ସପ୍ତାହରେ ଚାରି ଦିନ କାମ, ବାକି ଦିନ ଆରାମ ! ନୂତନ ଶ୍ରମ ଆଇନରେ ହୋଇପାରେ ବଡ଼ ପରିବର୍ତ୍ତନ


ନୂତନ ଶ୍ରମ ନିୟମ ଅନୁଯାୟୀ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ ସମୟ ଅତି ନମନୀୟ କରିବାକୁ ପ୍ରୟାସ କରାଯାଉଛି | ଏହା ଅଧୀନରେ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ପ୍ରସ୍ତାବ ଦିଆଯାଇଛି ।ଏହାସହ ଅନେକ ନିୟମରେ ସରକାର କୋହଳ କରିବା ନେଇ ଅନୁମାନ କରାଯାଉଛି ।

ସୂତ୍ରାନୁସାରେ, ଜଣେ ବ୍ୟକ୍ତି ସପ୍ତାହରେ ୪ ଦିନ କାମ କରିବ । ପ୍ରତ୍ୟେକ ଦିନ ସର୍ବାଧିକ ୧୨ ଘଣ୍ଟା କାମ କରିବାକୁ ହେବ । ଅନ୍ୟ ୩ ଦିନ ଛୁଟି ମିଳିବ । ଏନେଇ ଯୋଜନା ପ୍ରସ୍ତୁତ ହେଉଛି । ଏଥିପାଇଁ ଦୈନିକ କାମର ସମୟ ସୀମା ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ହେବ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, କେନ୍ଦ୍ର ଶ୍ରମ ସଚିବ ଅପୂର୍ବ ଚନ୍ଦ୍ରା ସୋମବାର କହିଛନ୍ତି ଯେ, କର୍ମଚାରୀଙ୍କ ପାଇଁ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ନିୟମ ହେବ ।

ଏହାସହ କର୍ମଚାରୀମାନେ ନିଜର ଦୈନିକ କାର୍ଯ୍ୟ ଅବଧିରେ ପରିବର୍ତ୍ତନ କରିହେବ। ଅର୍ଥାତ ଗୋଟିଏ ଦିନ ଜଣେ କର୍ମଚାରୀ ୧୦ରୁ ୧୨ ଘଣ୍ଟା କାମ କରି ଅନ୍ୟ ଦିନରେ ୬ ଘଣ୍ଟା କାମ କରିପାରିବେ । ଏହାସହ ସପ୍ତାହରେ ୬ ଦିନ ବଦଳରେ ୪-୫ ଦିନ କାମ୍ କରି ନିଜର ଟାର୍ଗେଟ୍ ପୂରଣ କରିପାରିବେ ।

ବର୍ତ୍ତମାନର ନିୟମାନୁସାରେ, କାମ କରିବାର ସମୟ ଦୈନିକ ୮ ଘଣ୍ଟା ଥିବା ବେଳେ ୬ ଦିନ କାର୍ଯ୍ୟ ଦିବସ ରହିଛି । ଏହାସହ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳୁଛି । କେହି ହେଲେ ବ୍ୟକ୍ତି ଅତି କମରେ ଅଧଘଣ୍ଟାର ବିରତ୍ତି ନନେଇ ୫ ଘଣ୍ଟାରୁ ଅଧିକ ସମୟ କାମ କରିବେ ନାହିଁ । ତେବେ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଅତିଶୀଘ୍ର ଚାରୋଟି ଲେବର୍ କୋଡ୍ ନିୟମକୁ ଅନ୍ତିମ ରୂପ ଦେଇପାରେ ବୋଲି ସୂଚନା ମିଳିଛି ।


Share It

Comments are closed.