ୟୁଟ୍ୟୁବରଙ୍କ ପାଇଁ ଖରାପ ଖବର: ଆପଣଙ୍କର କଂଟେଂଟକୁ ଆମେରିକୀୟ ଦେଖୁଥିଲେ, ଏଣିକି ଦେବାକୁ ହେବ ଟ୍ୟାକ୍ସ


ବିଶ୍ବର ଅଗ୍ରଣୀ ଟେକ କମ୍ପାନୀ ଗୁଗୁଲ ବର୍ତ୍ତମାନ ୟୁଟ୍ୟୁବ୍ କଂଟେଂଟରୁ ଉପାର୍ଜନ କରୁଥିବା ୟୁଟ୍ୟୁବରଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଗୁଗୁଲ୍ ଘୋଷଣା କରିଛି ଯେ ଭାରତ ସମେତ ବିଶ୍ବର ଅନ୍ୟ ଦେଶରେ ୟୁଟ୍ୟୁବ୍ କଂଟେଂଟ କ୍ରିଏଟ କରୁଥିବା ବ୍ୟକ୍ତିଙ୍କ ଠାରୁ ଜୁନ୍ ଠାରୁ ଏହା ପ୍ରତି ମାସରେ ୨୪ ରୁ ୩୦ ପ୍ରତିଶତ ଟ୍ୟାକ୍ସ ସଂଗ୍ରହ କରିବ। ୟୁଟ୍ୟୁବ୍ ଦେଖୁଥିବା ଆମେରିକୀୟ ଲୋକଙ୍କ ଦ୍ବାରା ହେଉଥିବା ଆୟ ଉପରେ ଏହି ଟ୍ୟାକ୍ସ ଲାଗୁହେବ ।

ଗୁଗୁଲ ଏକ ଇ-ମେଲରେ ଚେତାବନୀ ଦେଇ କହିଛି ଯେ, ମେ ୩୧, ୨୦୨୧ ସୁଦ୍ଧା, ଯଦି ୟୁଟ୍ୟୁବ୍ କ୍ରିଏଟରମାନେ ସେମାନଙ୍କ ଟ୍ୟାକ୍ସ ସୂଚନା ପ୍ରଦାନ କରୁନାହାଁନ୍ତି, ତେବେ କଂଟେଂଟରୁ ମୋଟ ଆୟର ୨୪% ଟ୍ୟାକ୍ସ ଭାବରେ କଟାଯିବ | ନୂତନ ନିୟମ ଅନୁଯାୟୀ, ୟୁଟ୍ୟୁବରୁ ରୋଜଗାର କରୁଥିବା ବ୍ୟକ୍ତିଙ୍କଠାରୁ ଟ୍ୟାକ୍ସ ରାଶି ପ୍ରତି ମାସରେ କଟାଯିବ।

ୟୁଟ୍ୟୁବ୍ କଂଟେଂଟ କ୍ରିଏଟରମାନଙ୍କ ଆୟରୁ ଟ୍ୟାକ୍ସ କାଟିବା କିଛି କାରଣ ଉପରେ ନିର୍ଭର କରିବ | ଯଦି ଆମେରିକାର ବାହ୍ୟ କ୍ରିଏଟରମାନେ ଟ୍ୟାକ୍ସ ସମ୍ବନ୍ଧୀୟ ସୂଚନା ଦିଅନ୍ତି ତେବେ ଆମେରିକୀୟ ଲୋକମାନଙ୍କ ଦ୍ୱାରା ଦେଖାଯାଇଥିବା କଂଟେଂଟକୁ ୦ ରୁ ୩୦ ପ୍ରତିଶତ ହାରରେ ଟ୍ୟାକ୍ସ କରାଯାଇପାରେ | ଏପରି ପରିସ୍ଥିତିରେ, ଆପଣ ଏପରି କଂଟେଂଟ ସୃଷ୍ଟି କରୁଥିଲେ ଯାହାକୁ ଦେଖୁଥିବା ଅଧିକାଂଶ ଲୋକ ଆମେରିକାରେ ଅଛନ୍ତି, ତାହେଲେ ଟ୍ୟାକ୍ସ ଗଣିବା ପାଇଁ ପ୍ରସ୍ତୁତ ହୁଅନ୍ତୁ | ଯଦି ଆମେରିକା ସରକାର ଏବଂ ସମ୍ପୃକ୍ତ ୟୁ-ଟ୍ୟୁବରର ଦେଶ ସରକାରଙ୍କ ମଧ୍ୟରେ ଟିକସ ଛାଡ ସହ ଜଡିତ କୌଣସି ଚୁକ୍ତି ଅଛି, ତେବେ ଏହାର ମଧ୍ୟ ଲାଭ ମିଳିବ ଏବଂ କମ୍ ଟିକସ ଦେବାକୁ ପଡିବ।

ଗୁଗୁଲ ଏକ ଉଦାହରଣ ମାଧ୍ୟମରେ ବ୍ୟାଖ୍ୟା କରିଛି, ଯଦି ଭାରତରେ ଏକ କଂଟେଂଟ କ୍ରିଏଟର ୟୁଟ୍ୟୁବରୁ ପ୍ରତି ମାସରେ ମୋଟ ହଜାରେ ଡଲାର (72,830) ଟଙ୍କା ରୋଜଗାର କରନ୍ତି | ଏଥିମଧ୍ୟରୁ ଆମେରିକୀୟ ଦର୍ଶକଙ୍କ କାରଣରୁ ୧୦୦ ଡଲାର(7283ଟ) ରୋଜଗାର କଲେ ତାଙ୍କୁ ଏହି ରାଶି ଉପରେ ଟିକସ ଦେବାକୁ ପଡିବ |

ଗୁଗୁଲ ଅନୁଯାୟୀ, ଯଦି ଆମେରିକା ବ୍ୟତୀତ ଅନ୍ୟ ଦେଶର ଦର୍ଶକଙ୍କ ଯୋଗୁଁ ଆପଣଙ୍କର ଆୟ ମିଳୁଛି, ତେବେ ଆପଣଙ୍କୁ ଟିକସ ଦେବାକୁ ପଡିବ ନାହିଁ, ଯଦିଓ ଟିକସ କାଗଜପତ୍ର ଦେବାକୁ ପଡିବ | ଯଦି ଟିକସ ସମ୍ବନ୍ଧୀୟ ସୂଚନା ଦିଆଯାଇନଥାଏ, ତେବେ ଆୟର ୨୪ ପ୍ରତିଶତ ଟ୍ୟାକ୍ସ ଭାବରେ କଟାଯିବ |


Share It

Comments are closed.