ୱାର୍ଲ୍ଡ ଟ୍ରେଡ ସେଂଟର ଭୁବନେଶ୍ୱର ପକ୍ଷରୁ ୱାର୍ଲ୍ଡ ଟ୍ରେଡ୍ ଡେ’ ୨୦୨୪ ପାଳିତ



ଭୁବନେଶ୍ୱର, ୨୬ ଜୁଲାଇ ୨୦୨୪: ୱାର୍ଲ୍ଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ପକ୍ଷରୁ ୱାର୍ଲ୍ଡ ଟ୍ରେଡ୍ ଡେ’ ୨୦୨୪ ପାଳନ କରାଯାଇଛି । ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ଅର୍ଥନୈତିକ ବିକାଶ ଓ ରାଜ୍ୟର ଆଂଚଳିକ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଏକ ଦୃଷ୍ଟିକୋଣ ସହିତ ଓଡିଶାରେ କ୍ରମାଗତ ଭାବେ ୭ମ ବର୍ଷ ପାଇଁ ଏହାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶୁକ୍ରବାର, ଜୁଲାଇ ୨୬ ତାରିଖ ୨୦୨୪ରେ “ଓଡିଶା ଆଜ୍ ଦ ଗେଟ୍ୱେ ଫର୍ ଗ୍ଲୋବାଲ ଟ୍ରେଡ୍” ବିଷୟବସ୍ତୁ ଉପରେ ଏକ ଆଲୋଚନା ଦ୍ୱାରା ଚିହ୍ନିତ ହୋଇଥିଲା ।
ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏହା ଓଡିଶାର ଆଶାୟୀ ଉଦ୍ୟୋଗୀ, ରପ୍ତାନୀକାରୀ, ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କୁ ଆନ୍ତର୍ଜାତୀୟ ବ୍ୟବସାୟ ସହ ଜଡିତ ପ୍ରମୁଖ ପ୍ରସଙ୍ଗଗୁଡିକରେ ଜାଣିବା ଓ ଆଲୋଚନା କରିବା ସହିତ ଆନ୍ତର୍ଜାତୀୟ ବାଣିଜ୍ୟର ଜଟିଳତାକୁ ବୁଝିବା, ନୂଆ ବଜାରର ଅନ୍ୱେଷଣ କରିବା, ବିଦେଶରେ ବାଣିଜ୍ୟ କରୁଥିବା ବିଶେଷଜ୍ଞମାନଙ୍କଠାରୁ ଉଦୀୟମାନ ସୁଯୋଗଗୁଡିକ ସମ୍ପର୍କରେ ଶିଖିବା ପାଇଁ ଏକ ଅନନ୍ୟ ପ୍ଲାଟ୍ଫର୍ମ ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମ ନିଜର ନେଟ୍ୱର୍କିଂ ଅଧିବେଶନ ମାଧ୍ୟମରେ ରାଜ୍ୟର ଏମ୍ଏସ୍ଏମ୍ଇଗୁଡିକୁ ଅନ୍ୟ ଦେଶ ସହ ରପ୍ତାନୀ ସୁଯୋଗଗୁଡିକୁ ଅନ୍ୱେଷଣ କରିବା ପାଇଁ ସାହାଯ୍ୟ କରିଥିଲା ଯାହା ସେମାନଙ୍କୁ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଛି । ବରିଷ୍ଠ ସରକାରୀ ଅଧିକାରୀ ଓ ଶିଳ୍ପର ପ୍ରତିଷ୍ଠିତ ବିଶେଷଜ୍ଞମାନେ ନିଜର ମତାମତ ପ୍ରକାଶ କରିବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ସମୟରେ ଡବ୍ଲ୍ୟୁଟିସି ଭୁବନେଶ୍ୱର ଆନ୍ତର୍ଜାତୀୟ ବଜାରରେ ଉତ୍କର୍ଷତା ହାସଲ କରିଥିବା ଏମ୍ଏସ୍ଏମ୍ଇ, କ୍ଷୁଦ୍ର ବ୍ୟବସାୟ, ଟ୍ରେଡ୍ ପ୍ରମୋଶନ ଅର୍ଗାନାଇଜେଶନ, କମ୍ପାନୀ ଏବଂ ବ୍ୟବସାୟଗୁଡିକୁ ସ୍ୱୀକୃତି ପ୍ରଦାନ କରିଥିଲା ଏବଂ ସେମାନଙ୍କୁ ବିଭିନ୍ନ ବର୍ଗ ଅଧିନରେ ସମ୍ମାନ ଓ ମାନ୍ୟତା ପ୍ରଦାନ କରି , ସେମାନଙ୍କର ବ୍ୟବସାୟ ନେତୃତ୍ୱ, ସଫଳତା ଓ ସର୍ବୋତମ ଅଭ୍ୟାସଗୁଡିକୁ ସ୍ୱୀକୃତି ଦେଇ ରାଜ୍ୟରୁ ରପ୍ତାନୀକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଥିଲା । ଏହି ଅବସରରେ ଓଡିଶାର ଏମ୍ଏସ୍ଏମ୍ଇଗୁଡିକୁ ସେମାନଙ୍କର ବଜାର ପହଂଚ ବୃଦ୍ଧି କରିବା ଓ ଆନ୍ତର୍ଜାତୀୟ ବଜାରରେ ପ୍ରବେଶକୁ ସୁଗମ କରିବାରେ ସହଯୋଗ କରିବା ଲାଗି ମିଳିତ ସହଯୋଗପୂର୍ଣ୍ଣ କ୍ଷେତ୍ରଗୁଡିକୁ ଆବିଷ୍କାର କରିବା ଲାଗି ସେଂଚୁରିଅନ ୟୁନିଭର୍ସିଟି, କିଟ୍ ସ୍କୁଲ୍ ଅଫ୍ ରୁରାଲ ମ୍ୟାନେଜମେଂଟ୍ ଓ ବାଲେଶ୍ୱର ଚାମ୍ବର ଅଫ୍ ଇଣ୍ଡଷ୍ଟ୍ରୀଜ ଆଣ୍ଡ କମର୍ସ (ବିସିଆଇସି) ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଓଡିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ଶ୍ରୀମତି ପ୍ରଭାତୀ ପରିଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତିଯେ, “ଅନ୍ତର୍ଜାତୀୟ ବାଣିଜ୍ୟରେ ପ୍ରବେଶ ସହିତ ବ୍ୟବସାୟକୁ ସୁଗମ କରିବାରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । କାରିଗର, ଶିଳ୍ପୀ, ଏସ୍ସି, ଏସ୍ଟି ଏବଂ ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ମୋଡ୍ ରେ ଇ-କମର୍ସ ରପ୍ତାନି ହବ୍ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଛନ୍ତି ।”
ଇଣ୍ଡୋନେସିଆ ଟ୍ରେଡ୍ ପ୍ରମୋଶନ ସେଂଟର (ଆଇଟିପିସି)ର ନିର୍ଦ୍ଦେଶକ ନୁଗ୍ରୋହୋ ପ୍ରିୟୋ ପ୍ରାତୋମୋ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଛନ୍ତିଯେ, “ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଦୀର୍ଘଦିନର ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କ ରହିଛି । ଆମେ ଆଶା କରୁଛୁ ଯେ ଡବ୍ଲୁଟିସି ଭୁବନେଶ୍ୱର ଅଧ୍ୟାୟ ଏହାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ନେତୃତ୍ୱ ନେବ ।”
କ୍ୟାପ୍ଟେନ ସୋମେଶ ବାତ୍ରା, ୱାର୍ଲ୍ଡ ଟ୍ରେଡ୍ ସେଂଟର୍ ଭୁବନେଶ୍ୱର ଅଧ୍ୟକ୍ଷ କହିଛନ୍ତିଯେ, “ଅନ୍ତର୍ଜାତୀୟ ବାଣିଜ୍ୟକୁ ସୁଗମ ଓ ପ୍ରୋତ୍ସାହିତ କରିବା ଆମର ମୂଳ ଲକ୍ଷ୍ୟ । ସମୃଦ୍ଧ ଖଣିଜ ସମ୍ପଦ, ଶିକ୍ଷାନୁଷ୍ଠାନ ଓ ହସ୍ତଶିଳ୍ପ ସହିତ ଓଡ଼ିଶାର ଅଭିବୃଦ୍ଧିର ପ୍ରଚୁର ସମ୍ଭାବନା ରହିଛି । ଶିକ୍ଷାଗତ ଏବଂ ଶିଳ୍ପ ସହାୟତା ବୃଦ୍ଧି ପାଇଁ ଆମେ କେନ୍ଦ୍ର ସରକାରଙ୍କ ସହ ସକ୍ରିୟ ଭାବରେ ସହଯୋଗ କରୁଛୁ । ଏହି ଅଂଚଳରେ ବାଣିଜ୍ୟ ଓ ବିକାଶ କୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।”
ସ୍କଟ୍ ୱାଙ୍ଗ୍, ୱାର୍ଲ୍ଡ ଟ୍ରେଡ୍ ସେଂଟର୍ସ ଆସୋସିଏଶନର ଏସିଆ ପାସିଫିକ୍ର ଉପାଧ୍ୟକ୍ଷ କହିଛନ୍ତିଯେ, “ଡ଼ବ୍ଲୁଟିସି ଭୁବନେଶ୍ୱର ଚଳିତ ବର୍ଷ ପ୍ରାରମ୍ଭରେ ସ୍ଥାନୀୟ ବ୍ୟବସାୟ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବାଙ୍ଗାଲୋରରେ ସମ୍ମାନିତ ହୋଇଛି । ଡବ୍ଲ୍ୟୁଟିସି ଭୁବନେଶ୍ୱର ଟିୟର-୨ ଓ ଟିୟର-୩ ସହର ଗୁଡ଼ିକରେ ଉଚ୍ଚ ମାନର ସେବା ଯୋଗାଣ କ୍ଷେତ୍ରରେ ଉକ୍ତୃଷ୍ଟ ପ୍ରଦର୍ଶନ କରିପାରିଛି ।”
ୱାର୍ଲ୍ଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ଥିଙ୍କ ଟ୍ୟାଙ୍କର ସମ୍ମାନିତ କନ୍ଭେନର ଏବଂ ସ୍ୱସ୍ତି ଗ୍ରୁପ୍ ଅଫ୍ ହୋଟେଲ୍ସର ସିଏମ୍ଡି, ଡଃ ଜେ.କେ ମହାନ୍ତ୍ରି କାର୍ଯ୍ୟକ୍ରମରେ ନିଜର ବହୁମୂଲ୍ୟ ମତାମତ ପ୍ରକାଶ କରି କହିଛନ୍ତିଯେ, “ଆମ ଦେଶରେ ପର୍ଯ୍ୟଟନର ସର୍ବାଧିକ ସମ୍ଭାବନା ରହିଛି । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଅନ୍ୟ ରାଜ୍ୟଠାରୁ ପଛରେ ପକାଇପାରିଥିବାରୁ, ଆମ ରାଜ୍ୟର ହୋଟେଲ ଓ ପର୍ଯ୍ୟଟନ ଅଂଶୀଦାରମାନେ ନିଜକୁ ସୌଭାଗ୍ୟବାନ ମନେକରନ୍ତି ।”
ଶ୍ରୀଯୁକ୍ତ ରାଜେନ ପାଢୀ, ୱାର୍ଲ୍ଡ ଟ୍ରେଡ୍ ସେଂଟର ଇଂଟରନ୍ୟାଶନାଲ ଟ୍ରେଡ୍ ପ୍ରମୋଶନ ଥିଙ୍କ ଟ୍ୟାଙ୍କର ସମ୍ମାନିତ କନ୍ଭେନର ଏବଂ ବି-ୱାନ ବିଜ୍ନେସ୍ ହାଉସ୍ର ବାଣିଜ୍ୟିକ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିସହିତ ଅନ୍ୟ ମାନଙ୍କ ମଧ୍ୟରେ ଡ଼ବ୍ଲୁଟିସି ମହିଳା ଫୋରମର ଉପଦେଷ୍ଟା, ଡ଼ଃ ରୀନା ରାଉତରାୟ ଏବଂ ଆକୃତି ବାଗୱେ, ନିର୍ଦ୍ଦେଶକ, ପରିଚାଳନା, ଡ଼ବ୍ଲୁଟିସି ମୁମ୍ବାଇ ମଧ୍ୟ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ ।


Share It

Comments are closed.