WTC ଫାଇନାଲରେ ଭାରତର ଶୋଚନୀୟ ପରାଜୟ ପରେ କୋହଲି ଏବଂ ପୂଜାରାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଲେ ସଚିନ


ଗତ ୨୩ ତାରିଖ ଦିନ ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ହାରିବା ପରେ ମ୍ୟାଚ୍‌କୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଦେଇଛି। ବିଶେଷଜ୍ଞମାନେ ମଧ୍ୟ ଏନେଇ ନିଜ ନିଜର ପ୍ରତିକ୍ରିୟା ଦେବା ସହିତ ଟିମ୍‌ ଇଣ୍ଡିଆର ତ୍ରୁଟି ସମ୍ପର୍କରେ ସୂଚାଇଛନ୍ତି। ଏପରି ସ୍ଥଳେ ଭାରତର କ୍ରିକେଟ୍ ଗଡ୍‌ ସଚିନ ତେନ୍ଦୁଲକର ମଧ୍ୟ ମ୍ୟାଚ୍‌କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଭାରତ କାହିଁକି ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେଲା ତାର କାରଣ କହିଛନ୍ତି ସଚିନ।

କଣ କହିଲେ ସଚିନ ?

ଗତକାଲିର ମ୍ୟାଚ୍‌ ନେଇ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଖେଳ ଉପରେ ପ୍ରଶ୍ନ ଉଠାଇଛନ୍ତି ମାଷ୍ଟରବ୍ଲାଷ୍ଟର । ଦୁଇ ଓଭର ମଧ୍ୟରେ ଏହି ଦୁଇ ଖେଳାଳିଙ୍କ ୱିକେଟ୍ ଯିବା ହିଁ ମ୍ୟାଚ୍‌ ହରାଇଲା ବୋଲି ସଚିନ କହିଛନ୍ତି। ଏଥିସହିତ ନ୍ୟୁଜିଲ୍ୟାଣ୍ଡକୁ ପ୍ରଶଂସା କରି ବ୍ଲାକ୍ କେପ୍ ଟିମ୍ ଭଲ ଥିଲା ବୋଲି ସଚିନ କହିଛନ୍ତି।

ମ୍ୟାଚ୍‌କୁ ନେଇ ସଚିନ କହିଛନ୍ତି ଯେ ମୁଁ ପୂର୍ବରୁ କହିଥିଲି ଯେ ପ୍ରଥମ ୧୦ ଓଭର ମହତ୍ୱପୂର୍ଣ୍ଣ ହେବ। କିନ୍ତୁ ଭାରତ କୋହଲି ଓ ପୂଜାରାଙ୍କ ଭଳି ୱିକେଟ୍‌କୁ ମାତ୍ର ୧୦ ବଲ୍‌ରେ ହରାଇଲା। ଯାହାଫଳରେ ଟିମ୍ ଉପରେ ଅଧିକ ଚାପ ପଡ଼ିଗଲା। ଆଉ ଶେଷରେ ଟିମ୍ ଇଣ୍ଡିଆ ପରାଜୟ ହେଲା ବୋଲି ସଚିନ କହିଛନ୍ତି।

ସୂଚନା ଥାଉକି ଗତକାଲି ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର କାଇଲ୍ ଜୈମୀସନ କୋହଲି ଓ ପୂଜାରାଙ୍କ ୱିକେଟ୍‌ ନେଇଥିଲେ। ମ୍ୟାଚ୍‌ର ୩୫ ଓଭରରେ କୋହଲି ଓ ୩୭ ଓଭରରେ ପୂଜାରାଙ୍କ ୱିକେଟ୍ ଯାଇଥିଲା। ଫଳରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଜିତି ନେଇଥିଲା। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ଆଇସିସି ଟ୍ରଫି ଜିତି ଇତିହାସ ରଚିଥିବା ବେଳେ ଭାରତ ପୁଣି ଥରେ ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡଠୁ ପରାଜିତ ହୋଇଛି।


Share It

Comments are closed.