ଶ୍ରୀକୃଷ୍ଣଙ୍କ ବନ୍ଧୁତାରୁ ଶିଖିପାରିବେ ଜୀବନର ଏହି ୫ଟି ସତ୍ୟ


ଶ୍ରୀକୃଷ୍ଣ କେବଳ ଭଗବାନ ନଥିଲେ ତାଙ୍କୁ ଆଧୁନିକ ଯୁଗର ପୁରୁଷ ମଧ୍ୟ କୁହାଯାଉଥିଲା । ତାଙ୍କ ଜୀବନରୁ ଆମେ ଏଭଳି ଅନେକ କଥା ଶିଖିପାରିବା ଯାହା ଆଜିବି ସାଥର୍କ ରହିଛି । ଯେପରିକି ତାଙ୍କ ବନ୍ଧୁତା । ତାଙ୍କ ବନ୍ଧୁତାକୁ ବୁଝିପାରିଲେ ଆମେ ଅନେକ କଥା ଶିଖିପାରିବା ତାହା ଜୀବନର ବାସ୍ତବ ସତ୍ୟ ଅଟେ ।

ଅର୍ଜୁନ:
ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କ ସହ ଜଡିତ ଅନେକ ପ୍ରସଙ୍ଗ ମହାଭାରତରେ ଉଲ୍ଲେଖ ରହିଛି । ଶ୍ରୀକୃଷ୍ଣ କୁନ୍ତିଙ୍କୁ ପିଉସୀ କହୁଥିଲେ କିନ୍ତୁ ସେ ଅର୍ଜୁନଙ୍କୁ ସବୁବେଳେ ବନ୍ଧୁ ମାନୁଥିଲେ । କୁରୁକ୍ଷେତ୍ରର ରଣଭୂମିରେ ଶ୍ରୀକୃଷ୍ଣ, ଅର୍ଜୁନଙ୍କ ସାରଥୀ ହୋଇ ତାଙ୍କୁ ସତ୍ୟପଥରେ ଯାଇ ନ୍ୟାୟଯୁଦ୍ଧର ପାଠ ପଢାଇଥିଲେ । ଯେଉଁ କାରଣରୁ ଅର୍ଜୁନଙ୍କୁ ଯୁଦ୍ଧ କରିବାର ସାହସ ମିଳିଥିଲା । ଶ୍ରୀକୃଷ୍ଣ ସବୁବେଳେ ଜଣେ ଭଲ ବନ୍ଧୁ ଭାବେ ପ୍ରତ୍ୟେକ ବିପଦ ସମୟରେ ଅର୍ଜୁନଙ୍କ ସାଥିରେ ଥିଲେ । ଶ୍ରୀକୃଷ୍ଣଙ୍କ ଏହି ବନ୍ଧୁତା ଜଣେ ସାଧାରଣ ବ୍ୟକ୍ତିଙ୍କୁ ସବୁବେଳେ ନିଜ ବନ୍ଧୁଙ୍କୁ ସହଯୋଗ କରିବା ଓ ପ୍ରୋତ୍ସାହିତ କରିବାର ପ୍ରେରଣା ଦେଉଛି ।

ଦ୍ରୌପଦୀ:

ମହାଭାରତରେ ଦ୍ରୌପଦୀଙ୍କ ବସ୍ତ୍ରହରଣର ନିନ୍ଦନୀୟ ପ୍ରସଙ୍ଗ ସମ୍ପର୍କରେ ତ ସମସ୍ତେ ଜାଣିଥିବେ । ଏହି ସମୟରେ ଯେତେବେଳେ ସଭାରେ ଉପସ୍ଥିତ ସମସ୍ତ ମହାଯୋଦ୍ଧା ମୌନ ହୋଇଯାଇଥିଲେ ଶ୍ରୀକୃଷ୍ଣ ସେଠାରେ ଉପସ୍ଥିତ ନଥାଇ ମଧ୍ୟ ଦ୍ରୌପଦୀଙ୍କୁ ବସ୍ତ୍ରହରଣରୁ ରକ୍ଷା କରିଥିଲେ । ଏହି ଘଟଣାରୁ ଆମକୁ ଏହି ଶିକ୍ଷା ମିଳୁଛି ଯେ, ବିପଦ ସମୟରେ ଆମକୁ କେବେ ବି କୌଣସି ବାହାନା ନକରି ନିଜ ବନ୍ଧୁଙ୍କ ସହାୟତା କରିବା ଉଚିତ ।

ଅକ୍ରୁର:

ଅକ୍ରୁର ସମ୍ପର୍କରେ ଶ୍ରୀକୃଷ୍ଣଙ୍କ କକା ଥିଲେ କିନ୍ତୁ ତାଙ୍କୁ ନିଜ ବନ୍ଧୁ ମାନୁଥିଲେ । ଉଭୟଙ୍କ ବୟସରେ ବିଶେଷ ଅନ୍ତର ନଥିଲା । ଅକ୍ରୁର, ଶ୍ରୀକୃଷ୍ଣଙ୍କର ବଡ ଭକ୍ତ ଥିଲେ । ଉଭୟଙ୍କ ବନ୍ଧୁତାରୁ ଆମେ ଏହି ଶିକ୍ଷା ପାଇଛୁ ଯେ, ରକ୍ତ ସମ୍ପର୍କରେ ମଧ୍ୟ ଏକପ୍ରକାରର ବନ୍ଧୁତାର ତତ୍ୱ ରହିଥାଏ । ଯଦି ମନ ସ୍ୱଚ୍ଛ ଥାଏ ତେବେ ପାରିବାରିକ ସମ୍ବନ୍ଧରେ ହୋଇଥିବା ବନ୍ଧୁତା ସମୟ ସହ ଅଧିକ ମଜବୁତ ହୋଇଥାଏ । ଅକ୍ରୁର ଯାଦବ ସେନାର ମୁଖ୍ୟ ଥିଲେ । ସେ ଦ୍ରୌପଦୀଙ୍କ ସ୍ୱୟମ୍ବର ସମୟରେ ମଧ୍ୟ ଉପସ୍ଥିତ ଥିଲେ । କଂସ, ଅକ୍ରୁରଙ୍କୁ କୃଷ୍ଣ, ବଳରାମଙ୍କୁ ମଥୁରାକୁ ଆମନ୍ତ୍ରିତ କରିବାକୁ ପଠାଇଥିଲା । କାରଣ କଂସ, କୃଷ୍ଣ, ବଳାରାମଙ୍କୁ ହତ୍ୟା କରିବାକୁ ଯୋଜନା ରଖିଥିଲା । କିନ୍ତୁ ଅକ୍ରୁର କଂସର ଯୋଜନା ଜାଣିପାରି କୃଷ୍ଣଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ ଓ ତାଙ୍କୁ କଂସକୁ ହତ୍ୟା କରିବାକୁ ପରାମର୍ଶ ଦେଇଥିଲେ ।

ସାତ୍ୟକି:

ନାରାୟଣି ସେନାର ଦାୟିତ୍ୱ ସାତ୍ୟକିଙ୍କ ହାତରେ ଥିଲା । ଅର୍ଜୁନଙ୍କଠାରୁ ସାତ୍ୟକି ତୀର ଚାଳନା ଶିଖିଥିଲେ । ଯେତେବେଳେ ଶ୍ରୀକୃଷ୍ଣ ପାଣ୍ଡବଙ୍କ ଶାନ୍ତିଦୂତ ହୋଇ ହସ୍ତିନାପୁର ଯାଇଥିଲେ ସେତେବେଳେ ସେ ନିଜ ସହ କେବଳ ସାତ୍ୟକିଙ୍କୁ ନେଇଥିଲେ । କୌରବଙ୍କ ସଭାରେ ପ୍ରବେଶ କରିବା ପୂର୍ବରୁ ଶ୍ରୀକୃଷ୍ଣ ସାତ୍ୟକିଙ୍କୁ କହିଥିଲେ, ଯଦି ଯୁଦ୍ଧସ୍ଥଳରେ ମୋର କିଛି ହୋଇଯାଏ ତେବେ ତୁମକୁ ଦୁର୍ଯ୍ୟୋଧନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ହେବ କାରଣ ନାରାୟଣି ସେନା ତୁମ ନେତୃତ୍ୱରେ ରହିବ । ସାତ୍ୟକି ସବୁବେଳେ ଶ୍ରୀକୃଷ୍ଣଙ୍କ ସହ ରହୁଥିଲେ ଓ ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଥିଲେ । ବନ୍ଧୁତାରେ ବିଶ୍ୱାସର ସିଦ୍ଧାନ୍ତକୁ ଶ୍ରୀକୃଷ୍ଣ ଓ ସାତ୍ୟକିଙ୍କ ବନ୍ଧୁତାରୁ ଶିଖିବା ଉଚିତ ।

ସୁଦାମା:

ବନ୍ଧୁତାର କଥା ଆସିଲେ ସର୍ବଦା ଶ୍ରୀକୃଷ୍ଣ ଓ ସୁଦାମାଙ୍କ ନାମ ନିଆଯାଇଥାଏ । ଏକ ପ୍ରସଙ୍ଗରେ ଯେତେବେଳେ ଗରିବ ସୁଦାମା ଶ୍ରୀକୃଷ୍ଣଙ୍କ ପାଖକୁ ଆର୍ଥିକ ସହାୟତା ମାଗିବାକୁ ଯାଇଥିଲେ, ସେତେବେଳେ ସେ ଶ୍ରୀକୃଷ୍ଣଙ୍କୁ କିଛି ମାଗିବାକୁ ସାହସ କରିପାରିନଥିଲେ । କିନ୍ତୁ ନମାଗି ମଧ୍ୟ ଶ୍ରୀକୃଷ୍ଣ ତାଙ୍କ ଦୁଃଖ ଦୂର କରିଥିଲେ ଓ ସୁଦାମାଙ୍କୁ ଅଧିକ ସମୃଦ୍ଧ ଓ ସମ୍ପନ୍ନ କରିଥିଲେ । ଏହାଛଡା ସୁଦାମାଙ୍କ ଦ୍ୱାରା ଉପହାର ସ୍ୱରୁପ ଅଣାଯାଇଥିବା ଖୁଦ ଭଜାକୁ ଆଦରର ସହ ଗ୍ରହଣ କରିଥିଲେ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବନ୍ଧୁତାରେ ଉଚ୍ଚନୀଚ୍ଚ ପଣ କି ଧନୀଗରିବର ଭାବ ନଥିଲା । ଏହି କାରଣରୁ ଯୁଗ ଯୁଗ ଧରି ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବନ୍ଧୁତାକୁ ଲୋକେ ବନ୍ଧୁତାର ପ୍ରତୀକ ଭାବେ ମନେ ପକାଇଆସୁଛନ୍ତି ।


Share It

Comments are closed.