ରୋଗୀଙ୍କ ୫୦,୦୦୦ ଟଙ୍କା ସମେତ ମୂଲ୍ୟବାନ ଜିନିଷ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

Share It

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତ୍ତବ୍ୟ ପରିସରରୁ ବାହାରି ସାଧାରଣ ଲୋକଙ୍କୁ ସାହାଯ୍ୟ କରୁଥିବାର ଅନେକ ଦୃଷ୍ଟାନ୍ତ ଆମ ଆଖି ସାମ୍ନାକୁ ଆସିଛି । ସଦ୍ୟତମ ଏକ ଘଟଣା ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜଣେ ରୋଗୀଙ୍କର କିଛି ମୂଲ୍ୟବାନ ଜିନିଷ ସମେତ ପାଖାପାଖି ୫୦,୦୦୦ ଟଙ୍କା ଫେରାଇଛନ୍ତି ।
ଘଟଣା ଅନୁଯାୟୀ ଗତ ସେପ୍ଟେମ୍ବର ୨୧ ତାରିଖ ସକାଳ ପ୍ରାୟ ୫ଟା ସମୟରେ ବ୍ରହ୍ମପୁର ସହରର ଲାଞ୍ଜିପଲି ଛକ ନିକଟସ୍ଥ ୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ଜଣେ ଚେତାଶୂନ୍ୟ ବ୍ୟକ୍ତିଙ୍କ ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସକୁ ଏକ ଫୋନ କଲ ଆସିଥିଲା । ଖବର ପାଇବା ମାତ୍ରେ ଏମକେସିଜି ମେଡିକାଲରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ଆସି ପହଞ୍ଚିଥିଲା । ଯାହାପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଯଥା ଇଏମଟି ଭୁପେନ୍ଦ୍ର ନାୟକ, ଚାଳକ ଦିଲ୍ଲୀପ କୁମାର ନାହାକ ଏବଂ ଦ୍ୱିତୀୟ ଚାଳକ ଶମ୍ଭୁ ବେହେରା ସେଠାରୁ ରୋଗୀଙ୍କୁ ଆମ୍ବୁଲାନ୍ସରେ ଆଣି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ସେହି ସମୟରେ ଆମ୍ବୁଲାନ୍ସ ଚାଳକ ଦିଲ୍ଲୀପ କୁମାର ନାହାକ ରୋଗୀଙ୍କ ନୀକଟରୁ ଏକ ମୋବାଇଲ ସମେତ ପାଖାପାଖି ୫୦,୦୦୦ ଟଙ୍କା ପାଇଥିଲେ ଯାହା ସମ୍ପର୍କରେ ସେ ତାଙ୍କର କ୍ଲଷ୍ଟର ଲିଡର ଅଚ୍ୟୁତ ପଟ୍ଟନାୟକଙ୍କୁ ଜଣାଇଥିଲେ । କ୍ଲଷ୍ଟର ଲିଡରଙ୍କ ନିର୍ଦ୍ଦେଶକ୍ରମେ ଆମ୍ବୁଲାନ୍ସ କର୍ମଚାରୀମାନେ ତୁରନ୍ତ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ । ଯାହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ପୋଲିସ ଏବଂ ଡାକ୍ତରଙ୍କ ଉପସ୍ଥିତିରେ ରୋଗୀଙ୍କ ଠାରୁ ମିଳିଥିବା ପାଖାପାଖି ୫୦,୦୦୦ ଟଙ୍କା ସମେତ କିଛି ମୂଲ୍ୟବାନ ଜିନିଷ ରୋଗୀଙ୍କ ସମ୍ପର୍କୀୟଙ୍କ ହାତକୁ ହସ୍ତାନ୍ତର କରିଥିଲେ । ନିଜର ଏଭଳି ସଚ୍ଚୋଟତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ଡାକ୍ତରଖାନାର କର୍ମଚାରୀମାନଙ୍କ ଦ୍ୱାରା ବେଶ ପ୍ରଶଂସିତ ହୋଇଛନ୍ତି ।


Share It

Comments are closed.