ଏବେ ନିଜ ସ୍ବପ୍ନକୁ ନିଜ ଇଚ୍ଛାରେ କରିହେବ ନିୟନ୍ତ୍ରଣ, କିପରି ଜାଣନ୍ତୁ


ସ୍ବପ୍ନ ମଣିଷର ନିୟନ୍ତ୍ରଣ ବାହାରେ ରହିଥାଏ। ତେବେ ଏହାକୁ ନିୟନ୍ତ୍ରଣ କରିବା ଏବେ ସମ୍ଭବ ହେବ। ମଣିଷ ନିଜ ପସନ୍ଦ ଅନୁସାରେ ଏବେ ସ୍ବପ୍ନ ଦେଖି ପାରିବ। ଏନେଇ ଏକ ଡିଭାଇସ୍‌ ପ୍ରସ୍ତୁତ କରାଯାଉଛି। ଏହାର ବ୍ୟବହାର ଦ୍ୱାରା ମଣିଷର ସ୍ବପ୍ନକୁ ହ୍ୟାକ୍‌ କରାଯାଇପାରିବ। ଆମେରିକାର ମାସାଚ୍ୟୁସେଟସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଗବେଷକ ଏନେଇ ଏକ ନିୟନ୍ତ୍ରକ ଡିଭାଇସ୍‌ ପ୍ରସ୍ତୁତ କରୁଛନ୍ତି। ଇନଷ୍ଟୁଚ୍ୟଟର ଡ୍ରିମ୍‌ ଲାବ୍‌ରେ ଏନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି।

ଏନେଇ ଗବେଷକ ଏଡମ୍‌ ହୋରୋଓ୍ବିଟିଜ୍‌ କହିଛନ୍ତି ଯେ, ମଣିଷ ଜୀବନର ବହୁ ସମୟ ଶୋଇଥିବା ସମୟରେ କେବଳ ସ୍ବପ୍ନ ଦେଖାରେ ବିତିଥାଏ। ଭଲ ସ୍ବପ୍ନ ଦେଖିଲେ ମନରେ ଆନନ୍ଦିତ ହୋଇଥାଏ। ତେବେ ଖରାପ ସ୍ବପ୍ନ ଦେଖିଲେ ମନ ଭାରାକ୍ରାନ୍ତ ହୋଇପଡ଼େ। କିନ୍ତୁ ତିଆରି ହେଉଥିବା ଡୋରିମୋ ଡିଭାଇସ୍‌ ଦ୍ୱାରା ଅବଚେତନ ଅବସ୍ଥାରେ ମଣିଷର ମସ୍ତିଷ୍କକୁ ନିୟନ୍ତ୍ରଣ କରାଯାଇ ମନରେ ଆନନ୍ଦ ସୃଷ୍ଟି କରୁଥିବା ସ୍ବପ୍ନ ଦେଖାଯାଇ ପାରିବ। ଏହା ଦ୍ୱାରା ମଣିଷ ମସ୍ତିଷ୍କର କ୍ଷମତା ମଧ୍ୟ ବୃଦ୍ଧି ପାଇ ପାରିବ ବୋଲି ସେ କହିଛନ୍ତି। ଏଥିପାଇଁ ହାତ ଆଙ୍ଗୁଠିରେ ଡୋରିମୋ ଡିଭାଇସ୍‌କୁ ପିନ୍ଧିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମଣିଷ ଚେତନ ଏବଂ ଅବଚେତନ ଅବସ୍ଥାରେ ପ୍ରାୟତଃ ସ୍ବପ୍ନ ଦେଖିଥାଏ। ଏହି ଅବସ୍ଥାକୁ ଚିକିତ୍ସା ବିଜ୍ଞାନରେ ହାଇପ୍ନୋଗୋଗିଆ କୁହାଯାଇଥାଏ। ଏବେ ୫୦ରୁ ଅଧିକ ଲୋକଙ୍କ ଉପରେ ଗବେଷଣା କରାଯାଇଥିବା ସେ କହିଛନ୍ତି। ମୋଣ୍ଟ୍‌ରିୟଲ ବିଶ୍ୱବିଦ୍ୟାଳୟର ମନୋସ୍ତତ୍ତ୍ୱ ପ୍ରଫେସର ଟୋର ନେଲସନ୍‌ କହିଛନ୍ତି ଯେ, ଏହା ଏକ ଉପଯୋଗୀ ଡିଭାଇସ୍‌। ଏହାଦ୍ୱାରା ମଣିଷ ସ୍ବପ୍ନରେ ଉଡ଼ି ପାରିବ, ନାଚି ପାରିବ, ନିଜ ପସନ୍ଦର ଗୀତ ଗାଇ ପାରିବ, ମନ ପସନ୍ଦର ସ୍ଥାନରେ ବୁଲି ମଧ୍ୟ ପାରିବ। ଏହାଦ୍ୱାରା ସ୍ବପ୍ନରେ ମନ ପସନ୍ଦର ସାଥୀଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖିହେବ। ଫଳରେ ସ୍ବପ୍ନ ଏକ ଫିଲ୍ମ ଭଳି ହୋଇପାରିବ ବୋଲି ସେ କହିଛନ୍ତି।


Share It

Comments are closed.