ଆଜିଠୁ ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପ୍, ନୀରଜଙ୍କ ସମେତ ଭାଗ ନେଲେ ୨୨ ଜଣିଆ ଭାରତୀୟ ଟିମ୍
ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପ୍ର ୧୮ତମ ସଂସ୍କରଣ ଶୁକ୍ରବାରଠୁ ଆମେରିକାର ଓରେଗନରେ ଆରମ୍ଭ ହେବାକୁ ଯାଉଛି । ବିଶ୍ୱର ୧୯୨ଟି ଦେଶରୁ ୧୯୭୨ ଜଣ କ୍ରୀଡ଼ାବିତ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଚାମ୍ପିଅନସିପ୍ ୧୫ରୁ ଆରମ୍ଭ ହୋଇ ଆସନ୍ତା ୨୪ ତାରିଖରେ ଶେଷ ହେବ ।
ଗତ ସଂସ୍କରଣ ଦୋହାରେ ଆୟୋଜିତ ହୋଇଥିଲା । ଆମେରିକା ସର୍ବାଧିକ ୧୪ ସ୍ୱର୍ଣ୍ଣ ( ମୋଟ୍ ୨୯ ପଦକ) ସହ ଚାମ୍ପିଅନ ହୋଇଥିଲା । ଏଥର ଆମେରିକା ଆୟୋଜକ ରହିଛି । ତେଣୁ ଘରୋଇ ଭେନ୍ୟୁରେ ଆୟୋଜକ ଦଳ ପୂର୍ବାପେକ୍ଷା ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି । କରୋନା ମହାମାରୀ ଯୋଗୁ ଚାମ୍ପିଅନସିପ୍ ୨୦୨୧ରେ ଆୟୋଜନ ସମ୍ଭବ ହୋଇ ନଥିଲା । ତେଣୁ ଏହାକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା । ନଚେତ୍ ପୂର୍ବସୂଚୀ ଅନୁସାରେ ୨୦୨୧ ଅଗଷ୍ଟ ୬ରୁ ୨୧ ମଧ୍ୟରେ ଚାମ୍ପିଅନସିପ୍ ଆୟୋଜିତ ହୋଇଥାନ୍ତା।
ଓରେଗନରେ ଭାରତୀୟ ୨୨ ଜଣିଆ ଦଳ ଭାଗ ନେଇଛି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଭାରତୀୟ ଦଳର ନେତୃତ୍ୱ ନେବେ। ତାଙ୍କ ପ୍ରଦର୍ଶନ ଉପରେ ସାରା ଦେଶର ନଜର ରହିବ । ଆସନ୍ତା ୨୧ ଓ ୨୩ ତାରିଖରେ ଜାଭେଲିନ୍ରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଗତ ଥର ଗ୍ରେନେଡାର ଆଣ୍ଡରସନ ପିଟର୍ସ ୮୬.୮୯ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନିକଟରେ ଡାଏମଣ୍ଡ ଲିଗରେ ନୀରଜ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ (୮୯.୯୪ ମିଟର) ଦେଇଥିଲେ । ଯଦି ସେ ନିଜ ପ୍ରଦର୍ଶନରେ ସନ୍ତୁଳନ ରଖି ପାରବେ, ତେବେ ତାଙ୍କ ଠାରୁ ବଡ଼ ପଦକ ଆଶା ରହିବ ।
ଭାରତୀୟ ଦଳ
(ପୁରୁଷ): ଅଭିନାଶ ସାବଲେ, ଏମ୍ପି ଜବିର, ଏମ୍. ଶ୍ରୀଶଙ୍କର, ମହମ୍ମଦ ଅନୀସ ୟାହିଆ, ଅବଦୁଲ୍ଲା ଅବୁବେକର, ପ୍ରବୀଣ ଚିଥ୍ରଭେଲ, ଏଲଦୋସ ପଲ, ତଜିନ୍ଦର ପାଲ ସିଂ ତୁର, ନୀରଜ ଚୋପ୍ରା, ରୋହିତ ଯାଦବ, ସନ୍ଦୀପ କୁମାର, ଅମୋଜ ଜାକୋବ, ନୋହା ନିର୍ମଳ ଟମ୍, ମହମ୍ମଦ ଆଜମଲ, ନାଗାନାଥ ପାଣ୍ଡି, ରାଜେଶ ରମେଶ, ମହମ୍ମଦ ଆନସ ।
(ମହିଳା): ଏସ୍.ଧନଲକ୍ଷ୍ମୀ, ଐଶର୍ଯ୍ୟା ମିଶ୍ର, ପାରୁଲ ଚୌଧୁରୀ, ଅନୁ ରାଣୀ ଓ ପ୍ରିୟଙ୍କା ଗୋସ୍ୱାମୀ ।
Comments are closed.