ବାପା ହେବାର ସୌଭାଗ୍ୟ ଅର୍ଜନ କଲେ ବୋରିସ ଜନସନ
ଗୁରୁତର କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସୋମବାର କାର୍ଯ୍ୟରେ ଯୋଗ ଦେଇଥିବା ୫୫ବର୍ଷୀୟ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବୁଧବାର ଏକ ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ଜନସନ୍ଙ୍କ ୩୨ବର୍ଷୀୟା ବାନ୍ଧବୀ କ୍ୟାରୀ ସିମଣ୍ଡସ୍ ବୁଧବାର ପୂର୍ବାହ୍ନରେ ସୁସ୍ଥ ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଜନସନ୍ଙ୍କର ପୂର୍ବରୁ ୫ ସନ୍ତାନ ଅଛନ୍ତି। ପ୍ରଥମ ପତ୍ନୀଙ୍କଠାରୁ ଗୋଟିଏ ଥିବାବେଳେ ୨୦୧୮ରେ ଛାଡ଼ପତ୍ର ପାଇଥିବା ଦ୍ୱିତୀୟ ପତ୍ନୀ ମାରିନା ୱିଲରଙ୍କଠାରୁ ୪ ସନ୍ତାନ ଜନ୍ମ ହୋଇଛନ୍ତି। ସିମଣ୍ଡସ୍ଙ୍କ ସହିତ ୨୦୧୯ ଆରମ୍ଭରୁ ଜନସନ୍ଙ୍କର ପ୍ରେମ ସମ୍ପର୍କ ରହିଆସିଛି। ସିମଣ୍ଡସ୍ ହେଉଛନ୍ତି କଞ୍ଜରଭେଟିଭ୍ ପାର୍ଟିର ପୂର୍ବତନ ଯୋଗାଯୋଗ ମୁଖ୍ୟ। ଗତ ଫେବୃଆରୀରେ ଉଭୟ ବିବାହ ଓ ସିମଣ୍ଡସ୍ଙ୍କ ମାତୃତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଜନସନ୍ କରୋନା ସଂକ୍ରମିତ ହୋଇ ଦୁଇ ସପ୍ତାହ ଚିକିତ୍ସାଧୀନ ଥିବାବେଳେ ସିମଣ୍ଡସ୍ଙ୍କୁ ଅଲଗା ରଖାଯାଇଥିଲା।
Comments are closed.