ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ପୁରିଲା ୧୨ ବର୍ଷ, ସେବା ପାଇଲେଣି ୧ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଜନତା

୨୦ ମିନିଟ ରୁ କମ ସମୟରେ ମିଳିବ ଆମ୍ବୁଲାନ୍ସ ସେବା ଚିହ୍ନଟ ହେବ ହଟସ୍ପଟ ଅଂଚଳ ଗ୍ରାମୀଣ ଅଂଚଳରେ ହେବ ସଚେତନତା କାର୍ଯ୍ୟକ୍ରମ ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ରୋଗୀଙ୍କ ପାଖରେ ପଂହଚିବା ହେବ ସହଜ

Share It

ଭୁବନେଶ୍ୱର : ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା, ୧୨ ବର୍ଷ ଧରି ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି। ଜୀବନ ରକ୍ଷା ପାଇଁ ଉତ୍ସର୍ଗୀକୃତ ଏହି ସେବା ଉତ୍କୃଷ୍ଟ ଏବଂ ଦ୍ରୁତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ନିରନ୍ତର ପ୍ରୟାସ କରିଆସୁଛି । ୧୦୮ ଆମ୍ବୁଲାନ୍ସ ସେବା ମାର୍ଚ୍ଚ ୫, ୨୦୧୩ ମସିହାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଓଙ୍ଗ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ୨୮୦ଟି ଆମ୍ବୁଲାନ୍ସକୁ ନେଇ ଆରମ୍ଭ ହୋଇଥିଲା। ଏହି ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ରୋଗୀମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ ସଂସ୍ଥାନଗୁଡ଼ିକ ସହିତ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସହର ଏବଂ ଗ୍ରାମୀଣ କ୍ଷେତ୍ର ସହିତ ଅଗମ୍ୟ ଅଂଚଳଗୁଡ଼ିକୁ ସେବା ଯୋଗାଇବା ନିମନ୍ତେ ସଫଳ ସାବ୍ୟସ୍ତ ହୋଇଛି।
ଓଡ଼ିଶାରେ ଇଏମଆରଆଇ ଗ୍ରୀନ ହେଲଥ ସର୍ଭିସେସ ଦ୍ୱାରା ୧୩୬୬ଟି ଆମ୍ବୁଲାନ୍ସ ୩୦ଟି ଜିଲ୍ଲାକୁ ସେବା ଯୋଗାଉଛି । ତନ୍ମଧ୍ୟରୁ ୮୬୦ ଟି ୧୦୮ ଆମ୍ବୁଲାନ୍ସ, ୫୦୦ଟି ଜନନୀ ଏକ୍ସପ୍ରେସ ଏବଂ ୬ଟି ବୋଟ ଆମ୍ବୁଲାନ୍ସ ରହିଛି । ଏହି ସେବା ଦ୍ୱାରା ବର୍ତମାନ ସୁଦ୍ଧା ୧ କୋଟି ୨୦ ଲକ୍ଷରୁ ଅଧିକ ରୋଗୀ, ଗର୍ଭବତୀ ମହିଳା ଏବଂ ଶିଶୁମାନେ ଉପକୃତ ହୋଇଛନ୍ତି। ୧୦୮ ବୋଟ ଆମ୍ବୁଲାନ୍ସ ସେବା ଦ୍ୱାରା ବିଚ୍ଛିନ୍ନ ଅଂଚଳରେ ଅତ୍ୟାବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି ।
ଏହି ଅବସରରେ ଇଏମଆରଆଇ ଗ୍ରୀନ ହେଲଥ ସର୍ଭିସେସ୍ର ରାଜ୍ୟ ମୁଖ୍ୟ ତଥା ୧୦୮ ଆମ୍ବୁଲାନ୍ସ ସେବାର ପ୍ରକଳ୍ପ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, “ଅତ୍ୟାବଶ୍ୟକ ସେବାକୁ ଅଧିକ ପ୍ରଭାବଶାଳୀ କରିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ରୋଗୀଙ୍କ ଠିକଣା ଜାଣିବା ସହ ରୋଗୀଙ୍କ ପାଖରେ ପହଂଚିବାର ସମୟ ୧୫ ମିନିଟ କରିବା ପାଇଁ ପ୍ରୟାସ ଜାରି ରହିଛି । ହଟସ୍ପଟ ଅଂଚଳ ଚିହ୍ନଟ କରି ଆମ୍ବୁଲାନ୍ସଗୁଡ଼ିକୁ ସେହିଠାରେ ରଖାଯିବ, ଯାହା ଦ୍ୱାରା ଯଥାଶୀଘ୍ର ରୋଗୀଙ୍କ ପାଖରେ ପହଂଚି ହେବ ଏବଂ ସମୟୋପଯୁକ୍ତ ଚିକିତ୍ସା ହୋଇପାରିବ । ଏହାସହିତ, ଭୁବନେଶ୍ୱରରେ ଅବସ୍ଥିତ ସେଂଟ୍ରାଲାଇଜ କଲ-ସେଂଟରରୁ ରୋଗୀଙ୍କୁ ନିରନ୍ତର ଯୋଗାଯୋଗ କରାଯାଉଛି, ଯାହା ରୋଗୀଙ୍କର ସଠିକ ଅବସ୍ଥାନ ଚିହ୍ନଟ କରି ସମ୍ଭବତମ ନିକଟତମ ଆମ୍ବୁଲାନ୍ସକୁ ତୁରନ୍ତ ପଠାଯାଇ ପାରିବ । ଗ୍ରାମୀଣ ଅଂଚଳରେ ବିଶେଷ ସଚେତନତା କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଜାଣିବାରେ ସାହାଯ୍ୟ କରାଯାଉଛି ।”

ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ନିଷ୍ଠା ଏବଂ ମାନବିକତା ପ୍ରଦର୍ଶନ କରି ଅନେକ ଉଦାହରଣ ସୃଷ୍ଟି କରିଛନ୍ତି । ବନ୍ୟା, ବାତ୍ୟା, ତଥା କୋଭିଡ ମହାମାରୀ ସମୟରେ ମଧ୍ୟ ୧୦୮ କର୍ମଚାରୀମାନେ ନିଜର ସେବା ମନୋଭାବ ଏବଂ ମଣିଷପଣିଆର ନିଦର୍ଶନ ଦେଇଛନ୍ତି । ଏହି ସେବାର ସଦସ୍ୟମାନେ ଅନନ୍ୟ ଭୂମିକା ନିଭାଇଛନ୍ତି, ଯେପରିକି ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ତାଙ୍କ ପରିବାର ଲୋକଙ୍କୁ ଫେରାଇବା, ଅତ୍ୟାବଶ୍ୟକ ସମୟରେ ରକ୍ତଦାନ କରିବା କିମ୍ବା ରୋଗୀଙ୍କ ସହଯୋଗ ପାଇଁ ଅତିରିକ୍ତ ପ୍ରୟାସ କରିବା । ଇଏମଆରଆଇ ଗ୍ରୀନ ହେଲଥ ସର୍ଭିସେସ ଭାରତରେ ୧୬ଟି ରାଜ୍ୟରେ ୧୭୧୪୧ ଆମ୍ବୁଲାନ୍ସ ଦ୍ୱାରା କାର୍ଯ୍ୟ କରୁଛି ଏବଂ ଦୈନିକ ୪୧୧୩୬ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି । ଏହାର ଲକ୍ଷ୍ୟ ଭାରତରେ ବାର୍ଷିକ ୩ କୋଟି ଲୋକଙ୍କୁ ସେବା ଯୋଗାଇବା ସହ ୧ କୋଟି ଲୋକଙ୍କର ଜୀବନ ବଂଚାଇବା ।


Share It

Comments are closed.