ଝାରସୁଗୁଡ଼ା ଡିଏଭି ସ୍କୁଲର ୨୮ ତମ ପ୍ରତିଷ୍ଠା ଉତ୍ସବ ପାଳିତ

Share It

ରକ୍ତଦାନ ଶିବିର ଆୟୋଜନ ସହିତ ବୈଦିକ ସଂସ୍କୃତିର ପ୍ରଗତି ଓ ବିଶ୍ଵ ଶାନ୍ତି ଲାଗି ହୋମଯଜ୍ଞ ଆୟୋଜିତ

ଝାରସୁଗୁଡ଼ା, ୨୪/୦୩/୨୦୨୬ : ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲର ୨୮ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଡିଏଭି କଲେଜ ମ୍ୟାନେଜିଙ୍ଗ କମିଟି ସମ୍ପାଦକ ତଥା ସ୍କୁଲ ମ୍ୟାନେଜିଙ୍ଗ କମିଟି ଚେୟାରମ୍ୟାନ ଡ. ମହେଶ ଚୋପ୍ରା, ଓଡ଼ିଶା ଡିଏଭି ବିଦ୍ୟାଳୟ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଓ ଡିଏଭି ବିଦ୍ୟାଳୟ ସମୂହ ଜୋନ-ସି’ର ଆଞ୍ଚଳିକ ଅଫିସର ତଥା ସ୍କୁଲ ମ୍ୟାନେଜିଙ୍ଗ କମିଟିର ମ୍ୟାନେଜର ଡ. ସୁଜାତା ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ସଭାପତିତ୍ବ କରିବା ସହ ଅତିଥିବର୍ଗଙ୍କ ପରିଚୟ ପ୍ରଦାନ କରାଇଥିଲେ ।

ତାମିଲନାଡୁ ସେଣ୍ଟ୍ରାଲ ୟୁନିଭରସିଟିର ପ୍ରାକ୍ତନ ଉପ-କୁଳାଧିପତି ତଥା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପ୍ରାକ୍ତନ ଉପଦେଷ୍ଟା ତଥା ବୈଜ୍ଞାନିକ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦାନପୂର୍ବକ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବର ଉଦଘାଟନୀ ଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସଫଳ ଶ୍ରେଷ୍ଠ ବ୍ୟକ୍ତିତ୍ୱଙ୍କ ଜୀବନ କାହାଣୀ ଉଦାହରଣ ଦେବା ସହିତ ଦୃଢ଼ ସଂକଳ୍ପ, ଜୀବନ ଲକ୍ଷ୍ୟସିଦ୍ଧତା, ସଂସ୍କାର, ସକାରାତ୍ମକ ଭାବନା ଓ ସଫଳତା ଆଗରୁ ବିଫଳତାର ସ୍ଵାଦ ଆଦି ସମ୍ପର୍କରେ ମୂଳ ମନ୍ତ୍ର ଦେଇଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ଡିଏଭି ପରିବାର ଓ ଶୁଭେଚ୍ଛୁମାନଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ଯହିଁରେ ୧୧୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ଝାରସୁଗୁଡ଼ା ବ୍ଲଡ଼ ବ୍ୟାଙ୍କ ଅଫିସର ଡ. ସିଲୱାନ୍ତି ଜୋଜୋ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡ. ମାଧୁରୀ ପଟେଲ ଓ ଡ଼. ଦେବଶ୍ଲୋକ ଶର୍ମାଙ୍କ ପ୍ରତିନିଧିତ୍ୱରେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ଟିମଦ୍ଵାରା ରକ୍ତ ସଂଗ୍ରହ କରାଯାଇଥିଲା । ବିଦ୍ୟାଳୟର ପ୍ରତିଷ୍ଠା ସଭ୍ୟ, ସମିତି ସଭ୍ୟ, ଶୁଭେଚ୍ଛୁ ଓ ଅଭିଭାବକ ଅଭିଭାବିକାଙ୍କ ଯୋଗଦାନରେ ତଥା ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ଓ ତାଙ୍କ ସହଧର୍ମିଣୀ ସୀମା ଦେବତାଙ୍କ କର୍ତ୍ତୃତ୍ୱରେ ବିଶ୍ଵ ଶାନ୍ତି ଓ ବିଶ୍ୱ ଭାତୃତ୍ଵ ନିମନ୍ତେ ପରିସର ମଧ୍ୟରେ ପଞ୍ଚକୁଣ୍ଡୀୟ ହୋମଯଜ୍ଞ ସହ ବୈଦିକ ଚର୍ଚ୍ଚା ଓ ଆଧ୍ୟାତ୍ମିକ ପ୍ରବଚନର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ସମିତି ସଭ୍ୟ ତାପସ ରାୟ ଚୌଧୁରୀ, ପ୍ରତିଷ୍ଠା ସଭ୍ୟ ଅର୍ଜୁନ ଲାଲ ଅଗ୍ରୱାଲ, ବାଳ ଗୋବିନ୍ଦ ମିଶ୍ର, ଡ. ଦେବଶ୍ଲୋକ ଶର୍ମା, ସମିତି ସଭ୍ୟ ନରେନ୍ଦ୍ର ପଣ୍ଡା, ସମଲେଶ୍ଵରୀ ଡିଏଭି ଅଧ୍ୟକ୍ଷ ଚିନ୍ମୟ ମହାପାତ୍ର, ଇବ ଭ୍ୟାଲି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବୁର୍ଲା ଡିଏଭି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ବେଦବାକ, ବନ୍ଧବାହାଲ ଡିଏଭି ଅଧ୍ୟକ୍ଷ ପ୍ରଦୀପ କୁମାର ହୋତା, ବନହରପାଲି ଅଧ୍ୟକ୍ଷା ଅନିତା ଭାଗ୍ୟରାଜ, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ହରିଲାଲ ପଧାନ, ଘନଶ୍ୟାମ ହେମଲତା ବିଦ୍ୟାଳୟ ଅଧ୍ୟକ୍ଷା ସଂଯୁକ୍ତା ଦାଶ, ସଂସ୍କାର ପବ୍ଲିକ ସ୍କୁଲ ଅଧ୍ୟକ୍ଷ କନ୍ଦର୍ପ ସାହୁ, ସଭ୍ୟା ସୁଚିସ୍ମିତା ଗୁରୁ, ଶୁଭେଚ୍ଛୁ ସୁବ୍ରତ ତ୍ରିପାଠୀ ଓ ବିଜୟ ବେହେରା ପ୍ରମୁଖ ଅତିଥି ଉତ୍ସବରେ ଯୋଗଦାନ କରିଥିଲେ।

ବିଦ୍ୟାଳୟର ବାର୍ଷିକ ମୁଖପାତ୍ର ‘ଡିଏଭି ସେମିନାରୀ’ ମୁଖ୍ୟ ଅତିଥି ପଦ୍ମଶ୍ରୀ ପ୍ରଫେସର ଦାସଙ୍କଦ୍ଵାରା ଉନ୍ମୋଚିତ ହୋଇଥିଲା । ପ୍ରବଳ ମାତ୍ରାରେ ଅଭିଭାବକ ଅଭିଭାବିକା ଓ ଶୁଭେଚ୍ଛୁଙ୍କ ସମାଗମରେ ତଥା ଉତ୍ସାହପୂର୍ଣ୍ଣ ବାତାବରଣରେ ଛାତ୍ରଛାତ୍ରୀମାନଙ୍କଦ୍ଵାରା ଥିମ ଆଧାରିତ ବିଭିନ୍ନ ପ୍ରକାର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ସାଇ ପ୍ରିୟାଂଶୀ ଜେନାଙ୍କୁ ବେଷ୍ଟ କିଡ଼, ଆୟୁଷ ପଟେଲଙ୍କୁ ବେଷ୍ଟ ଭୋଲୁଣ୍ଟିଅର, ବେଦୁଲା ରିତିକା ଶଙ୍କରଙ୍କୁ ଲିଟରାରୀ, ଅନୁରାଗ ଝାଙ୍କୁ ଷ୍ଟୁଡେଣ୍ଟ ଅଫ ଦ ୟର ଓ ସବିତା ଭୂୟାଁଙ୍କୁ ବେଷ୍ଟ ସିଙ୍ଗର ଏୱାର୍ଡ ପ୍ରଦାନ କରାଯାଇଥିଲା ।

ଡିଏଭି କଲେଜ ମ୍ୟାନେଜିଙ୍ଗ କମିଟି ସମ୍ପାଦକ ତଥା ସ୍କୁଲ ମ୍ୟାନେଜିଙ୍ଗ କମିଟି ଚେୟାରମ୍ୟାନ ଡ. ମହେଶ ଚୋପ୍ରା, ଓଡ଼ିଶା ଡିଏଭି ବିଦ୍ୟାଳୟ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଓ ଡିଏଭି ବିଦ୍ୟାଳୟ ସମୂହ ଜୋନ-ସି’ର ଆଞ୍ଚଳିକ ଅଫିସର ତଥା ସ୍କୁଲ ମ୍ୟାନେଜିଙ୍ଗ କମିଟିର ମ୍ୟାନେଜର ଡ. ସୁଜାତା ସାହୁ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସାମିଲ ହୋଇଥିବା ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଓ ଅନ୍ୟ ସମସ୍ତ ସଦସ୍ୟଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଅଲେଖ ବିହାରୀ ସାହୁ ଓ ଡ. ମଞ୍ଜୁଶ୍ରୀ ବେଦୁଲା ସଭା ସଂଯୋଜନା କରିଥିବାବେଳେ ନୀଳିମା ପଟେଲ ଉପସ୍ଥିତ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ ।


Share It

Comments are closed.