ଟାଟା ଷ୍ଟିଲ୍ ଯୁବଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ବିଜେତାଙ୍କ ଇସ୍ରୋ ଅହମ୍ମଦାବାଦରେ ମହାକାଶ ବିଷୟରେ ଜ୍ଞାନ ଆହରଣ


 

ଭୁବନେଶ୍ୱର: ଓଡ଼ିଶାରୁ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ୨୦୨୩-୨୪ର ବିଜେତାମାନେ ନିକଟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ), ଅହମ୍ମଦାବାଦର ମହାକାଶ ପ୍ରୟୋଗ କେନ୍ଦ୍ର (ଏସଏସି) ପରିଦର୍ଶନ କରି ପ୍ରତ୍ୟାବର୍ତନ କରିଛନ୍ତି ।

ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଏହି ନିଆରା ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ଇସ୍ରୋର ଏସଏସିର ନିର୍ଦ୍ଦେଶକ ନିଲେଶ ଏମ ଦେଶାଇଙ୍କ ସହ ଆଲୋଚନା କରିବାର ସୁଯୋଗ ଦେଇଥିଲା । ସେ ଇସ୍ରୋର ବିଭିନ୍ନ ପ୍ରୟୋଗଶାଳା ଏବଂ ପ୍ରକଳ୍ପ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ବିକ୍ରମ ସାରାଭାଇ ମହାକାଶ ପ୍ରଦର୍ଶନୀ (ଭିଏସ୍‌ଏସ୍‌ଇ) ଓ ବିଭିନ୍ନ ପରୀକ୍ଷାଗାର ପରିଦର୍ଶନ କରିବା ସହ ବରିଷ୍ଠ ମହାକାଶ ବୈଜ୍ଞାନିକମାନଙ୍କ ଠାରୁ ଚାଲିଥିବା ଗବେଷଣା କାର୍ଯ୍ୟ ବିଷୟରେ ଜ୍ଞାନ ଆହରଣ କରିଥିଲେ ।

ୟାଟ୍‌ସ ବିଜେତା ଛାତ୍ର ଓମ୍ ରାଜ ମିଶ୍ର ଧନ୍ୟବାଦ ଜ୍ଞାପନ କରି କହିଛନ୍ତି ଯେ ବୈଜ୍ଞାନିକମାନଙ୍କ ସହ ସାକ୍ଷାତ, ଇସ୍ରୋ ଏବଂ ବିକ୍ରମ ସାରାଭାଇ ପ୍ରଦର୍ଶନୀ କେନ୍ଦ୍ର ପରିଦର୍ଶନ କରିବା ଆମ ପାଇଁ ଏକ ସୁବର୍ଣ ସୁଯୋଗ ଥିଲା । ଏହି ସୁଯୋଗ ପାଇଁ ମୁଁ ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ଧନ୍ୟବାଦ ଜଣାଉଛି ।

ଛାତ୍ରଛାତ୍ରୀମାନେ ଅହମ୍ମଦାବାଦର ଗୁଜରାଟ ସାଇନ୍ସ ସିଟିକୁ ପରିଦର୍ଶନ କରି ବିଜ୍ଞାନ ଏବଂ ସୃଜନଶୀଳ ଉଦ୍ଭାବନ ବିଷୟରେ ମଧ୍ୟ ଜ୍ଞାନ ହାସଲ କରିଥିଲେ । ବୌଦ୍ଧସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର କୃତିକା ପ୍ରତୟା ପାଣିଗ୍ରାହୀ (ୟାଟ୍‌ସ ବିଜେତା) କହିଛନ୍ତି ଯେ, “ଇସ୍ରୋ ଓ ଅହମ୍ମଦାବାଦର ସାଇନ୍ସ ସିଟି ଗସ୍ତ ସମୟରେ ଆମେ ରୋବୋଟିକ୍ ଗ୍ୟାଲେରୀରେ ରୋବୋଟିକ୍ ଟେକ୍ନୋଲୋଜି, ଅଗମେଂଟେଡ୍ ଏବଂ ଭର୍ଚୁଆଲ ରିଆଲିଟି ବିଷୟରେ ଜାଣିବା ସହ ଆକ୍ୟୁଆଟିକ୍ ଗ୍ୟାଲେରୀରେ ପାଣି ଭିତରେ ଥିବା ଦୁନିଆ ବିଷୟରେ ଜ୍ଞାନ ହାସଲ କରିଥିଲୁ ।’’

ସେହିପରି, ଢେଙ୍କାନାଳ ଜିଏମଆର ବରଲକ୍ଷ୍ମୀ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ରାଜଶ୍ରୀ ହୋତା କହିଛନ୍ତି, ଏହି ଗସ୍ତ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧିି କରିବା ସହ ପିଲାମାନଙ୍କ ମନରେ ଆହୁରି ଉତ୍କଣ୍ଠା ଭରି ଦେଇଛି ।

ରାଜ୍ୟବ୍ୟାପୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ପ୍ରତି ଉତ୍କଣ୍ଠା ଓ ଉତ୍ସାହ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆୟୋଜିତ ୟାଟ୍‌ସର ଏହି ୧୭ତମ ସଂସ୍କରଣରେ ୮୦,୦୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ‘ଚନ୍ଦ୍ର ଆଧାର- ମହାକାଶ ପାଇଁ ଭବିଷ୍ୟତ ଲଂଚ୍‌ପ୍ୟାଡ୍‌’ ଶୀର୍ଷକ ପ୍ରତିଯୋଗିତାରେ ସେମାନେ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମର ନିର୍ଦେଶକ ପ୍ରସନ୍ନ ପାତ୍ର, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଉପସଚିବ ଉର୍ମିପ୍ରଭା ମହାରଣା, ପଠାଣି ସାମନ୍ତ ପ୍ଲାନେଟୋରିୟମ, ଭୁବନେଶ୍ୱର ଉପନିର୍ଦ୍ଦେଶକ ଜୟଦେବ କର ଓ ଟାଟା ଷ୍ଟିଲ୍ ଅଧିକାରୀଙ୍କ ନେତୃତ୍ୱରେ ବିଜେତା ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ସହ ମହାକାଶ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମ୍ବନ୍ଧୀୟ ପ୍ରତିଷ୍ଠିତ ଅନୁଷ୍ଠାନ ଓ ପ୍ରଦର୍ଶନୀ ପରିଦର୍ଶନ କରିବା ପାଇଁ ଏହି ସପ୍ତାହବ୍ୟାପୀ ଗସ୍ତରେ ଯାଇଥିଲେ ।

ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଗସ୍ତକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଗତ ୧୭ ବର୍ଷ ମଧ୍ୟରେ ୟାଟ୍‌ସ ରାଜ୍ୟର ସାଢ଼େ ୩ ଲକ୍ଷରୁ ଅଧିକ ଯୁବ ବିଜ୍ଞାନପ୍ରେମୀଙ୍କୁ ଆକର୍ଷିତ କରିଛି ଏବଂ ୧୭ତମ ସଂସ୍କରଣର ଛାତ୍ରଛାତ୍ରୀଙ୍କ ସମେତ ୨୦୦ ଜଣ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ଇସ୍ରୋର ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି ।


Share It

Comments are closed.