ମକର ସଂକ୍ରାନ୍ତି ପାଳନ ପଛର କ’ଣ ରହିଛି ପୌରାଣିକ ବିଶେଷତ୍ତ୍ୱ, ଜାଣନ୍ତୁ


ସମଗ୍ର ଦେଶରେ ମକର ସଂକ୍ରାନ୍ତି ପାଳନ ଭିନ୍ନ ଭିନ୍ନ ଭାବେ ହୋଇଥାଏ । ଏହି ପର୍ବ ପାଳନ ପଛରେ କେତେକ ବୈଜ୍ଞାନିକ କାରଣ ରହିଥିବାବେଳେ କେତେକ ଧାର୍ମିକ ମହତ୍ୱ ମଧ୍ୟ ରହିଛି । ମାନ୍ୟତା ଅନୁଯାୟୀ ମକର ସଂକ୍ରାନ୍ତି ଦିନ ଗଙ୍ଗା ନଦୀର ଧରାରେ ଅବତରଣ ହୋଇଥିଲା । ଏହି ଦିନ ଗଙ୍ଗା ନଦୀରେ ସ୍ନାନ କରିବାର ବହୁତ ବଡ଼ ମାନ୍ୟତା ରହିଛି । ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ପଛରେ ଥିବା କିଛି ମାନ୍ୟତା ଏବଂ ରହସ୍ୟ ବିଷୟରେ …
ଏହି ପର୍ବକୁ ଭାରତୀୟ ଜ୍ୟୋତିଷ ଅନୁସାରେ ପିତା ସୂର୍ଯ୍ୟ ଏବଂ ଶନିଙ୍କର ସାକ୍ଷାତ ରୂପରେ ମଧ୍ୟ ପାଳନ କରାଯାଏ । ଜ୍ୟୋତିଷ ଗଣନା ଅନୁସାରେ ଗୁରୁଙ୍କର ରାଶି ଧନୁରେ ବିଚରଣ କରୁଥିବା ସୂର୍ଯ୍ୟ ଗ୍ରହ ଯେବେ ମକର ଅର୍ଥାତ ଶନିଦେବ ରାଶିରେ ପ୍ରବେଶ କରିଥାନ୍ତି ଏବଂ ମାନ୍ୟତା ରହିଛି ଏହି ଦିନ ଭଗବାନ ସୂର୍ଯ୍ୟ ନିଜ ପୁତ୍ର ଶନିଙ୍କୁ ଭେଟିବାକୁ ତାଙ୍କ ଘରକୁ ଆସିଥାନ୍ତି । ଏହି କାରଣରୁ ଏହି ଦିନଟି ମକର ସଂକ୍ରାନ୍ତି ନାମରେ ପରିଚିତ ।
ଦ୍ୱିତୀୟ ମାନ୍ୟତା ଅନୁଯାୟୀ ମକର ସଂକ୍ରାନ୍ତି ଦିନ ଗଙ୍ଗାମାତା ଭାଗୀରଥୀଙ୍କ ଅନୁସରଣ କରି କପିଳ ମୁନିଙ୍କ ଆଶ୍ରମ ଦେଇ ସାଗରରେ ମିଶିଯାଇଥିଲେ । କୁହାଯାଇଥାଏ ଯେ ଗଙ୍ଗାଙ୍କୁ ଧରାପୃଷ୍ଠକୁ ଆଣିଥିବା ଭାଗିରଥୀ ନିଜର ପୂର୍ବପୁରୁଷଙ୍କ ପାଇଁ ଏହି ବିଶେଷ ଦିନର ତପସ୍ୟା କରିଥିଲେ । ତାଙ୍କର ତପସ୍ୟା ସ୍ୱୀକାର ହେବା ପରେ ଏହି ଦିନ ଗଙ୍ଗା ସମୁଦ୍ରରେ ମିଶିଯାଇଥିଲେ । ଏହି କାରଣରୁ ହିଁ ମକର ସଂକ୍ରାନ୍ତି ଦିନ ଗଙ୍ଗା ନଦୀ କୂଳରେ ମେଳା ଲାଗିଥାଏ ।
ମହାଭାରତର ଭୀଷ୍ମ ପିତାମହ ନିଜର ପ୍ରାଣ ତ୍ୟାଗ କରିବା ପାଇଁ ସୂର୍ଯ୍ୟଙ୍କର ମକର ରାଶିକୁ ଆଗମନର ଅପେକ୍ଷାରେ ରହିଥିଲେ । ସୂର୍ଯ୍ୟଙ୍କରତ୍ତଉତରାୟଣ ସମୟରେ ଦେହତ୍ୟାଗ କରିଥିବା ବା ମୃତ୍ୟୁ ହୋଇଥିବ ଆତ୍ମାଗୁଡ଼ିକ କିଛି ସମୟ ପାଇଁ ଦେବଲୋକଙ୍କୁ ଯାଇଥାନ୍ତି । ଯାହାଦ୍ୱାରା ଆତ୍ମାକୁ ପୁନର୍ଜନ୍ମ ଚକରରୁ ମୁକ୍ତି ମିଳିଥାଏ ଏବଂ ଏହାକୁ ‘ମୋକ୍ଷ’ ପ୍ରାପ୍ତି ମଧ୍ୟ କୁହାଯାଇଥାଏ । ତେଣୁ ଏହି ପର୍ବ ପାଳନ ପଛରେ ଏହାର ମାନ୍ୟତା ମଧ୍ୟ ରହିଛି ।
କୁହାଯାଇଥାଏ ଯେ ମକରସଂକ୍ରାନ୍ତି ଦିନ ଭଗବାନ ବିଷ୍ଣ୍‌ୁ ଅସୁରମାନଙ୍କର ବିନାଶ କରି ଯୁଦ୍ଧ ସମାପ୍ତିର ଘୋଷଣା କରି ସମସ୍ତ ଅସୁରଙ୍କର ମସ୍ତକଙ୍କୁ ମନ୍ଦାର ପର୍ବତ ମଧ୍ୟରେ ଚପାଇଦେଇଥିଲେ । ଏହିଭଳି ଭାବେ ଏହି ଦିନକୁ ପାପ ଏବଂ ନକାରାତ୍ମକତାର ଅନ୍ତ ଦିବସ ରୂପେ ମଧ୍ୟ ମାନ୍ୟତା ଦିଆଯାଇଥାଏ ।


Share It

Comments are closed.