ଆଜି ରୋହିତଙ୍କ ଭାଗ୍ୟ ନିର୍ଦ୍ଧାରଣ, ଅଷ୍ଟ୍ରେଲିଆ ଗସ୍ତରେ ଯିବେ କି ନାହିଁ ? ରହିଛି ସମସ୍ତଙ୍କ ନଜର


ଆହତ ସମସ୍ୟାକୁ ନେଇ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିପାରି ନଥିବା ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌ ଟେଷ୍ଟ ଉପରେ ସମଗ୍ର ବିଶ୍ୱ କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିଛି । ଆଜି ତାଙ୍କର ଫିଟ୍‌ନେସ୍‌ ପରୀକ୍ଷା କରାଯିବ । ରୋହିତ ସମ୍ପ୍ରତି ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଶରୀର ଓଜନ କମାଇବାକୁ ଜୋରଦାର ବ୍ୟାୟାମ କରୁଛନ୍ତି। ଆଜି ଫିଟ୍‌ ଘୋଷିତ ହେଲେ ରୋହିତଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଯିବ। ଅର୍ଥାତ ୧୨ ତାରିଖରେ ସେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବେ। ସେଠାରେ ପହଞ୍ଚି ସେ ୧୪ଦିନ ସଙ୍ଗରୋଧରେ ରହିବେ। ଏହି ସମୟ ମଧ୍ୟରେ ସେ ଦଳ ସହ ଯୋଗ ଦେଇପାରିବେ ନାହିଁ। ଫଳରେ ପ୍ରଥମ ୨ଟି ଟେଷ୍ଟରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିବ ନାହିଁ । ଶେଷ ୨ଟି ଟେଷ୍ଟ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିବ । ବର୍ତ୍ତମାନ ରୋହିତ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ଜଙ୍ଘ(ପଛ ପାଶ୍ୱର୍) ମାଂସପେଶୀରେ ଯନ୍ତ୍ରଣା ନାହିଁ। ହେଲେ ତାଙ୍କୁ ଓଜନ କମାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରୋହିତ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଅପ୍‌ଲୋଡ କରିଥିବା ଏକ ଫଟୋରେ ଖୁବ୍‌ ପତଳା ଦେଖାଯାଉଛନ୍ତି । ବାରମ୍ବାର ଆହତ ସମସ୍ୟାର ସମ୍ମୁଖୀନ ନହେବା ପାଇଁ ଶରୀର ଓଜନ କମିବା ଜରୁରୀ। ରୋହିତ ଫିଟ୍‌ନେସ୍‌ ପରୀକ୍ଷାରେ ବିଫଳ ହେଲେ ଭାରତୀୟ ଦଳର ଚିନ୍ତା ବଢିଯିବ । କାରଣ ପ୍ରଥମ ଟେଷ୍ଟ ପରେ ବିରାଟ କୋହଲି ସ୍ୱଦେଶ ଫେରି ଆସିବେ। ଦୁଇ ଜଣ ଷ୍ଟାର୍‌ ଖେଳାଳିଙ୍କ ବିନା ଭାରତ ପରବର୍ତ୍ତୀ ୩ଟି ଟେଷ୍ଟ ଖେଳିବ।


Share It

Comments are closed.