବା ପରେ ସେମାନେ କରୋନାର ସମ୍ଭାବ୍ୟ ନୂଆ ତଥା ଭୟଙ୍କର ରୂପ ନେଇ ଆଶଙ୍କିତ ହୋଇପଡ଼ିଛନ୍ତି।
ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଚୀନ୍‌ ଠୋସ ରଣନୀତି ତିଆରି କରି ପଦକ୍ଷେପ ନେଇଥିଲା । ଫଳରେ ଦେଶରେ ସଂକ୍ରମଣ ବ୍ୟାପି ନ ଥିଲା ଏବଂ କମ୍‌ ଲୋକ ପ୍ରାଣ ହରାଇଥିଲେ । କିନ୍ତୁ ଏବେ ଦ୍ୱିତୀୟ ଲହରିକୁ ନେଇ ଚୀନ୍‌ ଭୟଭୀତ ହୋଇପଡ଼ିଛି । କରୋନାର ସମ୍ଭାବ୍ୟ ନୂଆ ରୂପ ଅଧିକ ହାନିକାରକ ହୋଇଥିବାରୁ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ, ସେଥିପାଇଁ ଚୀନ୍‌ ଏବେ ସଂଘର୍ଷ କରୁଛି । ସେପଟେ ବିଶ୍ୱର ଅନେକ ଗବେଷକ ଜାଣିବାକୁ ପାଇଛନ୍ତି ଯେ କରୋନା ଭୂତାଣୁ ବିଭିନ୍ନ ରୂପରେ ନିଜକୁ ବଦଳାଇଛି । ପୂର୍ବାପେକ୍ଷା ଏହା ଅଧିକ ସଂକ୍ରାମକ ହୋଇଛି । ଚୀନ୍‌ର ବରିଷ୍ଠ ଅଧିକାରୀମାନେ ଦାବି କରିଛନ୍ତି ଯେ ଦେଶର ଉତ୍ତର ପୂର୍ବ ଅଞ୍ଚଳରେ କରୋନାର ଯେଉଁ ନୂଆ ରୂପ ଠାବ କରାଯାଇଛି, ତାହା ସମ୍ଭବତଃ ରୁଷରୁ ଆସିଛି । ରୁଷରୁ କିଛି ଲୋକ ଆସି ଏଠାରେ ନୂଆ ଭୂତାଣୁ ବାଣ୍ଟିଛନ୍ତି । ରୁଷରେ ଦେଖାଦେଇଥିବା ଭୂତାଣୁ ଏବଂ ଚୀନ୍‌ର ଉତ୍ତର ପୂର୍ବରେ ମିଳିଥିବା ଭୂତାଣୁ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି ବୋଲି କ୍ୟୁ ଦାବି କରିଛନ୍ତି ।


Share It

Comments are closed.