ଓଡ଼ିଶାରେ ବର୍ଷକୁ ସୃଷ୍ଟି ହେଉଛି ୫୦ ନିୟୁତ ଟନ୍ ଶିଳ୍ପ ବର୍ଜ୍ୟବସ୍ତୁ

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବୈଜ୍ଞାନିକ ପଦ୍ଧତିର ଆବଶ୍ୟକତା ରହିଛି: ଶିଳ୍ପ ମନ୍ତ୍ରୀ


ଓଡ଼ିଶାରେ ଥିବା ଶିଳ୍ପ ସଂସ୍ଥା ଗୁଡ଼ିକରେ ପ୍ରତିବର୍ଷ ୫୦ ନିୟୁତ ଟନ୍ରୁ ଅଧିକ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି । ସେଥି ମଧ୍ୟରୁ ସିଂହ ଭାଗ ଅର୍ଥାତ ୩୨ ନିୟୁତ ଟନ୍ ହେଉଛି ଫ୍ଲାଏ ଆସ୍ । ଏବେ ସମଗ୍ର ବିଶ୍ୱ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଚୀନ୍ ଅନ୍ୟ ଦେଶଗୁଡ଼ିକ ଠାରୁ ବହୁତ ଆଗରେ ରହିଛି । ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଓଡ଼ିଶାର ଶିଳ୍ପ ସଂସ୍ଥାଗୁଡ଼ିକୁ ବୈଜ୍ଞାନିକ ପଦ୍ଧତି ଗ୍ରହଣ କରିବାକୁ ପଡ଼ିବ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ।

ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ତରଫରୁ ଆୟୋଜିତ ଶିଳ୍ପ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କିତ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଲେ, ଓଡ଼ିଶାରେ ପ୍ରତିଟି ଲୋକ ଦିନକୁ ୨ କେଜି ବର୍ଜ୍ୟବସ୍ତୁ ସୃଷ୍ଟି କରୁଛନ୍ତି । ଅର୍ଥାତ ଜଣେ ବ୍ୟକ୍ତି ମାସକୁ ୬୦ କେଜି ବର୍ଜ୍ୟ ସୃଷ୍ଟି କରୁଛି । ଆମ ରାଜ୍ୟରେ ୪ କୋଟିରୁ ଅଧିକ ଲୋକ ବାସ କରୁଛନ୍ତି । ସେହି ଅନୁସାରେ ଚିନ୍ତା କରନ୍ତୁ କେବଳ ଘରେ ଘରେ ବର୍ଷକୁ କେତେ ପରିମାଣର ବର୍ଜ୍ୟବସ୍ତୁ ସୃଷ୍ଟି ହେଊଛି । ଏହା ବ୍ୟତୀତ ଆମ ରାଜ୍ୟରେ ଅନେକ ଶିଳ୍ପ ସଂସ୍ଥା ରହିଛନ୍ତି ଯେଉଁମାନେ ବର୍ଷକୁ ବିପୁଳ ପରିମାଣର ବର୍ଜବସ୍ତୁ ସୃଷ୍ଟି କରୁଛନ୍ତି । ସେଥିପାଇଁ ଶିଳ୍ପ ସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନା ଲାଗି ବୈଜ୍ଞାନିକ ପଦ୍ଧତିର ଆବଶ୍ୟକତା ରହିଛି ।’’

ସେ କହିଛନ୍ତି, ସାରା ବିଶ୍ୱରେ ଭୁଟାନ ହେଉଛି ଏକମାତ୍ର ଦେଶ ଯାହା କମ୍ ପରିମାଣ ଅଙ୍ଗାରକାମ୍ଳ ବାୟୁ ମଣ୍ଡଳକୁ ଛାଡ଼ୁଥିବା ବେଳେ ଅଧିକ ଅମ୍ଳଜାନ ସୃଷ୍ଟି କରୁଛି । ଆମକୁ ସେହି ଛୋଟିଆ ଦେଶ ଠାରୁ ବହୁତ କିଛି ଶିଖିବାର ଅଛି । ଆମ ପଡ଼ୋଶୀ ଦେଶ ଚୀନ୍ ମଧ୍ୟ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବହୁତ ଆଗରେ ରହିଛି । ଏଥିପାଇଁ ପ୍ରଯୁକ୍ତି ବିକଶିତ କରିବା ଲାଗି ସେମାନେ ବିପୁଳ ପରିମାଣର ପୁଞ୍ଜିନିବେଶ କରୁଛନ୍ତି । ଆମର ଶିଳ୍ପ ସଂସ୍ଥାଗୁଡ଼ିକୁ ମଧ୍ୟ ଆଗେଇ ଆସିବାକୁ ପଡ଼ିବ ଏବଂ ବର୍ଜ୍ୟ ପରିଚାଳନା ଲାଗି ପ୍ରଯୁକ୍ତି ଆଣିବା ଦିଗରେ ବିପୁଳ ପରିମାଣର ନିବେଶ କରିବାକୁ ହେବ । ଭବିଷ୍ୟତର ପିଢ଼ିକୁ ଏକ ସବୁଜ ଓ ସ୍ୱଚ୍ଛ ପରିବେଶ ପ୍ରଦାନ କରିବାକୁ ହେଲେ ଆମକୁ ଏକଜୁଟ ହୋଇ ଧୀରେ ଧୀରେ ଏହି ବର୍ଜ୍ୟ ସମସ୍ୟାର ସମାଧାନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଚିବ ଦେବିଦତ ବିଶ୍ୱାଳ କହିଛନ୍ତି ଯେ, ଆମ ରାଜ୍ୟ ବର୍ଷକୁ ୫୦ ନିୟୁତ ଟନ୍ ଶିଳ୍ପ ବର୍ଜ୍ୟବସ୍ତୁ ସୃଷ୍ଟି କରୁଛି । ସେଥି ମଧ୍ୟରୁ ୩୨ ନିୟୁତ ଟନ୍ ହେଉଛି ଫ୍ଲାଏ ଆସ୍ । ଆମେ ଫ୍ଲାଏ ଆସ୍କୁ ବିଭିନ୍ନ ପ୍ରକଳ୍ପରେ ବ୍ୟବହାର କରି ଏହାକୁ ବ୍ୟବହାର ଉପଯୋଗୀ କରିପାରିଛୁ । ବର୍ତମାନ ସୁଦ୍ଧା ୮୩% ଫ୍ଲାଏ୍ ଆସ୍କୁ ବ୍ୟବହାର କରାଯାଇପାରୁଛି । ନାଲ୍କୋ ପକ୍ଷରୁ ଭରତପୁର ଖଣିକୁ ପୂରଣ କରିବା ଲାଗି ଏକ ସ୍ଲରି ପାଇପ୍ଲାଇନ୍ ନିର୍ମାଣ କରାଯାଉଛି । ସେହି ପ୍ରକଳ୍ପ କାମ ଶେଷ ହୋଇଯିବା ପରେ ଫ୍ଲାଏ୍ ଆସ୍ ବ୍ୟବହାର ମାତ୍ରା ୯୦%ରୁ ଅଧିକ ହୋଇଯିବ । ଆସନ୍ତା ୨-୩ ବର୍ଷରେ ଆମେ ଫ୍ଲାଏ୍ ଆସ୍କୁ ୧୦୦% ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଛୁ । ଏହା ବ୍ୟତୀତ ରେଡ୍ ମଡ୍ରୁ ଖଣିଜ ଉପାଦାନ ବାହାର କରିବା ଏବଂ ରିଫ୍ରାକ୍ଟରିଜ୍କୁ ବ୍ୟବହାର ଉପଯୋଗୀ କରିବାକୁ ମଧ୍ୟ ଆମେ ଉଦ୍ୟମ କରୁଛୁ ।’’

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ଇଂଜିନିୟର ଡକ୍ଟର ଏନ୍ ଆର୍ ସାହୁ, ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ସଦସ୍ୟ ସନ୍ତୋଷ ମହାପାତ୍ର ଏବଂ ଜେଏସ୍ଏଲ୍ର ଚିଫ୍ ରେସିଡେଂଟ୍ ରିପ୍ରେଜେଟେଂଟିଭ୍ ଏସ୍ ଏସ୍ ଉପାଧ୍ୟାୟ ଉପସ୍ଥିତ ଥିଲେ ।


Share It

Comments are closed.