ଦେଶରେ ଏକକାଳୀନ ୩ ମାସର ଆଗୁଆ ରାସନ୍ ଯୋଗାଇବାରେ ଓଡିଶା ଅଗ୍ରଣୀ ରାଜ୍ୟ – ରାଜା ସ୍ୱାଇଁ

Share It

ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣ (କୋଭିଡ-୧୯)କୁ ପ୍ରତିହତ କରିବା ପାଇଁ ସାରା ଦେଶ ସମେତ ରାଜ୍ୟରେ ଲକ୍‌ଡାଉନ ବଳବତ୍ତର ରହିଥିବା ପରିପ୍ରେକ୍ଷୀରେ ଜନସାଧାରଣଙ୍କର ଖାଦ୍ୟ ସୁରକ୍ଷାକୁ ସୁନଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ ଓ ଯୋଗାଣକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଇଚ୍ଚସ୍ତରୀୟ ସଚିବସ୍ତରୀୟ କମିଟି ପ୍ରତ୍ୟେକ ସ୍ତରରେ ଚବିଶ ଘଣ୍ଟିଆ ତଦାରଖ କରୁଛି । ଏହା ଦ୍ୱାରା ରାଜ୍ୟର ଖାଉଟିମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ ହୋଇପାରୁଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ସରକାରଙ୍କ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଡଧାରୀମାନଙ୍କୁ ଆଗୁଆ ୩ ମାସର ରାସନ ସାମଗ୍ରୀ ଏକକାଳୀନ ଯୋଗାଇ ଦିଆଯାଇଛି । ସାରା ଦେଶରେ ଏକକାଳୀନ ଅଗ୍ରୀମ ୩ ମାସର ସାମଗ୍ରୀ ଯୋଗାଇଦେବାରେ ଓଡିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ଏପ୍ରିଲ, ମେ ଓ ଜୁନ ମାସର ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଆବଣ୍ଟିତ ସମସ୍ତ ୫.୬୫ ଲକ୍ଷ ମେଟ୍ରିକଟନ ଚାଉଳ ଓ ଗହମ ଉଠାଣ କରାଯାଇ ସୁଲଭ ମୂଲ୍ୟ ଦୋକାନଗୁଡିକୁ ଯୋଗାଇ ଦିଆଯାଇଛି । ଆଜି ସୁଦ୍ଧା ରାଜ୍ୟର ମୋଟ ୮୮ ଲକ୍ଷ ୭୧ ହଜାର ୬୧୪ ଜଣ କାର୍ଡଧାରୀଙ୍କୁ ଆଗୁଆ ତ୍ରୈମାସିକ ରାସନ ଯୋଗାଇ ଦିଆଯାଇଛି ଯାହା ମୋଟ ରାସନ କାର୍ଡଧାରୀଙ୍କ ସଂଖ୍ୟାର ୯୪.୭ ପ୍ରତିଶତ ।

ସେହପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ମୁଣ୍ଡପିଛା ୫ କେଜି ଚାଉଳ ୩ ମାସ ପାଇଁ ଏବଂ କାର୍ଡପିଛା ଏକ କେଜି ହରଡ ଡାଲି ତିନି ମାସ ଯୋଗାଇ ଦିଆଯାଉଛି । ଏଥ ନିମନ୍ତେ ଆଜି ସୁଦ୍ଧା ୨ ଲକ୍ଷ ୬୬ ହଜାର ମେଟ୍ରିକ ଟନ ଚାଉଳ ଉଠାଣ ସରିଛି । ଯାହାକି ମୋଟ ପରିଣାମ ୫୪.୫ ପ୍ରତିଶତ ଅଟେ । ଆଜି ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୧୨ ଲକ୍ଷ ୧୨ ହଜାର ୩୩୮ ଜଣ କାର୍ଡଧାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩ ମାସ ପାଇଁ ଚାଉଳ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି । କରୋନା ଭାଇରସ ସଂକ୍ରମଣ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ରାସନ କାର୍ଡଧାରୀ ପିଛା ନଗଦ ରିଲିଫ ଆକାରରେ ୧୦୦୦ ଟଙ୍କା ଯୋଗାଇ ଦିଆଯାଉଛି । ଆଜି ପର୍ଯ୍ୟନ୍ତ ଏହି ବାବଦରେ ୯୧ ଲକ୍ଷ ୧ ହଜାର ୭୪୩ଜଣ କାର୍ଡଧାରୀଙ୍କୁ ମୋଟ ୯୧୦ କୋଟି ୧୭ ଲକ୍ଷ ୪୩ ହଜାର ଟଙ୍କା ବଣ୍ଟନ କରାଯାଇଛି ।


Share It

Comments are closed.