କୋହଲିଙ୍କ ନୂଆ କୀର୍ତ୍ତିମାନ, ୨୨,୦୦୦ ରନ ପୂରଣରେ ସବୁଠାରୁ ଦ୍ରୁତତ୍ତମ ଖେଳାଳୀ


ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କ୍ରିକେଟ୍‌ର ‘ଭଗବାନ’ ବିବେଚିତ ସଚିନ ତେନ୍ଦୁଲକରଙ୍କ ଆଉଏକ ରେକର୍ଡ଼ ଭଙ୍ଗ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ୍‌ (ଟେଷ୍ଟ, ଦିନିକିଆ, ଟି-ଟ୍ୱେଣ୍ଟି)ରେ ୨୨,୦୦୦ ରନ୍‌ ପୂରଣ କରିବା ସହ ଦ୍ରୁତତମ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ସଚିନଙ୍କଠୁ ସେ ୩୧ଟି ଇନିଂସ୍‌ କମ୍‌ ନେଇ ଏହି ରେକର୍ଡ଼ ସ୍ଥାପନ କରିଛନ୍ତି । ସଚିନଙ୍କୁ ୨୨,୦୦୦ରନ୍‌ ପୂରଣ ପାଇଁ ୪୯୩ଟି ଇନିଂସ୍‌ ଲାଗିଥିବାବେଳେ କୋହଲି ୪୬୨ ଇନିଂସ୍‌ରୁ ଏହି କାରନାମା କରିଛନ୍ତି ।

ସଚିନଙ୍କ ରେକର୍ଡ଼ ସହ କୋହଲି ୱେଷ୍ଟଇଣ୍ଡିଜ୍‌ର ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌ ବ୍ରାଏନା ଲାରା ଓ ଅଷ୍ଟ୍ରେଲିଆର ସବୁଠୁ ସଫଳ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡ଼ ମଧ୍ୟ ଭଙ୍ଗ କରିଛନ୍ତି । ୨୨,୦୦୦ ରନ୍‌ ପୂରଣ ପାଇଁ ଲାରା ୫୧୧ଟି ଇନିଂସ୍‌ ଓ ପଣ୍ଟିଂଙ୍କୁ ୫୧୪ ଇନିଂସ୍‌ ଲାଗିଯାଇଥିଲା ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ କୋହଲି ୨୨,୦୦୦ରନ୍‌ କ୍ଲବ୍‌ଠୁ ଆଉ ୭୮ ରନ୍‌ ଦୂରରେ ଥିଲେ । କ୍ୟାରିୟରର ୨୫୦ତମ ଦିନିକିଆରେ ସେ ୮୯ (୮୭ବଲ୍‌, ୭ଚୌକା, ୨ଛକା) ରନ୍‌ କରି ଏହି କ୍ଲବ୍‌ରେ ସାମିଲ ହୋଇଥିଲେ ।

ଇତିମଧ୍ୟରେ ସେ ଦିନିକିଆରେ ୧୧,୯୭୭ରନ୍‌ କରିଥିବାବେଳେ ୮୬ଟି ଟେଷ୍ଟରୁ ୭,୨୪୦ ଏବଂ ୮୨ଟି ଟି-ଟ୍ୱେଣ୍ଟିରୁ ୨,୭୯୪ରନ୍‌ ସଂଗ୍ରହ କରିସାରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ ହାସଲକାରୀ ତାଲିକାରେ କୋହଲି ଅଷ୍ଟମ ସ୍ଥାନରେ ଅଛନ୍ତି । ସଚିନ ୩୪,୩୫୭ ରନ୍‌ ସହ ଶୀର୍ଷରେ ଥିବାବେଳେ ରାହୁଲ ଦ୍ରାବିଡ଼ ୨୪,୨୦୮ ରନ୍‌ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।


Share It

Comments are closed.