ନିଜସ୍ୱ ପେନସନ ଟଙ୍କାରେ ଅସହାୟଙ୍କ ପାଇଁ ମାସ୍କ ପ୍ରସ୍ତୁତ କରୁଛନ୍ତି ୭୪ ବର୍ଷୀୟ ବୃଦ୍ଧ, ପ୍ରଶଂସାରେ ପୋତିଲେ ମୋଦି


ସାରା ବିଶ୍ୱରେ କରୋନା ନିଜର କରାଳ ରୂପ ଦେଖାଉଥିବାବେଳେ ଏହାର ପ୍ରକୋପରୁ ବଞ୍ଚିବା ପାଇଁ ସମସ୍ତଙ୍କୁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି । ସେଥିପାଇଁ ସବୁଆଡେ ଏହାର ଘୋର ଅଭାବ ଦେଖାଦେଇଥିବାବେଳେ କେତେକ ସହୃୃଦୟବାନ ବ୍ୟକ୍ତି ଅନ୍ୟମାନଙ୍କୁ ଏହାର ଦାଉରୁ ରକ୍ଷା କରିବା ପାଇଁ ନିଜସ୍ୱ ଖର୍ଚ୍ଚରେ ମାସ୍କ ପ୍ରସ୍ତୁତ କରି ବାଣ୍ଟୁଛନ୍ତି । ତେବେ ଏହି ଭଳି ଏକ ଘଟଣା ବର୍ତ୍ତମାନ ସାମନାକୁ ଆସିଛି, ଯେଉଁଥିରେ ଜଣେ ୭୪ ବର୍ଷୀୟ ବୃଦ୍ଧ ନିଜସ୍ୱ ପେନସନ ଟଙ୍କା ମାସ୍କ ପ୍ରସ୍ତୁତ କରି ଗରିବଙ୍କୁ ମାଗଣାରେ ମାସ୍କ ବାଣ୍ଟୁଥବା ଦୃଶ୍ୟ ଦେଖବାକୁ ମିଳିଛି । ଜମ୍ମୁ କାଶ୍ମୀର ସ୍ଥିତ ରିୟାସି ବାସିନ୍ଦା ୭୪ ବର୍ଷୀୟ ଯୋଗରାଜ ମେଙ୍ଗୀ ସେମାନଙ୍କ ମଧ୍ୟରେ ଅନ୍ୟତମ । ନଜି ପେନ୍‌ସନ ଟଙ୍କାରେ ମାସ୍କ ପ୍ରସ୍ତୁତ କରି ସେ ଲୋକଙ୍କୁ ବାଣ୍ଟୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମାଜ କଲ୍ୟାଣକାରୀ ପଦକ୍ଷେପକୁ ସଲାମ କରିଛନ୍ତି । ଗତ ୧୫ ତାରିଖରେ ପ୍ରସାର ଭାରତୀ ନ୍ୟୁଜ୍‌ ସର୍ଭିସ ପକ୍ଷରୁ ୩୭ ସେକେଣ୍ଡର ଏକ ଭିଡିଓ ଶେୟାର କରାଯାଇଥିଲା । ସେଥିରେ ଲେଖାଥିଲା ‘କରୋନା ୱାରିୟର: ଯୋଗରାଜ ମେଙ୍ଗୀ ସେମାନଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି, ଯେଉଁମାନେ କୋଭିଡ୍‌-୧୯ ସହ ଲଢୁଛନ୍ତି ।ସେ ନିଜ ମାସିକ ପେନ୍‌ସନ ସାହାଯ୍ୟରେ ନିଜେ ୬ ହଜାରରୁ ଅଧିକ ମାସ୍କ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟୁଛନ୍ତି ।’ ଏହି ଟ୍ୱିଟ୍‌କୁ ମୋଦି ପୁନଃ ଟ୍ୱିଟ୍‌ କରି କହିଛନ୍ତି ‘ଏଭଳି ନାଗରିକଙ୍କୁ ନେଇ ଗର୍ବିତ ।

କୋଭିଡ୍‌-୧୯ ବିରୁଦ୍ଧ ଯୁଦ୍ଧରେ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଯୋଗରାଜ ମେଙ୍ଗୀ ଏବେ ଲୋକଙ୍କୁ ମାଗଣାରେ ରାସନ ମଧ୍ୟ ବାଣ୍ଟୁଛନ୍ତି । ମେଙ୍ଗୀଙ୍କର ଏହି ପ୍ରୟାସକୁ ଦେଶସାରା ଲୋକ ପ୍ରଶଂସା କରୁଛନ୍ତି । ଏଭଳି କିଛି ଲୋକଙ୍କ ପାଇଁ କରୋନା ନିଶ୍ଚୟ ହାରିବ ଏବଂ ଦେଶ ଜିତିବ ବୋଲି ଲୋକେ କହିଛନ୍ତି । ମେଙ୍ଗୀଙ୍କ ଭଳି ଆହୁରି ଅନେକ ଯୋଦ୍ଧାଙ୍କର ଏବେ ଆବଶ୍ୟକତା ରହିଛି ବୋଲି ଅନେକ ଟ୍ୱିଟ୍‌ କରିଛନ୍ତି ।


Share It

Comments are closed.