୨୧ତମ ଧଉଳୀ କଳିଙ୍ଗ ମହୋତ୍ସବ ୨୦୨୫ ଉଦ୍ଘାଟିତ
ଭୁବନେଶ୍ୱର: ଐତିହାସିକ ଧଉଳୀର ପାଦଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟ ଭିଜନ୍ ଦ୍ୱାରା ଆୟୋଜିତ ୨୧ତମ ଧଉଳୀ କଳିଙ୍ଗ ମହୋତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଧଉଳି ଶାନ୍ତିସ୍ତୁପର ପାଦଦେଶରେ ଉଦ୍ଘାଟିତ ହୋଇଯାଇଅଛି । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଝଙ୍କୃତ ହେବ ନୃତ୍ୟ ଓ ସଙ୍ଗୀତର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା । ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, କଳା, ସଂସ୍କୃତି, ଐତିହ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରିବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ । ଭାରତୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରାରେ ସମ୍ପୃକ୍ତ ଥିବା ୨୦୦ରୁ ଅଧିକ କଳାକାରମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ଏହାର ବିବିଧତା ମଧ୍ୟରେ ଏକତାକୁ ପାଳନ କରିବେ । ଏହି ଧଉଳୀ କଳିଙ୍ଗ ମହୋତ୍ସବର ସିଧାପ୍ରସାରଣ ଡ଼ିଡ଼ି-ଭାରତୀ ଏବଂ ପୁନଃ ପ୍ରସାରଣ ଡ଼ିଡ଼ି-ଓଡ଼ିଆ ଚେନାଲରେ କରାଯାଉଅଛି ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ଘୋଷିତ ହୋଇଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟସାଧକ ଗୁରୁ ଦୁର୍ଗା ଚରଣ ରଣବୀରଙ୍କୁ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍ଘାଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା କଟକର ଗୁରୁ (ଡକ୍ଟର) ଜ୍ୟୋତ୍ସା ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ ସୁରମନ୍ଦିରର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ଗଣେଶମ୍ ଯାହା ରାଗ ରାଗମାଳିକା ଓ ତାଳ ଖରୱା ଉପରେ ନିବଦ୍ଧ ଥିଲା ପରେ ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା ବର୍ଷାଭିଷାର ଯାହା ରାଗ ମାଳିକା ଓ ତାଳ ମାଳିକା ଉପରେ ପର୍ଯ୍ୟବେସିତ ଥିଲା ଯାହାର ସଙ୍ଗୀତ ସଂଯୋଜନା ଗୁରୁ ଅଗ୍ନିମିତ୍ର ବେହେରା, ତାଳ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଓ ନୃତ୍ୟ ସଂରଚନା ଗୁରୁ ଜ୍ୟୋତ୍ସା ସାହୁ କରିଥିଲେ ।
ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଭାରତନାଟ୍ୟମ୍ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ମୁମ୍ବାଇରୁ ଆସିଥିବା ଗୁରୁ ପବିତ୍ର ଭଟ୍ଟଙ୍କ ଦ୍ୱାରା ପ୍ରତିଷ୍ଠିତ ପବିତ୍ର ଆର୍ଟ ଭିଜୁଆଲ୍ ଇନ୍ଷ୍ଟିଚ୍ୟୁଟର ଶିଳ୍ପୀମାନେ । ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ଅଲାରିପୁ ଓ ଗଣେଶସ୍ତୁତି ସହ ମେଲାପ୍ରପ୍ତି ପରେ ପରେ ନଟନମ୍ ଆଦିନାର ଓ ଶେଷରେ ତିଲନା ପରିବେଷଣ କରିଥିଲେ । ଶିଳ୍ପୀମାନଙ୍କର ଏହି ମନୋରମ ଉପସ୍ଥାପନରେ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ ।
ସନ୍ଧ୍ୟାର ଶେଷ ପରିବେଷଣ ଥିଲା ପୁରୀର ଗୁରୁ ଜ୍ଞାନରଞ୍ଜନ ମହାନ୍ତି ଓ ସାଥୀଙ୍କ ଦ୍ୱାରା ମଲ୍ଲଖମ୍ବ (ଫତେ ଫାଇଟର୍) ନୃତ୍ୟ । ସେମାନେ ଭଗବାନ ଗଣେଶଙ୍କ ଜନ୍ମ ସମ୍ପର୍କିତ ଏକ କାହାଣୀ ଶିବଗଣେଶ ପରିବେଷଣ କରିଥିଲେ । ମଲ୍ଲଖମ୍ବ ଶବ୍ଦଟି ଦୁଇଟି ଶବ୍ଦର ମିଶ୍ରଣରୁ ଆସିଛି – ମଲ୍ଲ ଅର୍ଥ ମଲ୍ଲଯୋଦ୍ଧା ଏବଂ ଖମ୍ବ ଅର୍ଥ ମେରୁ । ଏହା ସମରକଳାର ଏକ ପାରମ୍ପାରିକ ନୃତ୍ୟ । ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଏହି ମଲ୍ଲଖମ୍ବ ନୃତ୍ୟ ଅତ୍ୟନ୍ତ ଚିତାକର୍ଷକ ଓ ରୋମାଞ୍ଚକ ଥିଲା ।
ଉଦ୍ଘାଟନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଭୁବନେଶ୍ୱର ଏକାମ୍ରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ବିଶିଷ୍ଟ ସଙ୍ଗିତଜ୍ଞ ତଥା ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ (ପ୍ରଫେସର) ରାମହରୀ ଦାସ, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ ଦାସ, ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ସାହୁ, ବିଶିଷ୍ଟ ନୃତ୍ୟ ସଂରଚକ ଶ୍ରୀଯୁକ୍ତ ଜନାର୍ଦ୍ଦନ ରାଜୁୟରର୍ସ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦିକା ଗୁରୁ (ଡକ୍ଟର) ଅରୁଣା ମହାନ୍ତି । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ଆଲାମ ।
Comments are closed.