ସିନ୍ଧିଆଙ୍କୁ ଦଳରେ ଅଣଦେଖା କରାଯାଉଥିବାର ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଲେ ଦିଗବିଜୟ ସିଂହ


ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ସହ ସାକ୍ଷାତ କରି କଂଗ୍ରେସରୁ ଇସ୍ତଫା ଦେଇଥିବାବେଳେ ସେ ନିଜର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳ ତାଙ୍କୁ ଅଣଦେଖା କରା ଯାଉଥିବାର ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ।
ଦିଗବିଜୟ ଏହି ସଂପର୍କରେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, “ଅଣଦେଖା କରିବାର କୌଣସ ପ୍ରଶ୍ନ ଉଠୁ ନାହିଁ । ଦୟାକରି ଗ୍ୱାଲିୟର ଚମ୍ବଲ ଡିଭିଜନ ଠାରୁ ଆରମ୍ଭ କରି ପ୍ରଦେଶ କଂଗ୍ରେସର ଯେକୌଣସି କଂଗ୍ରେସ ନେତାଙ୍କୁ ଯଦି ପଚରା ଯିବେ, ତେବେ ସମସ୍ତେ କହିବେ ଦୀର୍ଘ ୧୬ ଯାଏଁ ତାଙ୍କ ବିନା ଅନୁମତିରେ ଏହି କୌଣସି କାର୍ଯ୍ୟ ହୋଇ ନାହିଁ । ମୁଁ ତାଙ୍କୁ ଶୁଭକାମନା ଦେଉଛି । ”


ପ୍ରକାଶ ଥାଉକି, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ତାଙ୍କ ସମର୍ଥିତ ୨୨ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଥିବାବେଳେ ବର୍ତ୍ତମାନ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଉପରେ ବିପଦର ବାଦଲ ଛାଇ ଯାଇଛି । ସେପଟେ ୪୯ ବର୍ଷିୟ ଜ୍ୟୋତିରାଦିତ୍ୟ ବିଜେପିରେ ଖୁବ ଶୀଘ୍ର ସାମିଲ ହୋଇପାରନ୍ତି ।
ସିନ୍ଧିଆଙ୍କ ପିୟୁସି ତଥା ମଧ୍ୟପ୍ରଦେଶ ବିଜେପି ବିଧାୟକ ୟୋଶଧରା ରାଜେ ତାଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ ସିନ୍ଧିଆଙ୍କର ଅନ୍ୟଜଣେ ପିୟୁସି ବିଜେପିର ବରିଷ୍ଠ ନେତ୍ରୀ ତଥା ରାଜସ୍ଥାନର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଥିଲେ ।
ଅନ୍ୟପଟେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସମେତ ଅନ୍ୟ କଂଗ୍ରେସ ନେତା ମଧ୍ୟ ସିନ୍ଧିଆଙ୍କ ଏହି ପଦକ୍ଷେପକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି । ସେ ସମାଲୋଚନା କରି କହିଛନ୍ତି ଯେ, ସିନ୍ଧିଆ ଲୋକଙ୍କ ସହ ବିଶ୍ୱାସଘାତ କରିଛନ୍ତି ଏବଂ ସେ ନିଜ ବ୍ୟକ୍ତିଗତ ସ୍ୱାର୍ଥକୁ ଲୋକଙ୍କ ସ୍ୱାର୍ଥ ଠାରୁ ଉର୍ଦ୍ଧ୍ୱରେ ରଖିଛନ୍ତି ।


Share It

Comments are closed.