ଖରିଫ ଫସଲ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ୱ

Share It

ଭୁବନେଶ୍ୱର : କୃଷି କାର୍ଯ୍ୟକୁ ଆଗେଇ ନେବା ସହ ଖରିଫ ଋଣ ଯୋଗାଣକୁ ତ୍ୱାରନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି । ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାକ୍ଷୀ କ୍ଷୁଦ୍ର ଓ ନାମ ମାତ୍ର ହୋଇଥିବାରୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । କୋଭିଡ-୧୯କୁ ଦୃଷ୍ଟିରେ ରଖି ପ୍ୟାକସ୍ ଓ ଲ୍ୟାମ୍ପସ ଗୁଡିକରେ ସାମାଜିକ ଦୂରତ୍ୱ ଓ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ଚଳିତ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ କ୍ଷେତ୍ର ମାଧ୍ୟମରେ ୭୫୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଚାଷୀମାନଙ୍କୁ ଠିକଣା ଋଣ ଯୋଗାଇଦେବା ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଖରିଫ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପତ୍ର ଲେଖାଯାଇଛି । ରାଜ୍ୟରେ ମୋଟ ଫସଲ ଋଣ ପ୍ରଦାନ ୬୫ରୁ ୬୮ ପ୍ରତିଶତ ସମବାୟ ସଂସ୍ଥା ସମ୍ପାଦିତ ହୋଇଥାଏ । ଗତ ଖରିଫ ୨୦୧୯ ଋତୁରେ ସମବାୟ ସଂସ୍ଥାଗୁଡିକ ଧାର୍ଯ୍ୟ ଲକ୍ଷ୍ୟ ୭୦୦ କୋଟି ମଧ୍ୟରୁ ରାଜ୍ୟରେ ୧୭,୯୧,୮୯୮ ଜଣ ଚାଷୀଙ୍କୁ ମୋଟ ୭୩୩୦.୫୬ କୋଟି ଟଙ୍କା ଫସଲ ଋଣ ଯୋଗଇ ଦେଇଥିôଲେ । ତେଣୁ ଚଳିତ ଖରିଫରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ସଭ୍ୟମାନଙ୍କୁ ଫସଲ ଋଣ ଯୋଗାଇଦେବା ନିମନ୍ତେ ଫଳପ୍ରଦ କାର୍ଯ୍ୟ ଖସଦା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।
ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀମାନଙ୍କୁ ଫସଲ ଋଣରେ ବ୍ୟାପକ ରିହାତି ଯୋଗାଇ ଦିଆଯାଉଥିବା ଦୃଷ୍ଟିରୁ ହିତାଧିକାରୀ ଚାଷୀମାନଙ୍କ ଆଧାର କାର୍ଡ ନମ୍ବର ସଂଗ୍ରହ ଏବଂ ଏହାକୁ କିଷାନ କ୍ରେଡିଟ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି । ଏବଂ ମଞ୍ଜୁରୀପ୍ରାପ୍ତ ଋଣ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ହସ୍ତାନ୍ତର କରାଯିବ । ଏଥିରେ ଖିଲାଫ ହେଲେ ତାହା ବେନିୟମ ବୋଲି ବିବେଚନା କରାଯିବ ।
କରୋନା ଭାଇରସ ସଂକ୍ରମଣ ଯୋଗୁଁ ରାଜ୍ୟ ସମେତ ଦେଶରେ ଲକଡାଉନ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ପ୍ୟାକସ ଏବଂ ଲ୍ୟାମ୍ପଗୁଡିକୁ ସ୍ୱଳ୍ପମିଆଦୀ କୃଷି ଋଣ ଅନୁମୋଦନ ଏବଂ ପ୍ରଦାନ ଅଫଲାଇନ ମାଧ୍ୟମରେ କରିବା ନିମନ୍ତେ ଅନୁମତି ଦିଆଯାଇଛି । ଏହି ଖରିଫ ୨୦୨୦ ଋତୁ ଶେଷ ୩୦.୯.୨୦୨୦ ପର୍ଯ୍ୟନ୍ତ କରାଯାଇପାରିବ । ଋଣ ଅନୁମୋଦନ ଓ ପ୍ରଦାନ ସମୟରେ ପ୍ୟାକସ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖାଗୁଡିକରେ ସାମାଜିକ ନିୟମକୁ କଡାକଡି ଭାବେ ପାଳନ କରାଯିବ । ପାଞ୍ଚଜଣରୁ ଅଧିକ ଏକତ୍ରିତ ହୋଇ ପାରିବେ ନାହିଁ । ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ । ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଇ ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପଇଠ କରୁଥିବା ଚାଷୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ୫୦,୦୦୦ ଟଙ୍କାରୁ ଅଧିକ ଏବଂ ୩ ଲକ୍ଷ ଟଙ୍କା ମଧ୍ୟରେ ଋଣ ନେଇ ସମୟ ସୀମା ମଧ୍ୟରେ ଋଣ ପଇଠ କଲେ ୨ ପ୍ରତିଶତ ସୁଧ ଦେବାକୁ ପଡିବ ।


Share It

Comments are closed.