ଲକଡ଼ାଉନ ସମୟରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସର ରେକର୍ଡ଼ ସଂଖ୍ୟକ ସେବା
ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଗତ ଦୁଇମାସଧରି ରାଜ୍ୟରେ ଲକଡ଼ାଉନ ବଳବତର ରହିଥିବାବେଳେ ରୋଗୀଙ୍କ ସେବାରେ ସଦା ସମର୍ପିତ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ତାର ନିରନ୍ତର ସେବା ଜାରୀ ରଖିଛି । ଏହି ସମୟରେ ଅନେକ ଗାଡ଼ି ମଟର ବନ୍ଦ ରହିଥିବାବେଳେ ରୋଗୀ ମାନଙ୍କୁ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ନିରନ୍ତର ସେବା ଯୋଗାଇ ଆସିଛି । ତଥ୍ୟ ଅନୁଯାୟୀ ଗତ ଦୁଇମାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ଜରିଆରେ ସର୍ବାଧିକ ଲୋକ ସେବା ପାଇଛନ୍ତି ଏବଂ ଅନୁଗୁଳ ଜିଲ୍ଲାରେ ୧୦୨ ଆମ୍ବୁଲାନ୍ସ ଜରିଆରେ ସର୍ବାଧିକ ଗର୍ଭବତୀ ମହିଳା ଏବଂ ଶିଶୁ ସେବା ପାଇପାରିଛନ୍ତି ।
ସୂଚନା ଅନୁଯାୟୀ ସର୍ବାଧିକ ୧୦୮ ସେବା ପାଇବାରେ ରାଜ୍ୟରେ ୩ଟି ଜିଲ୍ଲା ଗୁଡ଼ିକ ଯଥାକ୍ରମେ ମୟୁରଭଞ୍ଜ, କଟକ ଏବଂ ଖୋର୍ଦ୍ଧା ରହିଥିବାବେଳେ ସର୍ବାଧିକ ୧୦୨ ଆମ୍ବୁଲାନ୍ସ ସେବା ପାଇବାରେ ୩ଟି ଜିଲ୍ଲା ଯଥାକ୍ରମେ ଅନୁଗୁଳ, ବାଲେଶ୍ୱର ଏବଂ ବରଗଡ଼ ରହିଛି । ମାର୍ଚ ଏବଂ ଏପ୍ରିଲ ମାସରେ ୧୦୮ ଆମ୍ବୁଲାନ୍ସ ଜରିଆରେ ମୟୁରଭଞ୍ଜ ଜିଲ୍ଲାରେ ଯଥାକ୍ରମେ ୪୫୭୧ ଏବଂ ୪୧୯୬ ଜଣ ରୋଗୀ ହସପିଟାଲକୁ ସ୍ଥାନାନ୍ତର ହୋଇଥିବାବେଳେ ଉକ୍ତ ଜିଲ୍ଲାରେ ସମୁଦାୟ ୩୪ଟି ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । କଟକ ଜିଲ୍ଲାରେ ୨୬ଟି ୧୦୮ଆମ୍ବୁଲାନ୍ସ କାର୍ଯ୍ୟ କରୁଥିବାବେଳେ ମାର୍ଚ ଏବଂ ଏପ୍ରିଲ ମାସରେ ଏହା ଜରିଆରେ ଜିଲ୍ଲାରେ ଯଥାକ୍ରମେ ୩୯୨୩ ଏବଂ ୩୬୦୭ ଜଣ ରୋଗୀ ସ୍ଥାନାନ୍ତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୨୩ଟି ୧୦୮ ଆମ୍ବୁଲାନ୍ସ ରହିଥିବାବେଳେ ଏହା ଜରିଆରେ ମାର୍ଚ ଏବଂ ଏପ୍ରିଲ ମାସରେ ଯଥାକ୍ରମେ ୩୮୯୯ ଏବଂ ୩୫୫୩ ଜଣ ରୋଗୀ ସେବା ପାଇପାରିଛନ୍ତି ।
ସେହିପରି ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ୧୦୨ ଆମ୍ବୁଲାନ୍ସ ଅନୁଗୁଳରେ ୧୬ଟି କାର୍ଯ୍ୟ କରୁଥିବାବେଳେ ଉକ୍ତ ଜିଲ୍ଲାରେ ମାର୍ଚ ଏବଂ ଏପ୍ରିଲ ମାସରେ ଯଥାକ୍ରମେ ୧୩୧୧ ଏବଂ ୧୪୮୯ ଜଣଙ୍କୁ ଉକ୍ତ ସେବା ମିଳିପାରିଛି । ଠିକ୍ ସେହିପରି ବାଲେଶ୍ୱରରେ ୨୯ଟି ୧୦୨ ଆମ୍ବୁଲାନ୍ସ ରହିଥିବାବେଳେ ଏହି ସେବା ଜରିଆରେ ଜିଲ୍ଲାରେ ମାର୍ଚ ଏବଂ ଏପ୍ରିଲ ମାସରେ ଯଥାକ୍ରମେ ୨୯୪୨ ଏବଂ ୩୩୫୭ ଜଣ ସେବା ପାଇପାରିଛନ୍ତି । ବରଗଡ଼ ଜିଲ୍ଲାରେ ସମୁଦାୟ ୧୫ଟି ୧୦୨ ଆମ୍ବୁଲାନ୍ସ ମାଧ୍ୟମରେ ମାର୍ଚ ଏବଂ ଏପ୍ରିଲ ମାସରେ ୧୪୪୪ ଜଣ ଏବଂ ୧୫୪୮ ଜଣ ହସପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ।
Comments are closed.