କରୋନା ସମୟରେ ଉଜ୍ଜଳା ଯୋଜନାର ଶତପ୍ରତିଶତ ସଫଳ କ୍ରିୟାନ୍ୱୟନ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୨୩ – କରୋନା ମହାମାରୀ ସଂକଟ ସମୟରେ ଦେଶରେ ଉଜ୍ଜଳା ଯୋଜନାର ଶତ ପ୍ରତିଶତ ସଫଳ କ୍ରିୟାନ୍ୱୟନ କରାଯାଇଛି ବୋଲି ମଙ୍ଗଳବାର ଜାମ୍ମୁ-କାଶ୍ମିର ଜନସମ୍ବାଦ ରାଲି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଯୋଡିହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୋଦି ସରକାର ୨.୦ର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଆୟୋଜିତ ଏହି ଭର୍ଚୁଆଲ ରାଲିରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷରେ ପ୍ରତିବର୍ଷ ଧୂଆଁ କାରଣରୁ ୫ ଲକ୍ଷ ମହିଳା ମୃତ୍ୟୁବରଣ କରୁଥିଲେ । ମାତ୍ର ଗରିବ ପରିବାରରୁ ଆସିଥିବା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ମା ଓ ଭଉଣୀମାନଙ୍କ ଏହି ସମସ୍ୟାର ସମାଧାନ କରିବା କଥା ଚିନ୍ତା କଲେ ।
ପ୍ରଧାନମନ୍ତ୍ରୀ ମୋଦି ଉଜ୍ଜଳା ଯୋଜନାର ଆରମ୍ଭ କରି ମହିଳା ମାନଙ୍କ ଆଖିରୁ ଲୁହ ପୋଛିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ସଫଳ ଯୋଜନାରେ ଦେଶର ୮ କୋଟି ମହିଳାଙ୍କୁ ଗ୍ୟାସ ଯୋଗାଇଛନ୍ତି । ଜାମ୍ମୁ କାଶ୍ମିରରେ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ମହିଳାଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଦେଶରେ କ୍ଷମତା ଗ୍ରହଣ କରିବା ପରେ ତାଙ୍କ ପ୍ରତି ଲୋକଙ୍କ ଭରସା ବଢିଛି । ସବକା ସାଥ୍ ସବକା ବିକାଶ ଓ ସବକା ବିଶ୍ୱାସର ମନ୍ତ୍ରରେ ପ୍ରଧାନମନ୍ତ୍ରୀ ମୋଦି କାମ କରୁଛନ୍ତି । ଜାମ୍ମୁ କାଶ୍ମୀର ସମେତ ସାରା ଦେଶରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭ ଗରିବମାନେ ହୋଇଛନ୍ତି । ମୋଦି ସରକାର କୃଷକ, ମହିଳା, ଯୁବକ, ଆଦିବାସୀ, ପଛୁଆ ବର୍ଗର ଲୋକଙ୍କ ପାଇଁ ସମର୍ପିତ । ଜାମ୍ମୁ କାଶ୍ମୀର ପାଇଁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ୱପ୍ନକୁ ବାସ୍ତବରେ ପରିଣତ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed.