ରକ୍ତଦାନକରି ରୋଗୀଙ୍କ ଜୀବନ ବଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଭୁବନେଶ୍ୱର: ପୁଣି ଥରେ ସାମ୍ନାକୁ ଆସିଛି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କର ମହାନତା । ପୂର୍ବରୁ ଅନେକ ଥର ଏହି କର୍ମଚାରୀମାନେ କେତେବେଳେ ଦେବଦୂତ ସାଜି ରୋଗୀଙ୍କୁ ରକ୍ତ ଦାନକରି ଦେଇଛନ୍ତି ନୂଆ ଜୀବନତ କେତେବେଳେ ରୋଗୀଙ୍କୁ କାନ୍ଧରେବୋହି ଦେଇଛନ୍ତି ବିଶାଳ ହୃଦୟର ପରିଚୟ । ଘଟଣା ଅନୁଯାୟୀ ଶ୍ରୀକାନ୍ତ ପଣ୍ଡା ନାମକ ଏକ ଗରିବ ବ୍ୟକ୍ତିଙ୍କ ସ୍ତ୍ରୀ ସାଂଘାତିକ ଜଣ୍ଡିସ୍ ରୋଗରେ ଆକ୍ରାନ୍ତହୋଇ ଏସସିବି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଯେତେବେଳେ ୧୦୮ ଆମ୍ବୁଲାନ୍ସ ଏକ ରୋଗୀକୁ ଏସସିବିରେ ଛାଡ଼ିବାକୁ ଯାଇଥିଲେ ସେତେବେଳେ ତାଙ୍କ ସ୍ୱାମି ୧୦୮ ଆମ୍ବୁଲାନ୍ସ ସଦସ୍ୟମାନଙ୍କୁ ତାଙ୍କ ସ୍ତ୍ରୀ ନିମନ୍ତେ ୧ ୟୁନିଟ୍ ରକ୍ତ ଦେବାକୁ ଅନୁରୋଧ କରିଥିଲେ । ଉକ୍ତ ଆମ୍ବୁଲାନ୍ସରେ ସେତେବେଳେ ଡ୍ରାଇଭର, ରମେଶ ଚନ୍ଦ୍ର ମାଝି, ଇଏମଟି ଜଗବନ୍ଧୁ ସାହୂ ଏବଂ ହେଲପର କୁଞ୍ଜବିହାରୀ ମାଝୀ କାର୍ଯ୍ୟରତ ଥିଲେ । ବିପଦରେ ପଡ଼ିଥିବା ଏହି ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁଯାଇ ଆମ୍ବୁଲାନ୍ସରେ କାର୍ଯ୍ୟରତ ଡ୍ରାଇଭର, ରମେଶ ଚନ୍ଦ୍ର ମାଝୀ ସ୍ୱେଚ୍ଛାକୃତଭାବେ ଏସସିବିି ରକ୍ତ ଭଣ୍ଡାରକୁ ୧ ୟୁନିଟ୍ ରକ୍ତ ଦାନ କରିଥିଲେ । ଏକ ଅପରିଚିତ ଗରିବ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କରିଥିବା ଏହି ସହାୟତା ଯୋଗୁଁ ସ୍ଥାନୀୟ ଅଂଚଳରେ ଖୁବ୍ ପ୍ରଂଶସା କରାଯାଇଛି ।
Comments are closed.