ମେ’ ପହିଲାରୁ ଯୁବ ବର୍ଗଙ୍କୁ ଦିଆଯିବ ଟୀକା, ଆସନ୍ତା ୨୮ରୁ ଆରମ୍ଭ ହେବ ପଞ୍ଜୀକରଣ

Share It

ରାଜ୍ୟରେ କରୋନା ଲମ୍ବା ପାହୁଣ୍ଡ ପକାଇ ମାଡ଼ି ମାଡ଼ି ଚାଲିଛି । ଏଭଳି ସ୍ଥିତିରେ ଆସନ୍ତା ପହିଲାରୁ ରାଜ୍ୟରେ ସାବାଳକମାନଙ୍କ ଟିକାକରଣ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକା ମିଳିବ ବୋଲି ଘୋଷଣା କରିଛନ୍ତି । ଏବେ ଟିକାକେନ୍ଦ୍ରରେ ଭିଡ଼କୁ ଦେଖି ଆଗକୁ ଭିଡ଼ ବଢ଼ିପାରେ । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତିକୁ ଅଧିକ ବ୍ୟାପକ କରୁଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ତେବେ ରାଜ୍ୟ ସରକାର ଟିକା ଅର୍ଡର କରିଛନ୍ତି । ଟିକା ଉପଲବ୍ଧ ହେବା ପରେ ସରକାର ଏ ଦିଗରେ ଚୂଡ଼ାନ୍ତ ପଦକ୍ଷେପ ନେବେ । ତେବେ ଏଥିପାଇଁ ପଞ୍ଜୀକରଣ ଆଗୁଆ କରିବାକୁ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ପ୍ରଥମ ୨ଟି ପର୍ଯ୍ୟାୟ ଟିକାକରଣ ଶେଷ ହେବାକୁ ଯାଉଛି । ଆସନ୍ତା ମେ’ ପହିଲାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯିବ ଟିକା । ଆସନ୍ତା ୨୮ ତାରିଖରୁ ଏଥିପାଇଁ ଆରମ୍ଭ ହେବ ନାମ ପଞ୍ଜୀକରଣ । ଟିକାକରଣ ନିମନ୍ତେ କୋ-ୱିନ୍‌ ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣ କରିହେବ । ପଞ୍ଜୀକରଣ ପରେ ସଂପୃକ୍ତ ବ୍ୟକ୍ତିଙ୍କ ମୋବାଇଲ୍‌ ନମ୍ବରକୁ ପଞ୍ଜୀକରଣ ସଂପର୍କିତ ମେସେଜ୍‌ ଯିବ । ଏହାପରେ ଟିକାର ଉପଲବ୍ଧତାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଆସିବାକୁ କୁହାଯିବ । ଏଥିନିମନ୍ତେ ସ୍ଲଟ ବୁକିଂ କରାଯିବ । କିଏ, କେଉଁଠି, କେତେବେଳେ ଟିକା ନେବେ ସେନେଇ ମେସେଜ ଦିଆଯିବ । ଟିକା ନେବା ଦିନ ପରିଚୟପତ୍ର ସାଙ୍ଗରେ ନେଇ ଗଲେ ଟିକା ମିଳିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଏ ଗ୍ରୁପରେ ପ୍ରାୟ ୨ କୋଟି ଲୋକ ଟିକା ନେବେ । ରାଜ୍ୟ ସରକାର ୩ କୋଟି ୭୭ ଲକ୍ଷ ଲକ୍ଷ କୋଭିସିଲ୍ଡ ଏବଂ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ୍‌ ଟିକା କିଣିବାକୁ ଅର୍ଡର ଦେଇଛନ୍ତି । ମାତ୍ର ଟିକା ମିଳିବା ପରେ ଅଭିଯାନ ବ୍ୟାପକ ହେବ । ଏଥିପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ ପ୍ରସ୍ତୁତ ହୋଇଛି । ଟିକାକରଣ କେନ୍ଦ୍ର ଅଧିକ ବଢ଼ିବ । ତେବେ କେବଳ ସରକାରୀ କେନ୍ଦ୍ରରେ ମାଗଣା ଟିକା ମିଳିବ । ବେସରକାରୀ ଡାକ୍ତରଖାନାରେ ଯେଉଁମାନେ ନେବେ ସେମାନଙ୍କୁ ଧାର୍ଯ୍ୟ ମୂଲ୍ୟ ଦେବାକୁ ହେବ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଏବେ ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ଏଯାଏ ୫୫ ଲକ୍ଷ ୫୦ ହଜାର ୩୮୦ ଜଣଙ୍କୁ ଟିକା ଦିଆଯାଇଛି । ଆଜି ୫୪୦ କେନ୍ଦ୍ରରେ ଟିକାକରଣ ଚାଲିଛି । ରାଜ୍ୟରେ କୋଭିସିଲ୍ଡ ଟିକା ୨.୦୫ ଲକ୍ଷ ଓ କୋଭାକ୍ସିନ ଟିକା ୩.୭ ଲକ୍ଷ ମହଜୁଦ ଅଛି । ଏଥିରେ ମାତ୍ର ୨ ଦିନ ଟିକାକରଣ ପ୍ରକ୍ରିୟା ଚାଲିପାରିବ । ପ୍ରତିଦିନ ପ୍ରାୟ ୯୦ରୁ ୧୦୦ ପ୍ରାଇଭେଟ ହସ୍ପିଟାଲରେ ଟିକାକରଣ ହେଉଛି । ଅବଶିଷ୍ଟ ସରକାରୀ କେନ୍ଦ୍ରରେ ଟିକାକରଣ ଚାଲିଛି ।

ସରକାର ସ୍ପଷ୍ଟ କରିଛନ୍ତି, କରୋନା ଟିକାର ପ୍ରଥମ ଡୋଜ ଘରୋଇ ହସ୍ପିଟାଲରୁ ନେଇଥିବା ବ୍ୟକ୍ତି ଚାହିଁଲେ ଦ୍ୱିତୀୟ ଡୋଜ ସରକାରୀ ଡାକ୍ତରଖାନାରୁ ମାଗଣାରେ ନେଇପାରିବେ । କିନ୍ତୁ ଦ୍ୱିିତୀୟ ଡୋଜ ଘରୋଇ ହସ୍ପିଟାଲରୁ ନେଲେ ନୂତନ ଭାବେ ନିର୍ଦ୍ଧାରିତ ଦର ଦେବାକୁ ପଡ଼ିବ । ପ୍ରଥମ ଡୋଜ୍‌ ନେବା ପରେ ଯଦି କେହି ସଂକ୍ରମିତ ହୁଅନ୍ତି ତେବେ ସୁସ୍ଥ ହେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ ବୋଲି ପରାମର୍ଶ ଦିଆଯାଇଛି । ତେବେ ଜଣେ ବ୍ୟକ୍ତି ପ୍ରଥମ ଡୋଜ୍‌ ଟିକା ଯଦି କୋଭିସିଲ୍ଡ ନେଇଛନ୍ତି ତାଙ୍କୁ ଦ୍ୱିତୀୟ ଡୋଜ୍‌ ସେହି କୋଭିସିଲ୍ଡ ହିଁ ନେବାକୁ ହେବ । କୋଭାକ୍ସିନ୍‌ ନେଇଥିଲେ ଦ୍ୱିତୀୟ ଡୋଜ୍‌ ସମାନ କୋଭାକ୍ସିନ୍‌ ଟିକା ନେବାକୁ ପଡ଼ିବ । ପ୍ରଥମ-ଦ୍ୱିତୀୟ ଡୋଜ୍‌ରେ କମ୍ପାନୀ ଅଦଳ ବଦଳ କଲେ ଟିକାର ମୂଳ ଉଦ୍ଦେଶ୍ୟ ସାଧିତ ହେବନି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ନାହିଁ । ଘରୋଇ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖରେ କେଉଁ ଟିକା ଅଛି, କେତେ ଷ୍ଟକ ଅଛି, ମୂଲ୍ୟ କେତେ ତାହା ଅନଲାଇନରେ ଜଣାଇବେ । ଏହାକୁ ଦେଖି ଜଣେ ବ୍ୟକ୍ତି କେଉଁଠିକୁ ଯିବ, କେଉଁ ଟିକା ନେବ ନିଜେ ନିଷ୍ପତ୍ତି ନେଇପାରିବ ।


Share It

Comments are closed.