କାହିଁକି ପାଳନ କରାଯାଇଥାଏ ଶିବରାତ୍ରୀ?
ମହାଶିବରାତ୍ରି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ଆଦି ଦେବ ମହାଦେବଙ୍କ ଭକ୍ତ ବର୍ଷ ସାରା ଏହି ଦିନଟିକୁ ଅପେକ୍ଷା କରିଥାନ୍ତି । ମାନ୍ୟତା ରହିଛି ମହାଶିବରାତ୍ରିରେ ଶିବଲିଙ୍ଗ ଉପରେ ଜଳ, ଦୁଗ୍ଧ, ବେଲପତ୍ର, ଭାଙ୍ଗ ଆଦି ଚଢାଇବା ଦ୍ୱାରା ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଓ ତାଙ୍କୁ ମହାଦେବଙ୍କ ଅଶେଷ କୃପା ମିଳିଥାଏ । ତେବେ ପ୍ରତି ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ଶିବରାତ୍ରି ହୋଇଥାଏ କିନ୍ତୁ ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନର ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଇଥାଏ । ପୁରାଣରେ ମହାଶିବରାତ୍ରିର ସର୍ବାଧିକ ମହତ୍ୱ ରହିଛି । ହିନ୍ଦୁ ମାନ୍ୟତା ଅନୁସାରେ, ବର୍ଷରେ ଆସୁଥିବା ୧୨ଟି ଶିବରାତ୍ରି ମଧ୍ୟରୁ ମହାଶିବରାତ୍ରି ସବୁଠାରୁ ମହତ୍ୱପୂର୍ଣ୍ଣ ହୋଇଥାଏ । ଚଳିତ ବର୍ଷ ମହାଶିବରାତ୍ରିର ଫେବୃଆରୀ ୨୧ ତାରିଖ ଶୁକ୍ରବାର ପଡୁଥିବା ବେଳେ ଚତୁର୍ଥୀ ତିଥି ସନ୍ଧ୍ୟା ୫ଟା ୨୦ ମିନିଟ୍ରେ ଆରମ୍ଭ ହେଉଛି ଓ ସନ୍ଧ୍ୟା ୭ଟା ୨ ମିନିଟ୍ରେ ଶେଷ ହେଉଛି । ଏହି ଦିନ ସନ୍ଧ୍ୟା ୬ଟା ୪୧ ମିନିଟ୍ରୁ ରାତି ୧୨ଟା ୫୨ ମିନିଟ୍ ପର୍ଯ୍ୟନ୍ତ ରାତ୍ରି ପ୍ରହର ପୂଜାର ସମୟ ରହିଛି ।
ତେବେ ପ୍ରଶ୍ନ ଉଠୁଛି କାହିଁକି ପାଳନ କରାଯାଏ ମହାଶିବରାତ୍ରୀ? ମହାଶିବରାତ୍ରି ପାଳନ କରାଯିବାକୁ ନେଇ ଅନେକ ମାନ୍ୟତା ପ୍ରଚଳିତ ରହିଛି । ତେବେ ଏହାମଧ୍ୟରୁ ସର୍ବାଧିକ ପ୍ରଚଳିତ ୩ଟି ମାନ୍ୟତା ହେଉଛି:
– ଏକ ପୌରାଣିକ ମାନ୍ୟତା ଅନୁସାରେ ମହାଶିବରାତ୍ରି ଦିନ ହିଁ ଭାଗବାନ ଶିବ ପ୍ରଥମ ଥର ପାଇଁ ପ୍ରକଟ ହୋଇଥିଲେ । ଭାଗବାନ ଶିବ ଅଗ୍ନି ଜ୍ୟୋର୍ତିଲିଙ୍ଗ ଭାବେ ପ୍ରକଟ ହୋଇଥିଲେ, ଯାହାର ନା ଆଦି ଥିଲା ନା ଅନ୍ତ । କୁହାଯାଏ ଏହି ଶିବଲିଙ୍ଗ ସମ୍ପର୍କରେ ଜାଣିବା ପାଇଁ ସୃଷ୍ଟିର ରଚୟିତା ବ୍ରହ୍ମା ହଂସର ରୂପ ଧାରଣ କରିଥିଲେ ଓ ଲିଙ୍ଗର ଉପର ଭାଗ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସଫଳ ହୋଇନଥିଲେ । ସେହିପରି ସୃଷ୍ଟିର ପାଳନହାରୀ ବିଷ୍ଣୁ ମଧ୍ୟ ବରାହ ରୂପ ଧାରଣ କରି ଉକ୍ତ ଶିବ ଲିଙ୍ଗର ଆଧାର ଖୋଜିଥିଲେ କିନ୍ତୁ ସେ ମଧ୍ୟ ଅସଫଳ ହୋଇଥିଲେ ।
– ଅନ୍ୟ ଏକ ପୌରାଣିକ ମାନ୍ୟତା ହେଉଛି ମହାଶିବରାତ୍ରି ଦିନ ହିଁ ୬୪ଟି ଭିନ୍ନ ଭିନ୍ନ ସ୍ଥାନରେ ଶିବଲିଙ୍ଗ ଉତ୍ପନ୍ନ ହୋଇଥିଲା । ତେବେ ୬୪ଟି ମଧ୍ୟରୁ କେବଳ ୧୨ଟି ଜ୍ୟୋର୍ତିଏିଙ୍ଗ ସମ୍ପର୍କରେ ସୂଚନା ଉପଲବ୍ଧ ରହିଛି ।
– ତୃତୀୟ ମାନ୍ୟତା ଅନୁସାରେ, ମହାଶିବରାତ୍ରି ରାତିରେ ହିଁ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିବାହ ସମ୍ପନ୍ନ ହୋଇଥିଲା ।
Comments are closed.