ଥିଏଟର କମାଣ୍ଡ କଣ? ଯାହା ଭାରତୀୟ ସେନାକୁ କରିବ ଅଧିକ ଶକ୍ତିଶାଳୀ


ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ହେବା ପରେ ଜେନେରାଲ ବିପିନ୍ ରାୱତ କହିଥିଲେ, ଭବିଷ୍ୟତରେ ଥିଏଟର କମାଣ୍ଡ ଗଠନ କରାଯିବ ଯାହାଫଳରେ ଯୁଦ୍ଧ ସମୟରେ ଶତ୍ରୁଙ୍କୁ କଡା ଜବାବ ଦିଆଯାଇପାରିବ । ତେବେ ଥିଏଟର କମାଣ୍ଡ କ’ଣ ଏବଂ ଏହା ଦେଶ ପାଇଁ କାହିଁକି ଜରୁରୀ ଆସନ୍ତ ଜାଣିବା ।
ଥିଏଟର କମାଣ୍ଡର ସବୁଠାରୁ ସଠିକ୍ ଉପଯୋଗ ଯୁଦ୍ଧ ସମୟରେ ହୋଇଥାଏ ଯେତେବେଳେ ତିନି ସେନା ମଧ୍ୟରେ ସମନ୍ୱୟ ରହିଥାଏ । ଯୁଦ୍ଧ ସମୟରେ ତିନି ସେନା ମଧ୍ୟରେ ତାଳମେଳ ବଜାୟ ରଖିବା ପାଇଁ ଏହି କମାଣ୍ଡ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହିଠାରୁ ତିଆରି ହୋଇଥିବା ରଣନୀତି ମାଧ୍ୟମରେ ଶତ୍ରୁକୁ ଧରାଶାୟୀ କରାଯାଇଥାଏ । ଏହି କାରଣରୁ ଏବେ ସେନା, ବାୟୁସେନା ଓ ନୌସେନା ଏକାସଙ୍ଗେ ମିଶି ଇଣ୍ଡିଗ୍ରେଟେଡ୍ ଥିଏଟର କମାଣ୍ଡ ଗଠନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶର ଭୌଗୋଳିକ ଓ ରଣନୈତିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ଦେଶର ତିନି ସେନା ଓ ଅନ୍ୟ ସୈନ୍ୟ ବଳଗୁଡିକୁ ଏକତ୍ରୀତ କରାଯାଇଥାଏ । ଏହି କମାଣ୍ଡର ଜଣେ ହିଁ ଅପରେସ୍ନାଲ କମାଣ୍ଡର ଥାଆନ୍ତି । ସମାନ ଭୂଗୋଳ ବିଶିଷ୍ଟ ଯୁଦ୍ଧ କ୍ଷେତ୍ର ଯେପରିକି ହିମାଳୟର ପାର୍ବତ୍ୟାଂଚଳ, ରାଜସ୍ଥାନର ମରୁଭୂମି ଓ ଗୁଜୁରାଟର କଚ୍ଛ ଆଦି ସ୍ଥାନକୁ ସହଜରେ ନିୟନ୍ତ୍ରିତ କରିବା ଲାଗି ଭୌଗୋଳିକ କ୍ଷେତ୍ରର ଚୟନ କରାଯାଇଥାଏ ।
ଥିଏଟର କମାଣ୍ଡ ଦ୍ୱାରା ଏହା ସୁନିଶ୍ଚିତ ହୋଇଥାଏ ଯେ, ତିନି ସେନା ମଧ୍ୟରେ ସମନ୍ୱୟ ସଠିକ୍ ରହିଛି ଏବଂ ଏମାନେ ଏକାସଙ୍ଗେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହିପ୍ରକାରର କମାଣ୍ଡ ଗଠନ ହେବା ଦ୍ୱାରା ଖର୍ଚ୍ଚ କମ୍ ହୋଇଥାଏ ଓ ସଂସାଧନଗୁଡିକର ଉପଯୋଗ ସଠିକ୍ ରୂପେ ହୋଇପାରିଥାଏ ।
ବର୍ତମାନ ଦେଶରେ ଗୋଟିଏ ମାତ୍ର ଥିଏଟର କମାଣ୍ଡ ରହିଥିବା ବେଳେ ୨୦୦୧ରେ ଆଣ୍ଡାମାନ ନିକୋବରରେ ଏହାର ସ୍ଥାପନ କରାଯାଇଥିଲା । ତେବେ ବର୍ତମାନ ଦେଶର ତିନି ସେନା ପାଖରେ ୧୭ଟି ଭିନ୍ନ ଭିନ୍ନ କମାଣ୍ଡ ରହିଛି । ଏହାଛଡା ଏକ ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ରହିଛି ଯାହା ପରମାଣୁ ଶସ୍ତ୍ରାଗାରକୁ ସୁରକ୍ଷା ଦେବା ସହ ତାହାର ପରିଚାଳନା କରୁଛି । ଏହାକୁ ୨୦୦୩ରେ ସ୍ଥାପନ କରାଯାଇଥିଲା ।


ଥିଏଟର କମାଣ୍ଡର ଆବଶ୍ୟକତା: ବର୍ତମାନ ଦେଶରେ ଥିବା ପ୍ରାୟ ୧୫ ଲକ୍ଷ ସଶକ୍ତ ସୈନ୍ୟବଳକୁ ସଂଗଠିତ ଓ ଏକତ୍ରୀତ କରିବା ଲାଗି ଥିଏଟର କମାଣ୍ଡର ଆବଶ୍ୟକତା ରହିଛି । କମାଣ୍ଡ ଗଠନ ହେବା ଦ୍ୱାରା ସୈନ୍ୟ ବଳର ଆଧୁନିକୀକରଣର ଖର୍ଚ୍ଚ କମ୍ ହେବ । ଯେକୌଣସି ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ କେବଳ ଗୋଟିଏ ସେନା କରିବ ନାହିଁ ବରଂ ଉକ୍ତ କମାଣ୍ଡ ଅଧୀନରେ ଥିବା ସମସ୍ତ ସୈନ୍ୟବଳ ଏହାର ଉପଯୋଗ କରିପାରିବେ ।
ଦେଶରେ ଏବେ ଥିବା ୧୭ଟି ସିଙ୍ଗଲ କମାଣ୍ଡକୁ ମିଶାଇ ସର୍ବନିମ୍ନ ୪ କିମ୍ବା ୬ଟି ଥିଏଟର କମାଣ୍ଡ କରାଯାଇପାରେ ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାଯାଇଛି । ଏହି କମାଣ୍ଡଗୁଡିକ ହେଉଛି:
ପଶ୍ଚିମ ଥିଏଟର କମାଣ୍ଡ: ଏହା ଅଧୀନରେ ପାକିସ୍ତାନ ସୀମାକୁ ଲାଗିଥିବା ପଞ୍ଜାବ, ରାଜସ୍ଥାନ ଓ ଗୁଜୁରାଟର କଚ୍ଛ ପର୍ଯ୍ୟନ୍ତ ଅଂଚଳ ରହିବ । ବର୍ତମାନ ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ କମାଣ୍ଡ ଏହି ଅଂଚଳର ତଦାରଖ କରୁଛନ୍ତି ।
ଉତର ଥିଏଟର କମାଣ୍ଡ: ଜମ୍ମୁକଶ୍ମୀର ଓ ଲଦ୍ଦାଖର ପାହାର ଅଂଚଳ ଏହା ଅଧୀନରେ ରହିବ ଏବଂ ଏହି କମାଣ୍ଡ ଦ୍ୱାରା ପାକିସ୍ତାନ ଓ ଚୀନ ଉପରେ ନଜର ରଖାଯିବ । ଏହା ଉତର କମାଣ୍ଡ ଅଧିନରେ ରହିଛି ।


ପୂର୍ବ ଥିଏଟର କମାଣ୍ଡ: ଦେଶର ଉତର-ପୂର୍ବକୁ ଲାଗିଥିବା ଚୀନ୍, ବାଂଲାଦେଶ ଓ ମିଆଁମାର୍ ସୀମାଗୁଡିକର ସୁରକ୍ଷା ପାଇଁ ଏହି ଥିଏଟର କମାଣ୍ଡ ଗଠନ କରାଯିବ । ବର୍ତମାନ ସେନା ଓ ବାୟୁସେନା ପୂର୍ବ କମାଣ୍ଡର ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।
ଦକ୍ଷିଣ ଥିଏଟର କମାଣ୍ଡ: ଦେଶର ତିନି ଉପକୂଳର ସୁରକ୍ଷା ପାଇଁ ଏହାର ଗଠନ କରାଯିବ । ବର୍ତମାନ ଏହାକୁ ନୌସେନା ଓ ବାୟୁସେନା ସୁରକ୍ଷା ଦେଉଛନ୍ତି ।
ଏରୋସ୍ପେସ୍ ଥିଏଟର କମାଣ୍ଡ: ଏହି ଥିଏଟର କମାଣ୍ଡ ଦେଶର ଆକାଶପଥକୁ ସୁରକ୍ଷା ଦେବ । ଏହା ମିଶାଇଲ ଡିଫେନ୍ସ ଭଳି କାମ କରିବ ଏବଂ ଅନ୍ତରୀକ୍ଷରୁ ହେବାକୁ ଥିବା ଆକ୍ରମଣକୁ ରୋକିପାରିବ ।
ଲଜିଷ୍ଟିକ୍ସ ଥିଏଟର କମାଣ୍ଡ: ଏହି କମାଣ୍ଡ ଦେଶର ସମସ୍ତ ଥିଏଟର କମାଣ୍ଡ ମଧ୍ୟରେ ହତିଆର ଓ ଅନ୍ୟ ସାମଗ୍ରୀ ପହଂଚାଇବାର କାମ କରିବ । ଏହାବ୍ୟତୀତ ବିଦେଶର ଥିଏଟର କମାଣ୍ଡଗୁଡିକ ସହ ସମନ୍ୱୟ ରକ୍ଷା କରିବ ।


Share It

Comments are closed.