ଶଙ୍ଖ ସହ ଏଭଳି କରନ୍ତୁ ଭଗବାନଙ୍କୁ ଆରାଧନା, ଘରେ ବୃଦ୍ଧି ପାଇବ ସୁଖ ଓ ସମୃଦ୍ଧି


ଭାରତୀୟ ପରମ୍ପରାରେ ଶଙ୍ଖର ଅଧିକ ମହତ୍ତ୍ବ ରହିଛି । ପୌରାଣିକ କଥା ଅନୁସାରେ, ସମୁଦ୍ର ମନ୍ଥନ ସମୟରେ ବିଷ ଓ ଅମୃତ ସହ ସେଥିରୁ ପ୍ରାପ୍ତ ହୋଇଥିବା ୧୪ ରତ୍ନ ମଧ୍ୟରୁ ପବିତ୍ର ଶଙ୍ଖ ଥିଲା ଅନ୍ୟତମ । ଶଙ୍ଖ, ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ଅଟେ । ଏହାକୁ ଘରେ ରଖିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହର ଅଶୁଭ ପ୍ରଭାବରୁ ରକ୍ଷାପାଇବା ପାଇଁ ପ୍ରତ୍ୟେକ ଦିନ ପୂଜା କରିବା ସମୟରେ ଶଙ୍ଖ ବଜାଇବା ଉଚିତ୍ । ଏହା ଦ୍ୱାରା ଗ୍ରହମାନଙ୍କ ସ୍ଥିତି ଅନୁକୂଳ କରାଯାଇ ପାରିବ ।

ସୋମବାର, ଭଗବାନ ଶିବ ଏବଂ ଚନ୍ଦ୍ରଙ୍କ ଦିନ ବୋଲି ବିବେଚନା କରାଯାଏ । କ୍ଷୀର ଚନ୍ଦ୍ରଙ୍କର ଦ୍ରବ୍ୟ ବୋଲି କୁହାଯାଏ ତେଣୁ, ଚନ୍ଦ୍ରଙ୍କୁ ଅନୁକୂଳ କରିବା ପାଇଁ ସୋମବାର ଦିନ ପୂଜା ସମୟରେ ଶଙ୍ଖରେ କ୍ଷୀର ଭରି ଶିବଙ୍କୁ ଚଢାଇବା ଉଚିତ୍ ।

ମଙ୍ଗଳବାର, ମଙ୍ଗଳ ଗ୍ରହଙ୍କ ଦିନ ବୋଲି ଜଣା ଯାଏ । ମଙ୍ଗଳ ସାହାସ ଏବଂ ପରାକ୍ରମର ପ୍ରତୀକ ଅଟନ୍ତି ତେଣୁ ମଙ୍ଗଳଙ୍କୁ ଅନୁକୂଳ କରିବା ପାଇଁ ମଙ୍ଗଳବାର ଦିନ ଶଙ୍ଖ ବଜାଇ ସୁନ୍ଦରାକାଣ୍ଡ ପାଠ କରିବା ଉଚିତ୍ ।

ବୁଧଙ୍କୁ, ବୁଦ୍ଧି ଏବଂ ବାଣୀର ପ୍ରତୀକ କୁହାଯାଏ । ବୁଧବାର ବୁଧ ଗ୍ରହଙ୍କର ବୋଲି ଜଣାଯାଏ ତେଣୁ, ଏହି ଦିନ ଶଙ୍ଖରେ ଜଳ ଭରି ଶାଳଗ୍ରାମଙ୍କୁ ଅଭିଷେକ କରିବା ଉଚିତ୍ ।

ଗୁରୁବାର ଦିନ ଶଙ୍ଖ ଉପରେ କେଶରରେ ତିଳକ କରି ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ୍ । ଏହା ଦ୍ୱାରା ଆପଣଙ୍କ ଗୁରୁ ଗ୍ରହ ଶୁଭଫଳ ପ୍ରଦାନ କରିଥାଏ । ଭଗବାନ ବିଷ୍ଣୁ ଏବଂ ଗୁରୁଙ୍କ କୃପାରୁ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ ।

ଶୁକ୍ରବାର ଶୁକ୍ର ଗ୍ରହଙ୍କର ବୋଲି କୁହାଯାଏ । ଏହି ଗ୍ରହ ଧନ-ବୈଭବ ଏବଂ ଭୌତିକ ସୁଖ ସୁବିଧାର ପ୍ରତୀକ ବୋଲି କୁହାଯାଏ । ଶୁକ୍ରଙ୍କ ମଜବୁତ କରିବା ପାଇଁ ଶଙ୍ଖ କୁ ଧଳା ରଙ୍ଗର କପଡ଼ାରେ ରଖିବା ଆବଶ୍ୟକ । ଏହା ଦ୍ୱାରା ଆପଣଙ୍କର ଶୁକ୍ର ଗ୍ରହ ଶକ୍ତିଶାଳୀ ହୋଇଥାଏ ।

ସୂର୍ଯ୍ୟଙ୍କୁ ମାନ ସମ୍ମାନର ପ୍ରତୀକ କୁହାଯାଏ । ଯଦି କାହା କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ହୋଇଥାନ୍ତି ତାଙ୍କର ସମ୍ମାନ ହାନିହୋଇଥାଏ । ପିତାଙ୍କ ସହ ସମ୍ପର୍କ ଖରାପ ହୋଇଥାଏ । ସୂର୍ଯ୍ୟଙ୍କ ସ୍ତିତି ଅନୁକୂଳ କରିବା ପାଇଁ ରବିବାର ଦିନ ଶଙ୍ଖରେ ଜଳ ପୂର୍ଣ୍ଣକରି ସୂର୍ଯ୍ୟଙ୍କୁ ଅର୍ପଣ କରିବା ଉଚିତ୍ ।

(ମନେରଖନ୍ତୁ: ଦିଆଯାଇଥିବା ସୂଚନା କେବଳ ଆପଣଙ୍କୁ ସାମାନ୍ୟ ସୁଚନା ପ୍ରଦାନ କରିବା ନିମନ୍ତେ ଉଦ୍ଦିଷ୍ଟ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କ ସହ ନିଶ୍ଚିତ ପରାମର୍ଶ କରନ୍ତୁ)


Share It

Comments are closed.