ଅଯୋଧ୍ୟା- ବାରଣାସୀ ଯାତ୍ରାରେ ଗଲେ ୭୭୫ ଜଣ ବରିଷ୍ଠ ନାଗରିକ
ଆମର ଆସ୍ଥା ଓ ଧାର୍ମିକ ଅସ୍ମିତାର ପରିଚୟ ହେବ ଏହି ଯୋଜନା – ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଓଡ଼ିଶା ଓ ଉତ୍ତରପ୍ରଦେଶର ସାଂସ୍କୃତିକ ବିନିମୟ ବିକଶିତ ଭାରତର ସ୍ଵପ୍ନ ପୂରଣ କରିବ – ଉତ୍ତରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜୟବୀର ସିଂ
ଭୁବନେଶ୍ୱର, ତା୧୯/୦୩/୨୦୨୫ :ବରିଷ୍ଠ ନାଗରିକମାନଙ୍କ ଧାର୍ମିକ ଆକାଂକ୍ଷା ପୂରଣ କରିବା ନିମନ୍ତେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଏକ ଅନନ୍ୟ କାର୍ଯକ୍ରମ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସପ୍ତମ ପର୍ଯ୍ୟାୟରେ ୬ ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା ରୁ ୭୭୫ ଜଣ ତୀର୍ଥଯାତ୍ରୀମାନେ ଅୟୋଧ୍ୟା ଓ ବାରଣାସୀ ଯାତ୍ରା କରି ଶ୍ରୀ ରାମଲାଲଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ସପ୍ତମ ପର୍ଯ୍ୟାୟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି। ଆଜି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରେଳବାଇର ସହଭାଗିତାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ସପ୍ତମ ପର୍ଯ୍ୟାୟରେ ୭୭୫ ଜଣ ବରିଷ୍ଠ ନାଗରିକ ଓ ୨୫ ଜଣ ପ୍ରଶାସନିକ ଅଧିକାରୀ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଉତ୍ତରପ୍ରଦେଶର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜୟବୀର ସିଂ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଏହି ଯାତ୍ରା ଉତ୍ତରପ୍ରଦେଶ ଓ ଓଡ଼ିଶାର ସଂସ୍କୃତି ବିନିମୟ କାର୍ଯ୍ୟକ୍ରମକୁ ତ୍ଵରାନିତ କରିବ । ଉତ୍ତରପ୍ରଦେଶରେ ଅନୁଷ୍ଠିତ ମହାକୁମ୍ଭରେ ଓଡ଼ିଶାର ବହୁ ଶ୍ରଦ୍ଧାଳୁ ଭକ୍ତି ଓ ବିଶ୍ୱାସରେ ବୁଡ ମାରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ଉତ୍ତରପ୍ରଦେଶ ଓ ଓଡ଼ିଶାର ସଂସ୍କୃତିର ବିକାଶରେ ବିକଶିତ ଭାରତ ୨୦୪୭ ର ସ୍ୱପ୍ନ ପୂରଣ ହେବ ବୋଲି ସେ ଦୃଢ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇ କହିଲେ ଯେ ମନରେ ସ୍ଵପ୍ନ ଦେଖୁଥିବା ଓ ଆର୍ଥିକ ସମସ୍ୟା ଦେଇଯାଉଥିବା ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ସୁଯୋଗ ପ୍ରଦାନ କରିବା ଏକ ଅଭିନବ ଉଦ୍ୟମ । ବରିଷ୍ଠ ନାଗରିକମାନଙ୍କ ଆଶୀର୍ବାଦରେ ବିକଶିତ ଓଡ଼ିଶାର ସ୍ଵପ୍ନ ପୂରଣ ହେଉ ବୋଲି ସେ କାମନା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଓ ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗାପ୍ରସନ୍ନ ନାୟକ ଉପସ୍ଥିତ ଥିଲେ । ଏହା ସହ ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀମତୀ ମାନସୀ ନାମ୍ବିଆ, ଅତିରିକ୍ତ ସଚିବ ଶ୍ରୀ ବାଳମୁକନ୍ଦ ଭୂୟାଁ ଓ ରେଳବାଇର ଅଧିକାରୀ ବୃନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Comments are closed.