ଦିଲ୍ଲୀ ପରେ ଆନ୍ଧ୍ର ପ୍ରଦେଶରେ ବଢିଲା ମଦ ଦର

Share It

ଦିଲ୍ଲୀ ପରେ ଆନ୍ଧ୍ରରେ ବଢ଼ିଲା ମଦ ଦର । ଆନ୍ଧ୍ର ପ୍ରଦେଶ ସରକାର ମଦ ଦରରେ ଆଜି ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଫଳରେ ମଦ ଦରରେ ସର୍ବମୋଟ ୭୫ ପ୍ରତିଶତ ବୃଦ୍ଧି ହୋଇଛି । ନୂଆ ଦର ଆଜି ଅପରାହ୍ନରୁ ଲାଗୁ ହୋଇଛି । ତେବେ ମଦ୍ୟପାନରୁ ଲୋକଙ୍କୁ ନିରୁତ୍ସାହିତ କରିବା ପାଇଁ ଦର ବୃଦ୍ଧି କରାଯାଇଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଗତକାଲି ମଦ ବିକ୍ରି ଉପରେ ୭୦ ପ୍ରତିଶତ କୋରୋନା ଫିସ୍ ଲଗାଇଥିଲେ ଦିଲ୍ଲୀ ସରକାର । ଲକଡାଉନ୍ ୩.o ଆରମ୍ଭ ହେବା ସହ ସର୍ତ୍ତମୂଳକ ଭାବେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ତେବେ ଦୋକାନ ଖୋଲୁ ଖୋଲୁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଭିଡ଼ କମାଇବା ସହ ରାଜସ୍ୱ ବୃଦ୍ଧି ଲକ୍ଷ୍ୟ ନେଇ ଦିଲ୍ଲୀ ସରକାର ପ୍ରଥମେ ମଦ ଉପରେ କୋରୋନା ଫିସ୍ ଲଗାଇଛନ୍ତି । ଏମଆରପି ଉପରେ ଏହି ୭୦ ପ୍ରତିଶତ ସ୍ପେଶାଲ କୋରୋନା ଶୁଳ୍କ ଲାଗିଛି । ଅର୍ଥାତ ୧୦୦ ଟଙ୍କାର ମଦ ପାଇଁ ଏବେ ୧୭୦ ଟଙ୍କା ଗଣିବାକୁ ପଡ଼ିବ ।

ଦର ବୃଦ୍ଧି ସର୍ତ୍ତ୍ୱେ ଆଜି ମଧ୍ୟ ଦିଲ୍ଲୀରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଆପଣଙ୍କ ଭିତରେ ପ୍ରଶ୍ନ ଉଠୁଥିବ, ଦର ବୃଦ୍ଧି ସତ୍ତ୍ୱେ ଲମ୍ବା ଲାଇନ୍ କାହିଁକି ? ଗତ ୪୦ ଦିନ ହେଲା ଲକଡାଉନ୍ ଯୋଗୁ ଦେଶର ପ୍ରତ୍ୟେକ ମଦ ଦୋକାନ ବନ୍ଦ ରହିଥିଲା । ଫଳରେ ଦୀର୍ଘ ଦିନ ଧରି ମଦ ପିଇବା ସମ୍ଭନ ହୋଇନଥିଲା । ଆଉ ଏବେ ମଦ ଦୋକାନ ଖୋଲିଥିବାରୁ ଯେକୌଣସି ମତେ କିଣିବା ପାଇଁ ଚାହୁଁଛନ୍ତି ଗ୍ରାହକ । ସୋମବାର ୫ ରାଜ୍ୟରେ ୫୫୪ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ଲକଡାଉନ୍ ୩.oର ପ୍ରଥମ ଦିନରେ ଦେଶର ୭୩୬ ଜିଲ୍ଲାରୁ ପାଖାପାଖି ୬ ଶହ ଜିଲ୍ଲାରେ ଦୋକାନ ଖୋଲିଥିଲା । ତେବେ ସବୁଠୁ ଅଧିକ ଭିଡ଼ ମଦ ଦୋକାନରେ ଦେଖିବାକୁ ମିଳୁଛି । ଗତକାଲି ଉତ୍ତରପ୍ରଦେଶରେ ୨୨୫ କୋଟି, ମହାରାଷ୍ଟ୍ରରେ ୨ଶହ କୋଟି, ରାଜସ୍ଥାନରେ ୫୯ କୋଟି, କର୍ଣ୍ଣାଟକରେ ୪୫ କୋଟି ଏବଂ ଛତିଶଗଡ଼ରେ ୨୫ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ଜଣାପଡ଼ିଛି ।


Share It

Comments are closed.