ଉତ୍କଳୀୟ ସଂସ୍କୃତିରେ ଝୁଲଣ ଯାତ୍ରାର କ’ଣ ରହିଛି ବିଶେଷତ୍ୱ


ହିନ୍ଦୁ ଧର୍ମ ତଥା ବୈଷ୍ଣବ ଧର୍ମରେ ନାନା ଦେବା ଦେବୀ ପୂଜାର ପ୍ରଚଳନ କାହିଁ କୋଉ ଅନାଦି କାଳରୁ ରହିଆସିଛି । ପରମ୍ପରା ଅନୁଯାୟି ହିନ୍ଦୁମାନେ ତେତିଶ କୋଟି ଦେବା ଦେବୀଙ୍କୁ ପୂଜା କରନ୍ତି, ତାହା ପୁଣି ବିଭିନ୍ନ ରୁପରେ । ଯଦି ଏଠାରେ କଥା ଆସେ ଓଡ଼ିଶା ସଂସ୍କୃତି କଥା ତେବେ ଏଠାକାର ଜଗନ୍ନାଥ ସଂସ୍କୃତି ଯେତିକି ରହସ୍ୟମୟ ତାଠାରୁ ଅଧିକ ଶିକ୍ଷଣୀୟ ମଧ୍ୟ । ଜଗନ୍ନାଥ ସଂସ୍କୃତିରେ ଆରାଧ୍ୟଭାବେ ଜଗନ୍ନାଥଙ୍କୁ ପୂଜା କରାଗଲେ ମଧ୍ୟ ତାଙ୍କର ଅନ୍ୟ ଏକ ଅବତାରଭାବେ ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଇଥାଏ । ପୁରୀର ଜଗନ୍ନାଥ ମନ୍ଦିର ତଥା ବିଭିନ୍ନ ମଠ ଗୁଡ଼ିକରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଶ୍ରୀକୃଷ୍ଣଙ୍କର ପବିତ୍ର ଝୁଲଣ ଯାତ୍ରା । ଏହି ଝୁଲଣ ଯାତ୍ରା ବୃନ୍ଦାବନରେ ଅତି ଧୂମ୍ ଧାମରେ ପାଳନ କରାଯାଉଥିବାବେଳେ ପୁରୀରେ ମଧ୍ୟ ଏହାର ସେତିକି ପ୍ରଭାବ ରହିଛି । ଝୁଲଣ ଯାତ୍ରା ସମ୍ପର୍କରେ ଜୟଦେବଙ୍କ ଗୀତ ଗୋବିନ୍ଦରେ ସବିଶେଷ ବର୍ଣ୍ଣନା କରାଯାଇଛି । ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅବସ୍ଥାପିତ ମୁକ୍ତି ମଣ୍ଡପ ଏବଂ ମୂଖ୍ୟ ମନ୍ଦିର ମଝିରେ ଏକ ସୁସଜ୍ଜିତ ଦୋଳିରେ ଶ୍ରୀ ରାଧା କୃଷ୍ଣଙ୍କୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଝୁଲାଯିବା ସହିତ ଶ୍ରୀ ରାଧା ଏବଂ କୃଷ୍ଣଙ୍କର ବିଭିନ୍ନ ଲୀଳାମୟ ଚିତ୍ର ମାଧ୍ୟମରେ ସଜା ଯାଇଥାଏ ।
ଯଦିଓ ବୈଷ୍ଣବ ଧର୍ମ ବହୁତ ଆଗରୁ ଓଡ଼ିଶାରେ ପ୍ରଚଳିତ ତଥାପି ଶ୍ରୀକୃଷ୍ଣ ପୂଜାର ସଂସ୍କୃତି ୧୫ ଶତାବ୍ଦିର ପ୍ରାରମ୍ଭରେ ଶ୍ରୀଚୈତନ୍ୟ ଏବଂ ତାଙ୍କ ଅନୁଗାମୀଙ୍କ ଦ୍ୱାରା ଅଧିକ ଲୋକପ୍ରିୟ ହୋଇପାରିଥିଲା । ଓଡ଼ିଶାରେ ଅଧିକାଂଶ ମନ୍ଦିରରେ ଶ୍ରୀଜଗନ୍ନାଥ ପୂଜା ପାଉଥିବାବେଳେ ଶ୍ରୀକୃଷ୍ଣଙ୍କ ପ୍ରତିମା ଖୁବ୍ କମ୍ ମନ୍ଦିରରେ ମଦନ ମୋହନ, ରାମକୃଷ୍ଣ ଏବଂ ଗୋପାଳ ନାମରେ ପୂଜା ପାଉଛନ୍ତି । ତେଣୁ ଏହି ଝୁଲଣ ଯାତ୍ରା ବିଭିନ୍ନ ଗୌଡ଼ିୟ ମଠ ତଥା ଗୋପାଳ ମନ୍ଦିର ମାନଙ୍କରେ ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭହୋଇ ଗହ୍ମା ପୁର୍ଣ୍ଣମୀରେ ଶେଷ ହୋଇଥାଏ । ଜଗନ୍ନାଥ ମନ୍ଦିରେ ଝୁଲଣ ଯାତ୍ରା ଗଜପତି ମହାରାଜ ଦ୍ୱିତୀୟ ଦିବ୍ୟସିଂହ ଦେବ (୧୭୯୩-୯୮)ଙ୍କ ସମୟରେ ଆରମ୍ଭ କରାଯାଇଥିଲା ।

ପାରମ୍ପାରିକଭାବେ ଝୁଲଣ ଯାତ୍ରାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ମୁକ୍ତି ମଣ୍ଡପ ତଥା ଝୁଲଣ ମଣ୍ଡପରେ ମଦନ ମୋହନ, ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ମା ଲକ୍ଷ୍ମୀ ଏବଂ ବିଶ୍ୱାଧାତ୍ରୀଙ୍କୁ ଝୁଲଣରେ ଝୁଲାଯାଇଥାଏ ଏବଂ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଠାକୁରଙ୍କ ପାଖରେ ଭଜନ କୀର୍ତ୍ତନ କରାଯାଏ । ଝୁଲଣରେ ଅବସ୍ଥାପିତ ଅଧିକାଂଶ ଦେବାଦେବୀଙ୍କୁ ସବୁଜ ରଙ୍ଗର ପୋଷାକ ଏବଂ ବିଭିନ୍ନ ପ୍ରକାର ସୁବାଷିତ ଫୁଲରେ ସଜା ଯାଇଥାଏ । ଯାହା ମୂଖ୍ୟତଃ ବର୍ଷାର ଆଗମନରେ ସବୁଜ ରଙ୍ଗରେ ପ୍ରଷ୍ପୁଟିତ ଶସ୍ୟ ଶାମଳା ଧରିତ୍ରୀକୁ ପରିପ୍ରକାଶ କରିଥାଏ । ଏହି ସମୟର ମହତ୍ତ୍ୱ ହେଉଛିକି ବର୍ଷାର ଆଦ୍ରତା ସହିତ ପବନ ଭାରୀ ରହିଥାଏ ଏବଂ ଭକ୍ତମାନେ ଠାକୁରଙ୍କୁ ଝୁଲାରେ ଝୁଲାଇ ସେମାନଙ୍କୁ ଶୀତଳ ପବନ ଯୋଗାଇଥାନ୍ତି ।
କଥିତ ରହିଛିକି ଏହି ଝୁଲଣ ସମୟରେ ଶ୍ରୀମନ୍ତି ରାଧିକା ତାଙ୍କ ଶାଶୂ ଘରୁ ବାପ ଘରକୁ ବୁଲିବାକୁ ଯାଇଥାନ୍ତି ଏବଂ ସେଠାରେ ମୁକ୍ତ ଭାବରେ ଶ୍ରୀକୃଷ୍ଣଙ୍କ ସହିତ ମିଳାମିଶିକରି ଜଙ୍ଗଲରେ ଗୋପୀ ମାନଙ୍କ ସହିତ ଝୁଲଣ ଝୁଲି ଉପଭୋଗ କରିଥାନ୍ତି । ଏହି ପରମ୍ପରାକୁ ବଜାୟ ରଖିବାକୁଯାଇ ଆମ ଦେଶର ଅନେକ ସ୍ଥାନରେ ଶାଶୂ ଘରୁ ଝିଅମାନେ ଏହି ସମୟରେ ବାପ ଘରକୁ ଯିବାର ପ୍ରବାଦ ରହିଛି ।


Share It

Comments are closed.