ଗରିବ ଏବଂ ଅସହାୟଙ୍କୁ କରୋନା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଯାଇ ନିଜେ ମାସ୍କ ପ୍ରସ୍ତୁତ କଲେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ


ଦେଶରେ କରୋନା ଭାଇରସ ସଂକ୍ରମିତ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ଦେଶରେ ୨୧ଦିନ ଲକଡାଉନ ଜାରି କରାଯାଇଛି । ପ୍ରାୟ ସମସ୍ତେ ଭିନ୍ନ-ଭିନ୍ନ ଉପାୟରେ ଏହି କରୋନା ବିରୋଧୀ ଲଢେଇରେ ସାମିଲ ହୋଇଛନ୍ତି । ଏହି ମଧ୍ୟରେ ରାଜସ୍ଥାନର ଯୋଧପୁର ସାଂସଦ ତଥା କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱତଙ୍କ ପତ୍ନୀ ନୌନନ୍ଦ କନୱାର ମଧ୍ୟ କରୋନା ବିରୋଧୀ ଲଢେଇରେ ସାମିଲ ହୋଇଛନ୍ତି । ସେ ଦେଶରେ ଦ୍ରୁତ ଗତିରେ ମାଡୁଥିବା କରୋନା ଭାଇରସ ଠାରୁ ଗରିବଙ୍କ ବଞ୍ଚାଇବା ପାଇଁ ବର୍ତ୍ତମାନ ମାସ୍କ ପ୍ରସ୍ତୁତ କରୁଛନ୍ତି । ଏହି କାମରେ ତାଙ୍କ ଝିଅ ସହଯୋଗ ମଧ୍ୟ କରୁଛନ୍ତି ।
ନିଜର ଏହି ମହତ୍ତ କାର୍ଯ୍ୟ ସଂପର୍କରେ ପ୍ରତିକ୍ରିୟା ରଖି ନୌନନ୍ଦ କହିଛନ୍ତି ଯେ, “ଏକ ଭିଡିଓ ଦ୍ୱାରା ମୋତେ ଏହି କାର୍ଯ୍ୟ କରିବାକୁ ପ୍ରେରଣା ମିଳିଥିବା, ଯେଉଁଥିରେ ମାସ୍କର ବ୍ୟବହାର ଦ୍ୱାରା ମହାମାରୀ କରୋନାର ଭାଇରସକୁ ପ୍ରତିହତ କରାଯାଇପାରିବ ବୋଲି କୁହାଯାଇଥିଲା । ବର୍ତ୍ତମାନ ଇଟାଲୀ, ଆମେରିକା ଏବଂ ଜର୍ମାନୀର ସ୍ଥିତି କଣ ରହିଛି ତାହା କାହାକୁ ଅଛୁପା ନାହିଁ ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଗରୀବଙ୍କ ପାଖରେ ମାସ୍କ ରହିବା ନିହାତି ଆବଶ୍ୟକ, ସେଥିପାଇଁ ସେ ଏହି କାମ କରିବା ଆରମ୍ଭ କରିଛନ୍ତି । ଏହି ମାସ୍କ ଗରିବ ଲୋକଙ୍କ ମଧ୍ୟରେ ବିତରଣ କରାଯାଉଛି ।” ଏହି ମାସ୍କ ବିତରଣ କାର୍ଯ୍ୟର ତଦାରଖ ନିଜେ ନୌନନ୍ଦ କରୁଥିବାବେଳେ ସେ ଦିନକୁ ପ୍ରାୟ ୫୦ରୁ ୭୦ଟି ମାସ୍କ ପ୍ରସ୍ତୁତ କରୁଛନ୍ତି । ଏହି କାମରେ ଅନ୍ୟ ସଦସ୍ୟଙ୍କ ସମେତ ତାଙ୍କ ପୁଅ ଏବଂ ଝିଅ ମଧ୍ୟ ସାହାର୍ଯ୍ୟ କରୁଛନ୍ତି ।


Share It

Comments are closed.