ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୩ ଆତଙ୍କବାଦୀ ମୃତ


ଦକ୍ଷିଣ କାଶ୍ମୀରର ପୁଲୱାମା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । କାଲି ସନ୍ଧ୍ୟା ଦକ୍ଷିଣ କାଶ୍ମୀରର ଅୱନ୍ତିପୁରାରେ ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜମ୍ମୁ- କାଶ୍ମୀରରେ ଅଲ-କାଏଦାର ମୁଖ୍ୟ କମାଣ୍ଡର ହାମାଡି ଲଲହାରିର ମୃତ୍ୟୁ ଘଟିଥିବାବେଳେ ଏହା ସହ ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ଆତଙ୍କବାଦୀ ସଂଗଠନ ଜମ୍ମୁ କାଶ୍ମୀରରେ ଅଲକାଏଦାର ନେଟୱାର୍କ ଚଳାଉଥିଲେ । ପ୍ରଥମେ ଜାକିର ମୂଷା ଏହାର ମୁଖିଆ ଥିବାବେଳେ ଏହା ପରେ ହାମାଡି ଏହି ଆତଙ୍କବାଦୀ ସଂଗଠନର ନୂଆ ମୁଖିଆ ସାଜିଥିଲା । କାଲି ସନ୍ଧ୍ୟାରେ ଏହି ଆତଙ୍କବାଦୀଙ୍କର ଲୁଚି ରହିଥିବାର ଖବର ଗୁଇନ୍ଦା ବିଭାଗକୁ ମିଳିବା ପରେ ପୋଲିସ, ସେନା ଏବଂ ସିଆରପିଏଫ ଯବାନଙ୍କ ମିଳିତ ଉଦ୍ୟମରେ ଏହି ଅପରେସନ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯେତେବେଳେ ଆତଙ୍କବାଦୀଙ୍କୁ ଘେରାଉ କରାଯାଇ ସରେଣ୍ଡର କରିବା ପାଇଁ କୁହାଯାଇଥିଲା ସେତେବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା ଯେଉଁଥିରେ ଜମ୍ମୁ କାଶ୍ମୀରର ଆଲକାଏଦା ସଂଗଠନର ମୁଖିଆ ସମେତ ବାକି ଦୁଇ ଆତଙ୍କବାଦୀଙ୍କୁ ମୃତ୍ୟୁ ଘଟିଥିଲା ।


Share It

Comments are closed.