ଗବେଷକଙ୍କ ଦାବୀ, ଚଷମା ପିନ୍ଧୁଥିବା ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ସମ୍ଭାବନା କମ୍‌


ଚୀନ୍‌ ଗବେଷକମାନେ ଦାବି କରିଛନ୍ତି ଯେ ପ୍ରତିଦିନ ଅଧିକ ସମୟ ଯାଏଁ ଚଷମା ପିନ୍ଧୁଥିବା ବ୍ୟକ୍ତି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା କମ୍‌ ଥାଏ । ସାଧାରଣ ଲୋକଙ୍କ ତୁଳନାରେ ଚଷମା ପିନ୍ଧୁଥିବା ବ୍ୟକ୍ତି ସଂକ୍ରମିତ ହେବାର ସମ୍ଭାବନା ୫ ଗୁଣ କମ୍‌ ଥାଏ । ନାନଚାଙ୍ଗ ୟୁନିଭରସିଟି ଅଧୀନରେ ପରିଚାଳିତ ହେଉଥିବା ଏକ ହସ୍ପିଟାଲର ଚିକିତ୍ସକମାନେ ଏହା କହିଛନ୍ତି ।

ସେମାନଙ୍କ ଅନୁସାରେ, ଆଖିରେ ଏସିଇ-୨ ରିସିପ୍ଟର ଥାଏ। କରୋନା ଭାଇରସର ସ୍ପାଇକ୍‌ ପ୍ରୋଟିନ୍‌ ଏହି ରିସିପ୍ଟର ସହ ସଂଯୁକ୍ତ ହୋଇ ମଣିଷ ଦେହ ଭିତରେ ପ୍ରବେଶ କରିଥାଏ । ବାୟୁରେ ଥିବା କରୋନା ଭାଇରସ ସଂଯୁକ୍ତ କଣିକାର ସଂସ୍ପର୍ଶରେ ଆସିଲେ କିମ୍ବା ଆଖିରେ ହାତ ମାରିଲେ, କରୋନା ଭାଇରସ ଆଖି ଦେଇ ଦେହ ଭିତରେ ପ୍ରବେଶ କରିଥାଏ। ତେଣୁ ଅଧିକ ସମୟ ଯାଏଁ ଚଷମା ପିନ୍ଧିଲେ ଏପରି ଘଟିବାର ସମ୍ଭାବନା ହ୍ରାସ ପାଇଥାଏ । ଗବେଷକମାନେ ଜାନୁଆରୀ ୨୭ରୁ ମାର୍ଚ୍ଚ ୧୩ ଭିତରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ୨୭୬ ଜଣ ରୋଗୀଙ୍କ ଉପରେ ଅଧ୍ୟୟନ କରିଥିଲେ । ସେମାନଙ୍କ ଭିତରୁ ୩୦ ଜଣ ଚଷମା ପରିଧାନ କରୁଥିଲେ । ଏମାନଙ୍କ ଉପରେ ଅଧ୍ୟୟନ କରି ସେମାନେ ଉପରୋକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।


Share It

Comments are closed.