କିଡନୀ ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
କନ୍ଧମାଳ: ଓଡ଼ିଶା ସରକାରଙ୍କ ଅଧିନସ୍ଥ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜର କାର୍ଯ୍ୟକ୍ଷେତ୍ର ଏବଂ କାର୍ଯ୍ୟକ୍ଷେତ୍ର ବାହାରେ ଲୋକମାନଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଆସିଛନ୍ତି । ଏପରିକି ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନେ ନିଜ କର୍ତ୍ତବ୍ୟ ପରିସରରୁ ବାହାରି ଅସହାୟ ଓ ଗରିବଙ୍କୁ ସାହାଯ୍ୟ କରିଥିବାର ଅନେକ ଉଦାହରଣ ଆମ ଆଖି ସାମ୍ନାକୁ ଆସିଛି । ବର୍ତମାନ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଘଟଣା ଅନୁଯାୟୀ କନ୍ଧମାଳ ଜିଲ୍ଲାର ଅଖିଳ ପ୍ରଧାନ ନାମକ ଜଣେ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଏବଂ ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଏସସିଏମ ଏମସିଏଚରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ରୋଗୀଙ୍କ ପରିବାର ସଦସ୍ୟଙ୍କୁ ଏବି ପଜିଟିଭ ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଡାକ୍ତରଖାନାରେ ଏବି ପଜିଟିଭ ରକ୍ତ ଉପଲବ୍ଧ ନଥିଲା । ସୌଭାଗ୍ୟବସତଃ ସେହି ସମୟରେ ୧୦୮ ଆମ୍ବୁଲାନ୍ସର ଇଏମଟି ଶାରଦା ପ୍ରସାଦ ପରିଡ଼ା ଏବଂ ଆଟେଡାଣ୍ଟ ଚିତ୍ତରଞ୍ଜନ ମହାରଣା ଅନ୍ୟ ଜଣେ ରୋଗୀଙ୍କୁ ଏସସିବି ଏମସିଏଚ କୁ ନେଇ ଆସିଥିବାବେଳେ ଏବି ପଜିଟିଭ ରକ୍ତ ସନ୍ଧାନ କରୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ସମସ୍ତ ଘଟଣା ବିଷୟରେ ଜାଣିବାକୁ ପାଇଲେ । ଯାହା ପରେ ସେମାନେ ରକ୍ତ ଦେବା ପାଇଁ ଆଗେଇ ଆସିଥିଲେ । ସେମାନଙ୍କର ଏହି ମହାନ କାର୍ଯ୍ୟ ଯୋଗୁଁ ଆଜି ଅଖିଳ ନୂଆ ଜୀବନ ପାଇଛନ୍ତି ।
Comments are closed.