ଶ୍ରୀଲଙ୍କା ଖେଳାଳିଙ୍କ ପାଇଁ ଆଇପିଏଲ୍ ଏକ ସ୍ୱପ୍ନ, ସୁଯୋଗର ଫାଇଦା ଉଠାଇବା ଦରକାର: ପଥୁମ୍ ନିଶାଙ୍କ
ରୋମାଞ୍ଚକର ମୁକାବିଲାରେ ମାତ୍ର ୧ ରନ୍ରେ ଗୁଜରାଟ ଠାରୁ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଖେଳିବା ପ୍ରତିଟି ଶ୍ରୀଲଙ୍କା ଖେଳାଳିଙ୍କ ପାଇଁ ଏକ ସ୍ୱପ୍ନ ବୋଲି ଦିଲ୍ଲୀ କ୍ୟାପିଟାଲ୍ସ (DC)ର ବ୍ୟାଟର ପଥୁମ୍ ନିଶାଙ୍କ କହିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ଏହି ସୁଯୋଗ ପାଉଛନ୍ତି, ସେମାନେ ଭଲ ପ୍ରଦର୍ଶନ କରି ଏହାର ପୂରା ଫାଇଦା ଉଠାଇବା ଦରକାର।
ଆହତ କାରଣରୁ କିଛି ସାଥୀ ଖେଳାଳି ବାଦ୍ ପଡିଥିଲେ ମଧ୍ୟ ଶ୍ରୀଲଙ୍କାର ଏହି ଖେଳାଳି ଜଣକ ପରିସ୍ଥିତି ସହ ଖାପ ଖୁଆଇ କ୍ୟାପିଟାଲ୍ସ ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି।
ସାମ୍ବାଦିକମାନଙ୍କୁ ନିଶାଙ୍କ କହିଛନ୍ତି, “ଆଇପିଏଲରେ ଖେଳିବାକୁ ସବୁ ଶ୍ରୀଲଙ୍କା ଖେଳାଳି ଇଚ୍ଛା କରନ୍ତି ଏବଂ ଯଦି କାହାକୁ ସୁଯୋଗ ମିଳେ, ତେବେ ତାଙ୍କୁ ଭଲ ଖେଳିବାକୁ ପଡିବ। ଆହତ କାରଣରୁ ଆମର କିଛି ଖେଳାଳି ଖେଳିପାରୁନାହାଁନ୍ତି, କିନ୍ତୁ ଆମକୁ ସୁଯୋଗ ମିଳୁଛି ଏବଂ ଆମକୁ ଭଲ ଖେଳିବାକୁ ହିଁ ହେବ।”
ମାତ୍ର ୧ ରନ୍ରେ ମ୍ୟାଚ୍ ହାରିଲା ଦିଲ୍ଲୀ ବୁଧବାର ନୂଆଦିଲ୍ଲୀରେ ଗୁଜରାଟ ଟାଇଟନ୍ସ (GT) ବିପକ୍ଷ ମ୍ୟାଚରେ ନିଶାଙ୍କ ନିଜ ଦଳ ପାଇଁ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ମାତ୍ର ୨୪ ବଲରେ ୬ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୪୧ ରନ୍ ସଂଗ୍ରହ କରିଥିଲେ।
ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁବମନ ଗିଲ (୪୫ ବଲରେ ୭୦ ରନ୍), ୱାଶିଂଟନ୍ ସୁନ୍ଦର (୩୨ ବଲରେ ୫୫ ରନ୍) ଏବଂ ଜସ୍ ବଟଲର (୨୭ ବଲରେ ୫୨ ରନ୍)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ ୪ ୱିକେଟ୍ ହରାଇ ୨୧୦ ରନ୍ର ଏକ ବିଶାଳ ସ୍କୋର୍ କରିଥିଲା।
୨୧୧ ରନ୍ର ଲକ୍ଷ୍ୟକୁ ପିଛା କରି ନିଶାଙ୍କ ଓ କେ.ଏଲ୍. ରାହୁଲ ମିଶି ଦମଦାର ଓପନିଂ ପାର୍ଟନରସିପ୍ କରିଥିଲେ। ଉଭୟ ମାତ୍ର ୮ ଓଭରରେ ୭୬ ରନ୍ ଯୋଡିଥିଲେ। ତେବେ ଦିଲ୍ଲୀ ବ୍ୟାଟରମାନଙ୍କ ଏହି ପ୍ରୟାସ ବୃଥା ଯାଇଥିଲା ଏବଂ ସେମାନେ ଗୁଜରାଟ ଟାଇଟନ୍ସ ଠାରୁ ମାତ୍ର ୧ ରନ୍ରେ ମ୍ୟାଚ୍ ହାରିଯାଇଥିଲେ।
ରାହୁଲଙ୍କ ସହ ରଣନୀତି କେ.ଏଲ୍. ରାହୁଲଙ୍କ ସହିତ ନିଜର ଓପନିଂ ପାର୍ଟନରସିପ୍ ବିଷୟରେ ନିଶାଙ୍କ କହିଛନ୍ତି ଯେ, ପାୱାରପ୍ଲେ ସମୟରେ ଆକ୍ରମଣାତ୍ମକ ଖେଳିବା ସେମାନଙ୍କର ଗେମ୍ ପ୍ଲାନ୍ ଥିଲା ଏବଂ ସେମାନେ ଏକ ମଜବୁତ ଭାଗୀଦାରୀ ଗଢିଥିଲେ।
ବିଭିନ୍ନ ଷ୍ଟାଡିୟମରେ କିପରି ଖେଳିବାକୁ ହେବ, ସେ ନେଇ ରାହୁଲ ନିଜର ଅଭିଜ୍ଞତା ଓ ପରାମର୍ଶ ଦେଇଥିବାରୁ ନିଶାଙ୍କ ତାଙ୍କୁ ଶ୍ରେୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ରାହୁଲ ଏବଂ ମୁଁ ପାୱାରପ୍ଲେରେ ଦବଦବା ବଜାୟ ରଖିବାକୁ ଚେଷ୍ଟା କରିଥିଲୁ। ମୋତେ ଲାଗୁଛି ଏହା ଆମର ରଣନୀତି ଥିଲା ଏବଂ ଆଜି ଆମେ ବହୁତ ଭଲ ବ୍ୟାଟିଂ କଲୁ। ରାହୁଲ ନିଜର ଅଭିଜ୍ଞତା ବାଣ୍ଟିବା ସହ ବିଭିନ୍ନ ପଡ଼ିଆରେ କିପରି ଖେଳିବେ ସେ ନେଇ କିଛି ଟିପ୍ସ ଦିଅନ୍ତି। ମୁଁ ନିଜ ଉପରେ ବିଶ୍ୱାସ କରେ, ତେଣୁ ଯେତେବେଳେ ବି ଖେଳିବାକୁ ଯାଏ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହିଁ ଚେଷ୍ଟା କରେ।”
ଏହି ପରାଜୟ ପରେ ପଏଣ୍ଟ ଟେବୁଲରେ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ବିଜୟ ଏବଂ ଗୋଟିଏ ପରାଜୟ ସହ ଚତୁର୍ଥ ସ୍ଥାନରେ ଥିବାବେଳେ, ଗୁଜରାଟ ଟାଇଟନ୍ସ ଗୋଟିଏ ବିଜୟ ଏବଂ ୨ଟି ପରାଜୟ ସହ ଷଷ୍ଠ ସ୍ଥାନକୁ ଉଠିଛି।

Comments are closed.