ବାରରେ ଆଖିବୁଜା ଗୁଳି ଚାଳନା ୩ ମୃତ, ୧୪ ଆହତ
ଅଷ୍ଟିନ୍: ଆମେରିକାର ଟେକ୍ସାସ ସ୍ଥିତ ଅଷ୍ଟିନ୍ର ଏକ ବାର୍ରେ ରବିବାର ଭୋର ସମୟରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏହି ଅଭାବନୀୟ ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ଅଭିଯୁକ୍ତକୁ ୫୩ ବର୍ଷୀୟ ନନ୍ଦିଆଗା ଦିଆଗ୍ନେ (Ndiaga Diagne) ଭାବେ ଚିହ୍ନଟ କରିଛି। ସେ ସେନେଗାଲରେ ଜନ୍ମିତ ଜଣେ ପ୍ରାକୃତିକ ଆମେରିକୀୟ ନାଗରିକ। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ପ୍ରଥମେ ସେହି ସ୍ଥାନରେ ଗାଡ଼ି ନେଇ କିଛି ସମୟ ବୁଲିଥିଲେ ଏବଂ ପରେ ଗାଡ଼ିରୁ ଓହ୍ଲାଇ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ।
ସହରର ଏକ ଜନଗହଳିପୂର୍ଣ୍ଣ ମନୋରଞ୍ଜନ ଅଞ୍ଚଳରେ ଥିବା ‘ବୁଫୋର୍ଡ’ (Buford) ନାମକ ଏକ ପ୍ରସିଦ୍ଧ ବିୟର ଗାର୍ଡେନ୍ ବାର୍ରେ ଏହି କାଣ୍ଡ ଘଟିଛି। ଗୁଳିକାଣ୍ଡ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ମୁହାଁମୁହିଁ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।

Comments are closed.