ୟାସିନ ମଲିକକୁ ସଜା ପରେ ପଥର ମାଡ କରୁଥିବା ୧୦ ଯୁବକ ଏବେ କାନ ଧରି ଥାନାରେ ମାଗୁଛନ୍ତି ଭୁଲ


ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକଙ୍କୁ ଆଜୀବନ କାରାଦଣ୍ଡାଦେଶ ହେବାପରେ ଅଶାନ୍ତ ହୋଇ ଉଠିଛି ଜାମ୍ମୁ କାଶ୍ମୀର । ଶ୍ରୀନଗରର ବିଭିନ୍ନ ସ୍ଥାନରେ ପଥର ମାଡ କରାଯାଉଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ବଡ କଥା ହେଉଛି ଗତକାଲି ଅର୍ଥାତ ବୁଧବାର ପଥର ଫିଙ୍ଗୁଥିବା ଯୁବକମାନେ ଆଜି ଥାନାରେ କାନ ଧରି ଅନୁତାପ କରିବା ସହିତ ଭୁଲ ମାଗୁଥିବା ଦେଖିବାକୁ ମିଳିଛି । ଶ୍ରୀନଗର ପୋଲିସ କହିବା ମୁତାବିକ, ଦେଶ ବିରୋଧୀ ନାରା ଦେଉଥିବା ଏବଂ ୟାସିନ୍‌ ମଲିକ ଘର ବାହାରେ ପଥର ମାଡ କରୁଥିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇ ସାରିଛି । ଦିଲ୍ଲୀର ସ୍ବତନ୍ତ୍ର ଏନଆଇଏ କୋର୍ଟ ୟାସିନକୁ ଦଣ୍ଡ ଶୁଣାଇବା ପରେ ତାର ବାସଭବନ ମାଇସୁମାରେ ହିଂସକ ପ୍ରଦର୍ଶନ ହୋଇଥିଲା । କିନ୍ତୁ ଅନ୍ୟ ସ୍ଥାନମାନଙ୍କରେ ସେଭଳି କୌଣସି ବିରୋଧ ପ୍ରଦର୍ଶନ ହୋଇନାହିଁ ।

ହିଂସାକାଣ୍ଡ ଭିଆଇବା ଘଟଣାରେ ବର୍ତ୍ତମାନ ସୁଦ୍ଧା କିଛି ଯୁବକଙ୍କୁ ଗିରଫ କରାଯାଇଛି ଏବଂ ସିସିଟିଭି ଫୁଟେଜ୍‌ ଆଧାରରେ ଆଉ କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବାଦ୍‌ ହିଂସାକାଣ୍ଡକୁ ଉସକାଉଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଜନ ସୁରକ୍ଷା ଆଇନ ଆଧାରରେ ମାମଲା ରୁଜୁ କରାଯିବ ।

ବୁଧବାର ସନ୍ଧ୍ୟାରେ ୟାସିନ ମଲିକଙ୍କୁ ଆଜୀବନ ଜେଲ ଦଣ୍ଡ ମିଳିବା ପରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସମ୍ବେଦନଶୀଳ ସ୍ଥାନଗୁଡିକରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା ।

ୟାସିନ ମଲିକର ସଜାକୁ ନେଇ ପାକିସ୍ତାନରେ ମଧ୍ୟ ଅଲଚଲ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସେହବାଜ ଶରିଫ୍‌ ଏବଂ କ୍ରିକେଟର ଶାହିଦ ଆଫ୍ରିଦଙ୍କ ଠାରୁ ବିଲାଓ୍ବଲ ଭୁଟ୍ଟୋ ଯାଏଁ ସମସ୍ତେ ପ୍ରତିକ୍ରିୟା ପରାୟଣ ହୋଇଉଠିଛନ୍ତି । ୟାସିନ୍‌ ମଲିକକୁ ସଜା ଲୋକତନ୍ତ୍ର ପାଇଁ କଳା ଦିବସ ବୋଲି କହିଥିଲେ ପାକିସ୍ତାନ ପିଏମ୍‌ ସେହବାଜ ଶରିଫ୍‌ । ସେହିଭଳି ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦ ଏହି ଘଟଣାକୁ ୟୁଏନ୍‌କୁ ନେବାପାଇଁ ଅପିଲ କରିଛନ୍ତି ।


Share It

Comments are closed.