ଜାମସେଦପୁରର ୩୫ତମ ବାର୍ଷିକ ପୁଷ୍ପ ପ୍ରଦର୍ଶନୀରେ କଳିଙ୍ଗନଗରର ସ୍ଥିତ ନବଜୀବନର ମହିଳା ଉଦ୍ୟୋଗୀଙ୍କ ଦ୍ଵାରା ଜନଜାତି କଳା ପ୍ରଦର୍ଶିତ

Share It

କଳିଙ୍ଗନଗର, ଜାନୁଆରୀ ୬,୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ( ଟିଏସଏଫ) ର ସହାୟତାରେ କଳିଙ୍ଗନଗରର ‘ନବଜୀବନ କୋଅପରେଟିଭ୍ ଲିମିଟେଡ୍’ର ମହିଳା ଉଦ୍ୟୋଗୀମାନେ ଜାମସେଦପୁରର ଗୋପାଳ ମୈଦାନଠାରେ ଅନୁଷ୍ଠିତ ୩୫ତମ ବାର୍ଷିକ ପୁଷ୍ପ ପ୍ରଦର୍ଶନୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜନଜାତି ଐତିହ୍ୟ, ଦକ୍ଷତା ଏବଂ ଦୀର୍ଘସ୍ଥାୟୀ ଜୀବିକାକୁ ନେଇ ଗଠିତ ଏହି ମହିଳା ଉଦ୍ୟୋଗଗୁଡ଼ିକ ଚିତ୍ତାକର୍ଷକ ହୋଇଥିଲା । ନବଜୀବନର ଷ୍ଟଲରେ ପ୍ରଦର୍ଶିତ ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକ ପର୍ଯ୍ୟଟକମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା, ଯାହା ପ୍ରମାଣିତ କରିଛି ଯେ ବର୍ତ୍ତମାନର ଗ୍ରାହକମାନେ ପ୍ରାମାଣିକ ଜନଜାତି କଳା ଏବଂ ନୈତିକ ଭାବେ ଉତ୍ପାଦିତ ବସ୍ତ୍ର ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି।

୨୦୧୨ ମସିହାରେ ପ୍ରାୟ ୧,୨୦୦ ପରିବାର, ମୁଖ୍ୟତଃ ‘ହୋ’ ସମ୍ପ୍ରଦାୟର ଥଇଥାନ ପରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟି ପ୍ରଥମେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଭାବେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଏକ ମହିଳା ସମବାୟ ସମିତିରେ ପରିଣତ ହୋଇଥିଲା ଏବଂ ୨୦୨୫ରେ ଏହା ଏକ ଟ୍ରଷ୍ଟ-ପରିଚାଳିତ ସଂଗଠନର ରୂପ ନେଇଛି। ବର୍ତ୍ତମାନ ଗୋବରଘାଟି, ତ୍ରିଜଙ୍ଗା ଏବଂ ସନସାଇଲୋ ଅଞ୍ଚଳର ପ୍ରାୟ ୮୫ ଜଣ ସକ୍ରିୟ ସଦସ୍ୟା ପୋଷାକ ନିର୍ମାଣ, ଜନଜାତି କଳା ଓ ହସ୍ତଶିଳ୍ପ ଏବଂ ଟସର ସିଲ୍କ ଉତ୍ପାଦନ ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି।

ଓଡ଼ିଶାର ପ୍ରାଚୀନ ‘ସଉରା’ ଚିତ୍ରକଳାର ପୁନରୁଦ୍ଧାର ଏହି ସଂଗଠନର ଏକ ପ୍ରମୁଖ ସଫଳତା। ତ୍ରିଜଙ୍ଗାର ନବଜୀବନ ସଭାପତି କୌଶଲ୍ୟା ପାତ୍ରଙ୍କ କହିବା ଅନୁଯାୟୀ, ପ୍ରଥମେ ସେମାନେ ସିଲେଇ କାମ ଆରମ୍ଭ କରିଥିଲେ ଏବଂ ସେଥିରୁ ହେଉଥିବା ସଞ୍ଚୟ ମାଧ୍ୟମରେ ସଉରା ଚିତ୍ରକଳାର ପ୍ରଶିକ୍ଷଣ ନେଇଥିଲେ। ଆଜି ସେମାନଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତିର ବହୁତ ଚାହିଦା ରହିଛି ଏବଂ ସେମାନେ ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇ ନିଜ ପରିବାରକୁ ସାହାଯ୍ୟ କରିପାରୁଛନ୍ତି। ଏହା ସହିତ ନବଜୀବନର ‘ଫାର୍ମ ଟୁ ଫ୍ୟାଶନ’ ଅଭିଯାନ ଜି.ଆଇ ଟ୍ୟାଗ୍ ପ୍ରାପ୍ତ ସୁକିନ୍ଦା ଇକୋରେସ୍ ଟସର ସିଲ୍କକୁ ନେଇ ଏକ ଦୀର୍ଘସ୍ଥାୟୀ ମୂଲ୍ୟ ଶୃଙ୍ଖଳା ଗଠନ କରିଛି। ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ୫୦୦ରୁ ଅଧିକ ଚାଷୀଙ୍କ ସହ ମିଶି ଏହି ସମବାୟ ସମିତି କୋଷାରୁ ସୂତା ପ୍ରସ୍ତୁତ କରିବା ସହ ସେଥିରେ ପ୍ରାକୃତିକ ରଙ୍ଗ ଦେଇ ଉଚମାନର ପୋଷାକ ଓ ଘର ସଜା ସାମଗ୍ରୀ ପ୍ରସ୍ତୁତ କରୁଛି।

ଆର୍ଥିକ ବର୍ଷ ୨୦୨୪-୨୫ରେ ନବଜୀବନ ୨୪ ଲକ୍ଷ ଟଙ୍କାର କାରବାର କରିବା ସହ ଟସର ସିଲ୍କ ଏବଂ ଫଟୋ ଫ୍ରେମିଂ ଭଳି ନୂତନ ୟୁନିଟ୍ ମାନ ଖୋଲିଛି। ସଂଗଠନର ଦୁଇଜଣ କାରିଗରଙ୍କୁ ଯାଜପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ୱାରା ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି ଏବଂ ଦୁଇଜଣଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସଂଗଠନଟି ଓଡ଼ିଶା ସରକାରଙ୍କ ଏସ ଆଇଡିଏସି ସହ ମିଶି କାରିଗରମାନଙ୍କ ପ୍ରମାଣପତ୍ର ଏବଂ ସ୍ୱୀକୃତି ଦିଗରେ କାର୍ଯ୍ୟ କରୁଛି। ଆଗାମୀ ଦିନରେ ଓଡ଼ିଶାର ସମୃଦ୍ଧ ଜନଜାତି ଐତିହ୍ୟକୁ ବଞ୍ଚାଇ ରଖିବା ସହ ଅଧିକ ମହିଳାଙ୍କୁ ସମ୍ମାନଜନକ ଜୀବିକା ଯୋଗାଇବା ପାଇଁ ନବଜୀବନ ଏହାର ବଜାର ସଂଯୋଗକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି।


Share It

Comments are closed.